ଫିଲ୍ମ ଫ୍ରାଇଡେ :”ପାନିପତ୍’ ବନାମ୍ “ପତି, ପତ୍ନୀ ଔର୍ ୱ’
ଫିଲ୍ମ ଫ୍ରାଇଡେ’ରେ ଏଥର ପରଦାକୁ ଆସୁଛି ଦୁଇଟି ଫିଲ୍ମ । ବହୁ ପ୍ରତୀକ୍ଷିତ ହିନ୍ଦୀ ଐତିହାସିକ ଫିଲ୍ମ “ପାନିପତ୍’କୁ ଟକ୍କର ଦେବ ରୋମାଣ୍ଟିକ୍ କମେଡି ଫିଲ୍ମ “ପତି, ପତ୍ନୀ ଔର୍ ୱ’ । ଆଶୁତାଷ ଗାୱାରିକରଙ୍କ ନିର୍ଦ୍ଦେଶିତ “ପାନିପତ୍’ ୧୭୬୧ରେ ହୋଇଥିବା ୩ୟ ପାନିପତ୍ ଯୁଦ୍ଧ ଉପରେ ଆଧାରିତ । ସେହିଭଳି ମୁଦ୍ଦାସର ଅଜିଜ୍ଙ୍କ ନିର୍ଦ୍ଦେଶିତ “ପତି, ପତ୍ନୀ ଔର୍ ୱ’ରେ ବିବାହ ଓ ପରକୀୟା ପ୍ରୀତିକୁ ନେଇ ଦମ୍ଦାର କମେଡି ଦେଖିବାକୁ ମିଳିବ ।
“ପାନିପତ୍’ରେ ଅର୍ଜୁନ କପୁର, ସଞ୍ଜୟ ଦତ୍ତ ଏବଂ କ୍ରିତି ସାନନ୍ ମୁଖ୍ୟ ଭୂମିକାରେ ଅଭିନୟ କରଛନ୍ତି । ଆଫଗାନୀ ତଥା ଦୂରାନୀ ଏବଂ ମରାଠା ସାମ୍ରାଜ୍ୟ ମଧ୍ୟରେ ହୋଇଥିବା ଐତିହାସିକ ପାନିପତ୍ ଯୁଦ୍ଧ ଆଜି ବି ଲୋମ ଟାଙ୍କୁରାଇ ଦେଉଥିବାବେଳେ ଫିଲ୍ମ ମାଧ୍ୟମରେ ପୁଣିଥରେ ସେହି ଅଭୁଲା ଇତିହାସକୁ ଉଜ୍ଜୀବିତ କରାଯାଇଛି । ୩ୟ ପାନିପତ୍ ଯୁଦ୍ଧରେ ମରାଠା ସେନାର ମୁଖ୍ୟ ସର୍ଦ୍ଦାର ସେନାପତି ଥିବା ସଦାଶିବ ରାଓ ଭାଉଙ୍କ ଭୂମିକାରେ ଅର୍ଜୁନ କପୁରଙ୍କୁ ଦେଖିବାକୁ ମିଳିବ । “ହାଫ୍ ଗର୍ଲଫ୍ରେଣ୍ଡ’, “ଇଶକଜାଦେ’ ଓ “କି ଆଣ୍ଡ୍ କା’ ଭଳି ଫିଲ୍ମ କରିଥିବା ଅର୍ଜୁନ ପ୍ରଥମଥର ପାଇଁ ଏଭଳି ଏକ ଗମ୍ଭୀର ଭୂମିକାରେ ନଜରକୁ ଆସିବେ । ସେହିଭଳି “କଲଙ୍କ’ରେ ଜବରଦସ୍ତ ଅଭିନୟ ପରେ ପୁଣିଥରେ “ପାନିପତ୍’ ମାଧ୍ୟମରେ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିବାକୁ ପରଦାକୁ ଆସିବେ ସଞ୍ଜୟ ଦତ୍ତ । ସେ ଦୂରାନୀ ସାମ୍ରାଜ୍ୟର ପ୍ରତିଷ୍ଠାତା ଅହମ୍ମଦ ଶାହା ଦୂରାନୀଙ୍କ ଚରିତ୍ରରେ ଅଭିନୟ କରିବେ । “ହାଉସଫୁଲ୍ ୪’ ପରେ କ୍ରିତି ସାନନଙ୍କୁ ଏକ ସିରିୟସ୍ ଚରିତ୍ର ମିଳିଥିବାବେଳେ ଫିଲ୍ମରେ ସେ ସଦାଶିବ ରାଓ ଭାଉଙ୍କ ଦ୍ୱିତୀୟ ପତ୍ନୀ ପାର୍ବତୀ ବାଇଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମର କାହାଣୀ ମୁତାବକ, ଅଷ୍ଟାଦଶ ଶତାବ୍ଦୀରେ ମରାଠା ସାମ୍ରାଜ୍ୟ ଭାରତୀୟ ଭୂଖଣ୍ଡର ସବୁଠାରୁ ଶକ୍ତିଶାଳୀ ସାମ୍ରାଜ୍ୟଭାବେ ପରିଗଣିତ ହେଉଥିବାବେଳେ ସେମାନଙ୍କ ସାମ୍ରାଜ୍ୟ ଉପରେ ଆଫଗାନ ରାଜା ଅହମ୍ମଦ ଶାହା ଦୂରାନୀଙ୍କ ନଜର ପଡ଼ିଥିଲା । ଭାରତକୁ ନିଜ ଅଧୀନକୁ ନେବାକୁ ଦୂରାନୀ ସମସ୍ତ ବଳ ପ୍ରୟାଗ କରିଦେଇଥିବାବେଳେ ମରାଠା ପେଶୱା ତାଙ୍କୁ ଅଟକାଇବାକୁ ସଦାଶିବ ରାଓ ଭାଉଙ୍କ ନେତୃତ୍ୱରେ ଯୁଦ୍ଧ ପାଇଁ ଡାକରା ଦେଇଥିଲେ, ଯାହାକି ପରବର୍ତ୍ତୀ ସମୟରେ ୩ୟ ପାନିପତ୍ ଯୁଦ୍ଧ ଭାବେ ପରିଚିତ ହାଇଥିଲା । ଫିଲ୍ମରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଘମାଘୋଟ ଯୁଦ୍ଧର ଚିତ୍ରକୁ ସ୍ଥାନିତ କରାଯାଇଥିବାବେଳେ ଆକ୍ସନ ଫିଲ୍ମକୁ ଭଲପାଉଥିବା ଦର୍ଶକଙ୍କ ପାଇଁ ଏହା ଏକ ଭଲ ଫିଲ୍ମ ବୋଲି କୁହାଯାଉଛି ।
ଅନ୍ୟପକ୍ଷରେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ତୃତୀୟ ବ୍ୟକ୍ତି ଆସିଲେ ଯେଉଁ ପରିସ୍ଥିତି ସୃଷ୍ଟି ହୁଏ ତା’କୁ ରୋମାଣ୍ଟିକ୍ କମେଡି ଜରିଆରେ ପରଦାରେ ରଖିବେ (ପତି) କାର୍ତ୍ତିକ ଆର୍ୟନ, (ପତ୍ନୀ)ଭୂମି ପାଡନେକର୍ ଏବଂ (ଔର୍ ୱ) ଅନନ୍ୟା ପାଣ୍ଡେ । ଫିଲ୍ମରେ ରାଜେଶ ଶର୍ମା ଏବଂ ଅପାରଶକ୍ତି ଖୁରାନା ମଧ୍ୟ ପ୍ରମୁଖ ଭୂମିକାରେ ନଜରକୁ ଆସିବେ । ରେଣୁ ରବି ଚୋପ୍ରାଙ୍କ ପ୍ରଯୋଜିତ ଏହି ଫିଲ୍ମ ୧୯୭୮ର ଫିଲ୍ମ “ପତି, ପତ୍ନୀ ଔର୍ ୱ’ର ରିମେକ୍ । ତେବେ ବଲିଉଡ୍ ଫ୍ରାଇଡେ ବକ୍ସରେ ଦେଖିବାକୁ ମିଳିବ “ପାନିପତ୍’ ବନାମ୍ “ପତି, ପତ୍ନୀ ଔର୍ ୱ’?


