ଜିଲ୍ଲା ଟ୍ରେଡ ୟୁନିଅନ ସମନ୍ୱୟ ସମିତି ପକ୍ଷରୁ ନ୍ୟାୟ ଦାବିରେ ସଦର ଥାନା ସମ୍ମୁଖରେ ଧାରଣା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଟ୍ରେଡ ୟୁନିଅନ ସମନ୍ୱୟ ସମିତି ପକ୍ଷରୁ କେନ୍ଦ୍ରାପଡା ସଦର ଥାନା ସମ୍ମୁଖରେ ନ୍ୟାୟ ଦାବିରେ ଧାରଣା ଦିଆଯିବା ସହ ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଗତ ଅକ୍ଟୋବର ୧୯ତାରିଖରେ କେନ୍ଦ୍ରାପଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ୟୁନିଅନ ନେତୃବୃନ୍ଦ ଓ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ଓ ଆଉଟସୋର୍ସିଂ ସଂସ୍ଥା ଭୂମିଶ୍ରୀ ଓ କେୟାର ଦ୍ୱାରା ନିଯୁକ୍ତ ୨ଜଣଙ୍କ ସମେତ ୭ଜଣଙ୍କ ମଧ୍ୟରେ ଘଟିଥିବା ଘଟଣାରେ ୟୁନିଅନ ପକ୍ଷରୁ ୯ଜଣଙ୍କ ନାମରେ ଏବଂ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ୭ଜଣଙ୍କ ନାମରେ ସଦର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ସେହି ଅଭିଯୋଗ ଦୁଇଟି ଉପରେ ଯଥାକ୍ରମେ ଥାନା କେଶ ନମ୍ବର ୪୨୯ ଓ ୪୩୦ରେ ମାମଲା ରୁଜୁ କରାଯାଇଥିଲା । ରାଜ୍ୟ ସରକାରଙ୍କ ‘ମୋ ସରକାର’ ଯୋଜନା ଅନୁଯାୟୀ ଜନସାଧାରଣ ହେଉଛନ୍ତି ଗଣତନ୍ତ୍ର ବା ସରକାରର ଆତ୍ମା । ଅଥଚ ଦୁଇଟି ମାମଲା ମଧ୍ୟରୁ ୟୁନିଅନର ୭ଜଣଙ୍କୁ ପୋଲିସ ଗିରଫ କରି ଅପରାଧୀ ଭାବେ ରାତିରେ ଜେଲକୁ ପଠାଇ ଦେଇଥିବା ବେଳେ ସମାନ ଅପରାଧରେ ଶ୍ରମ କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ଗିରଫ କରାନଯିବା କେଉଁ ନ୍ୟାୟ ବୋଲି ପ୍ରଶ୍ନ କରାଯାଇଛି । ଶ୍ରମ କାର୍ଯ୍ୟାଳୟର କର୍ମଚାରୀ କୋଦାଳ ଧରି ହାଣିବାକୁ ଆସିଥିବା ବେଳେ ତାଙ୍କୁ ୪୧(କ) ଧାରାରେ ଖଲାସ କରାଯିବା କେଉଁ ଭଳି ନ୍ୟାୟ । ଭାରତୀୟ ସମ୍ବିଧାନର ଅନୁଛେଦ ୩୯(କ) ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତି ସମାନ ଭାବରେ ନ୍ୟାୟ ପାଇବା ପାଇଁ ହକଦାର । ତେଣୁ ୟୁନିଅନର କର୍ମକର୍ତ୍ତାଙ୍କୁ ଯେଭଳି ଭାବରେ ଗିରଫ କରାଯାଇ ଜେଲ ପଠାଇ ଦିଆଗଲା ଠିକ ସେଭଳି ଭାବରେ ଶ୍ରମ କାର୍ଯ୍ୟାଳୟର କର୍ମଚାରୀଙ୍କୁ ତୁରନ୍ତ ଗିରଫ କରାଯିବାକୁ ୟୁନିୟନ ଦାବି କରି ଶାନ୍ତପୂର୍ଣ୍ଣ ଧାରଣା ଦିଆଯିବା ସହିତ ସଦର ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ୟୁନିଅନ ପକ୍ଷରୁ ମୁକ୍ତାର ଖାଁ, ଜଗତଜୀବନ ଦାଶ, କାଞ୍ଚନବାଳା ସ୍ୱାଇଁ, ଗୋବିନ୍ଦ ସେନାପତି, ନିରାକାର ସାହୁ, ପ୍ରଶାନ୍ତ କୁମାର ଦାସ, କାହ୍ନୁ ଚରଣ ବେହେରା, ବସନ୍ତ କୁମାର ସେଠୀ, ଚିତ୍ତରଞ୍ଜନ ତରେଇ, ଅକ୍ଷୟ ତରେଇ ପ୍ରମୁଖ ଧାରଣାର ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ