୨୩ତମ ଗୁରୁ ପ୍ରଣାମ ମହୋତ୍ସବ ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାରେ ଗୁରୁକୂଳ ଆନ୍ଦୋଳନର ମୁଖ୍ୟ, ଆର୍ଯ୍ୟ ସନ୍ନ୍ୟାସୀ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରତିଷ୍ଠିତ ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ୨୩ତମ ଗୁରୁ ପ୍ରଣାମ ମହୋତ୍ସବ-୨୦୨୩ ଶୁକ୍ରବାର ସନ୍ଧ୍ୟାରେ ବୁଦ୍ଧ ମନ୍ଦିର ସଭାଗୃହରେ, ସୁବାର୍ତ୍ତାର ସମ୍ପାଦକ ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀଙ୍କ ପୌରହିତ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ପରିବ୍ରାଜକ ଜୈନମୁନି ଆଚାର୍ଯ୍ୟ ଶ୍ରୀ ଅରବିନ୍ଦ ମୁନି କହିଲେ ଯେ, ଆମ ସଂସ୍କୃତି ହଜାର ହଜାର ବର୍ଷର ସଂସ୍କୃତି । ଆମ ସଂସ୍କୃତି ପରମ୍ପରାରେ ଗୁରୁଙ୍କୁ ଈଶ୍ୱରଙ୍କ ସ୍ଥାନ ଦିଆଯାଇଛି । ଗୁରୁ କେବଳ ଜ୍ଞାନଦାତା ନୁହଁନ୍ତି, ସେ ମଧ୍ୟ ମାର୍ଗଦର୍ଶକ । ଛତ୍ରପତି ଶିବାଜୀ ସମର୍ଥ ରାମଦାସଙ୍କ ପରାମର୍ଶରେ ରାଜ୍ୟ ଶାସନ କରୁଥିଲେ । ସଭାର ପ୍ରାରମ୍ଭରେ ଓଡ଼ିଶାର ବିଶିଷ୍ଟ ବେଦବିତ୍ ଯଜ୍ଞପୁରୁଷ ଡଃ ନିରଞ୍ଜନ ବ୍ରହ୍ମାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ପରଲୋକଗତ ଆଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥର୍ନା କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ଡଃ ରବିନ୍ଦ୍ର ନାଥ ପଣ୍ଡା କହିଲେ ଯେ, ସମାଜର ଭ୍ରଷ୍ଟାଚାର, ଅନ୍ୟାୟ, ଅନୀତି, ଦୁର୍ନୀତି ଦୂର କରିବାରେ ଗୁରୁଙ୍କର ଏକ ମୁଖ୍ୟ ଭୂମିକା ରହିଛି । କିନ୍ତୁ ତାହା କାର୍ଯ୍ୟକାରୀ କରିବା ପାଇଁ ସଂକଳ୍ପ ଓ ନିଷ୍ଠାର ଆବଶ୍ୟକତା ରହିଛି । ମୁଖ୍ୟ ବକ୍ତା ପ୍ରଶାସିକା ଶ୍ରୀମତୀ ସୁମିତ୍ରା ପଟ୍ଟନାୟକ ଓ ବୈଦିକ ବିଦ୍ୱାନ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା କହିଲେ ଯେ, ଭାରତୀୟ ସଂସ୍କୃତି ହେଉଛି ତ୍ୟାଗର ସଂସ୍କୃତି, ବାଣ୍ଟି ଖାଇବାର ସଂସ୍କୃତି, ଆମେ ତାକୁ ଭୁଲି ଯାଇଛୁ ବୋଲି, ଆଜି ସମାଜରେ ବିଶୃଙ୍ଖଳା ଦେଖା ଦେଇଛି । ଏହି ଅବସରରେ ମୁଖ୍ୟ ଅତିଥି ଡଃ ପଣ୍ଡା, ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରଫେସର ଡଃ ପଦନ କୁମାର ଜେନା, ପାଲାଚାର୍ଯ୍ୟ ସୁରେନ୍ଦ୍ର ନାଥ ଛୋଟରାୟଙ୍କୁ ଗୁରୁ ପ୍ରଣାମ ସମ୍ମାନ-୨୦୨୩ରେ ସମ୍ବର୍ଦ୍ଧିତ କରିଥିଲେ । ପ୍ରାରମ୍ଭରେ ପଣ୍ଡିତ ବିନୋଦ ବିହାରୀ ଦାସ ବେଦପାଠ, ଶିକ୍ଷାବିତ୍ ବଦ୍ରୀନାଥ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ସମାଜସେବୀ ସୀତାବଲ୍ଲଭ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସମାଜସେବୀ ବରୁଣରାଜ ଓ ପ୍ରଭାତ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ସ୍ୱାମୀ ଜଗନ୍ନାଥାନନ୍ଦ ମହାରାଜ, ବାବା ବାଳକାନନ୍ଦ ମହାରାଜ, ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତି, ପୂର୍ବତନ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ର, ଡଃ ବୁଦ୍ଧଦେବ ମିଶ୍ର, ଡଃ ବ୍ରଜବନ୍ଧୁ ପଣ୍ଡା, ପର୍ଶୁରାମ ଦ୍ୱିବେଦୀ ଓ ମନୋଜ ରଥଙ୍କୁ ସାଲ୍ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବାସ୍ତୁବିତ ଡଃ ମନୋଜ ଲେଙ୍କା, ଆଡ଼ଭୋକେଟ ବନ ମହାନ୍ତି, ଡଃ ଯୁଧିଷ୍ଠିର ଖଟୁଆ, ନ୍ୟାୟମୂର୍ତ୍ତି ମନୋରଞ୍ଜନ ମହାନ୍ତି, ଆଡ଼ଭୋକେଟ ଦୁଃଖିଶ୍ୟାମ ଦାସ, ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ପ୍ରମୁଖ ଯଜ୍ଞ ପୁରୁଷ, ବାଣୀଭୂଷଣ ନିରଞ୍ଜନ ବ୍ରହ୍ମାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ