ତୁରନ୍ତ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଜିଲ୍ଲା ବ୍ୟାପି ପଦଯାତ୍ରା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):୨୩ତାରିଖ କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ମିଳିତ କ୍ରୀୟାନୁଷ୍ଠାନ କମିଟି ବୈଠକ ବିକାଶ ସାମ୍ମୁଖ୍ୟ ସଭା ଗୃହରେ ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସମ୍ପାଦକ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ ବର୍ତ୍ତମାନ କେନ୍ଦ୍ରାପଡାରେ ସରକାର ତୁରନ୍ତ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିବାକୁ ଦାବି କରିଥିଲେ । ଏଥିସହିତ ଦାବି ହାସଲ ନିମନ୍ତେ ଚଳିତ ମାସରେ ରାଜକନିକାର ବାସୁବିସୁନୀ ସହିଦପୀଠ ଠାରୁ କେନ୍ଦ୍ରାପଡା ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶ୍ୟାମଗୁଡିଆକୁ ଉଠାଇ ନେବା ପୂର୍ବରୁ ତୁରନ୍ତ ଏକ ସିଟି ହସପିଟାଲ କିମ୍ବା ସିଏଚସି ପ୍ରତିଷ୍ଠା କରାଯିବାକୁ ଅକ୍ଟୋବର ୧୯ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ ଆଲୋଚନା ବେଳେ ଦାବି କରାଯାଇଥିଲା । ତରବରିଆ ଭାବେ ଶ୍ୟାମଗୁଡିଆକୁ ଜିଲ୍ଲା ଚିକିତ୍ସାଳୟ ଉଠାଇନେବା ଉଚିତ ହୋଇନାହିଁ ବୋଲି କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି । ଏହି ବୈଠକରେ ପ୍ରଫୁଲ୍ଲ ଦାସ, ଗୟାଧର ଧଳ, ଆଦିକନ୍ଦ ରାଉଳ, କରୁଣାକର ଦାସ, ସୋହାନା ବେଗମ, ଅମୀୟ ନାୟକ, ମୁକ୍ତାର ଖାଁ, ବୈଷ୍ଣବ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


