ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲାସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ରିଜର୍ଭ ପୁଲିସ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ ସହ ଦେଶକୁ ସ୍ୱାଧୀନ କରିବାରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ବିଶେଷ ଭୂମିକା ରହିଥିବା କହିଥିଲେ । ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ଏବଂ ସ୍ୱତନ୍ତ୍ର ଭାଷା ଭିତିକ ଉତ୍କଳ ପ୍ରଦେଶ ଗଠନରେ ବାଲେଶ୍ୱର ମାଟିର ଅବଦାନକୁ କେହି ଅସ୍ୱୀକାର କରିବେ ନାହିଁ ବୋଲି ସେ ମତ ଦେଇଥିଲେ । ଅନ୍ୟପକ୍ଷରେ ୨୩ ବର୍ଷ ଧରି ଓଡ଼ିଶାରେ ସ୍ଥିର ଓ ପ୍ରଗତିଶୀଳ ସରକାର ରାଜ୍ୟବାସୀଙ୍କ ପାଇଁ ସୌଭାଗ୍ୟର ବିଷୟ ହୋଇଛି । ସେହିଭଳି ବାଲେଶ୍ୱର ଜିଲ୍ଲା ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସଫଳତା ଲାଭ କରି ଚାଲିଥିବା ବେଳେ ରାଜ୍ୟର ପ୍ରଗତି ମାନଚିତ୍ରରେ ସ୍ଥାନୀତ ହେବା ଓ ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ସାମୂହିକ ପ୍ରୟାସ କରିବାକୁ ମନ୍ତ୍ରୀ ଶ୍ରୀ ଦାଶ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାଶ ପୁଲିସ ବ୍ୟାଣ୍ଡ ସମେତ ୪୩ ଟି କଣ୍ଟିଜେଣ୍ଟଙ୍କ ସାମୂହିକ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥିଲେ । ରିଜର୍ଭ ଇନ୍ସପେକ୍ଟର ବୀରେନ କୁମାର ବେହେରା ନେତୃତ୍ୱରେ ଆୟୋଜିତ ପ୍ୟାରେଡ଼ ପରିଚାଳନାରେ ସେକେଣ୍ଡ-ଇନ-କମାଣ୍ଡ ରାଜୀବ କୁମାର ମାରାଣ୍ଡି ସହଯୋଗ କରିଥିଲେ । ପ୍ୟାରେଡ଼ ସହ ପ୍ରତିରକ୍ଷା ବିଭାଗର ଅଜୁର୍ନ ଟ୍ୟାଙ୍କ ଓ ସମଗ୍ର ଶିକ୍ଷା ଅଭିଯାନର ପ୍ରଜ୍ଞାପନ ମେଢ଼ ପଡ଼ିଆରେ ପ୍ରଦର୍ଶର୍ିତ ହୋଇଥିଲା । ପ୍ୟାରେଡ଼ ପରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ସାସ୍କୃତିକ କାର୍ଯ୍ୟକ୍ରମ ଓ ବୀର ବଜରଙ୍ଗ ବ୍ୟାୟାମଗାର ପକ୍ଷରୁ ପ୍ରାଚୀନ ସମରକଳା ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି ଓ ରଞ୍ଜନ ବାଗଙ୍କ ସମେତ କ୍ରୀଡ଼ାବିତ ସୁଶ୍ରୀ ବ୍ରତତୀ ବିଶ୍ୱପ୍ରଭା ପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ପ୍ୟାରେଡ଼ରେ ଶ୍ରେଷ୍ଠ ଟିମ୍‌, ଶ୍ରେଷ୍ଠ ସାଂସ୍କୃତିକ ଟ୍ରୁପ୍‌ଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ସେହିପରି ଜିଲ୍ଲାର ୨୨ ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମନ୍ତ୍ରୀ ଶ୍ରୀ ଦାଶ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସଦର ବିଧାୟକ ସ୍ୱରୂପ କୁମାର ଦାସ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ସାହୁ, ଉପ-ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏହି ଜିଲାସ୍ତରୀୟ ଜନରାଜ୍ୟ ଦିବସ ପାଳନ ଉତ୍ସବରେ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ ରାହୁଲ ସିଂ, ସତ୍ୟସାଗର ମଣ୍ଡଳ, କାର୍ତ୍ତିକ ଚନ୍ଦ୍ର ବେହେରା ଓ ପୂର୍ବତନ କର୍ମଚାରୀ ପୁରୁଷୋତ୍ତମ ସେଠୀ ପ୍ରମୁଖ ସହଯୋଗ କରିଥିଲେ । ସାଧାରଣତନ୍ତ୍ର ଦିବସ ଅବସରରେ ଜିଲ୍ଲା ରକ୍ତଭଣ୍ଡାର ଓ ପ୍ରେସ ଫୋରମ୍ ପକ୍ଷରୁ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ମନ୍ତ୍ରୀ ଶ୍ରୀ ଦାଶ ଉଦ୍‌ଘାଟନ କରିଥିଲେ । ଏଥି ସହିତ ଜିଲ୍ଲା ଡାକ୍ତରଖାନାର ରୋଗୀଙ୍କୁ ଫଳ ଓ ହେଣ୍ଡିକେପ୍ଟ ୱେଲଫେୟାର ଇନଷ୍ଟିଚ୍ୟୁଟର ଛାତ୍ର-ଛାତ୍ରୀମାନଙ୍କୁ ବିସ୍କୁଟ-କେକ୍ ବଣ୍ଟନ ମଧ୍ୟ କରିଥିଲେ । ଏହା ବ୍ୟତୀତ ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ ଓ ଡାକ୍ତରଖାନା ରୋଡ଼ ମିଲବାଡ଼ିରେ ଆୟୋଜିତ ପୁଷ୍ପ ପ୍ରଦର୍ଶନୀକୁ ମନ୍ତ୍ରୀ ଶ୍ରୀ ଦାଶ ଉଦ୍‌ଘାଟନ କରିଥିଲେ । ଅପରାହ୍ନରେ ସହରର ପରମିଟ୍ ପଡ଼ିଆଠାରେ ପ୍ରେସ ଓ ପ୍ରଶାସନ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ସଂଧ୍ୟାରେ ଗାନ୍ଧୀସ୍ମୃତି ଭବନରେ ଆୟୋଜିତ ଉତ୍ସବରେ ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ