ଶେଷହେଲା ତିନି ସନ୍ଧ୍ୟାର ବୁଦ୍ଧଖୋଲ ମହୋତ୍ସବ

ବୁଗୁଡା, (ଅନିଲ କୁମାର ମହାରଣା):ଜାନୁଆରୀ ୨୭ ତାରିଖରୁ ଆରମ୍ଭ ହୋଇଥିବା ବୁଦ୍ଧଖୋଲ ମହୋତ୍ସବ ୨୯ ତାରିଖ ସନ୍ଧ୍ୟାରେ ଶେଷ ହୋଇଛି। ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତଥା ବିଶିଷ୍ଠ ପଞ୍ଚ ମହାଦେବ ପୀଠ ବୁଦ୍ଧଖୋଲର ପାଦଦେଶରେ ଅନୁଷ୍ଠିତ ସପ୍ତମ ବୁଦ୍ଧଖୋଲ ମହୋତ୍ସବର ଶେଷ ସନ୍ଧ୍ୟାର କାର୍ଯ୍ୟକ୍ରମକୁ ଶ୍ରମ ମନ୍ତ୍ରୀଙ୍କ ଧର୍ମପତ୍ନୀ ଗୋଲାପ ସାହୁ ଉଦଘାଟନ କଟିଥିବା ବେଳେ ବୁଦ୍ଧଖୋଲ ଉନ୍ନୟନ ସମିତିର କାର୍ଯ୍ୟକାରୀ ସଭାପତି ଧରଣୀଧର ପଣ୍ଡା ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଗଞ୍ଜାମ ପୋଲିସ ଜିଲ୍ଲା ଏସ.ପି. ଜଗମୋହନ ମୀନା ଏବଂ ସମ୍ମାନୀତ ଅତିଥି ଭାବେ ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ,ଓ ବୁଗୁଡା ବିଇଓ କବିବର ପ୍ରଧାନ ଯୋଗଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ମହୋତ୍ସବ କମିଟିର ସମ୍ପାଦକ ସୁରେଶ ଚନ୍ଦ୍ର ଦାଶଙ୍କ ପ୍ରସ୍ତାବ କ୍ରମେ ଗୁଳି ମାଡରେ ପ୍ରାଣତ୍ୟାଗ କରିଥିବା ସ୍ବର୍ଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା ହୋଇଥିଲା। ଜନସମୁଦ୍ର ଓ କୋଳାହଳରେ ପରିପୂର୍ଣ୍ଣ ମହୋତ୍ସବ ପଡିଆ ଦୁଇ ମିନିଟ ପାଇଁ ହୋଇଥିଲା ସମ୍ପୂର୍ଣ୍ଣ ନିଃଶବ୍ଦ।ଏହାପରେ ପ୍ରତିଭାବାନ ବ୍ୟକ୍ତି ଓ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗାୟକ ସତ୍ୟଜିତ ପ୍ରଧାନ ଓ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ ଙ୍କ ସଙ୍ଗୀତ, ସୁଧାକର ମିଶ୍ରଙ୍କ ଭଜନ, ରାଜୁ ଦାସଙ୍କ ବ୍ୟଙ୍ଗ ଦର୍ଶକଙ୍କ ମନ ମୋହିଥିଲା। ଏଥିସହ ଅଞ୍ଚଳର ବିଭିନ୍ନ ଲୋକକଳା ଓ ଲୋକନୃତ୍ୟ ପ୍ରଦର୍ଶିତ ହୋଇଥିଲା। ଶେଷରେ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ। ବୁଗୁଡା ପୋଲିସ ଓ ମହୋତ୍ସବ କମିଟି ସଦସ୍ୟଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ