ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ହେଲାଣି କଟକ ସହର
କଟକ,(ଓ୍ବାଇଏନଏସ): ଦୁର୍ଗାପୂଜା ଆସିଲେ କଟକର ଚାନ୍ଦି ମେଢର ଚମକ ଦେଖିବାକୁ ଦେଶବିଦେଶରୁ ଛୁଟି ଆସନ୍ତି ଦର୍ଶକ। ଆଉ ଏଥିପାଇଁ ଏ ହେଉଛି ତାର ପୂର୍ବ ପ୍ରସ୍ତୁତି। ମା’ଙ୍କ ମୁକୁଟଠାରୁ ସିଂହାସନ, ପଦ୍ମଫୁଲ ହାର, କିରିଟି, ବାହୁଟି, ମେଢରେ ଥିବା ହାତୀ, ମୟୂର ସବୁଥିରେ ଏବେ ଚାଲିଛି ସଫେଇ କାମ। ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟିରେ ମଧ୍ୟ ଆରମ୍ଭ ହୋଇଗଲାଣି ଚାନ୍ଦି ସଫେଇ। ପୂଜା ଯେତିକି ପାଖେଇ ଆସୁଛି, କାରିଗରଙ୍କ ବ୍ୟସ୍ତତା ସେତିକି ବଢ଼ୁଛି। ମାନସିଂହପାଟଣା ଅଞ୍ଚଳର କାରିଗରମାନେ ମୁଖ୍ୟତଃ ଏହି ସଫେଇ କାମ କରିଥାନ୍ତି। ପ୍ରାୟ ୩ କୁଇଣ୍ଟାଲ ଓଜନର ଚାନ୍ଦି ଅଳଙ୍କାର ସଫା କରିବାକୁ ୪ରୁ ଅଧିକ କାରିଗରଙ୍କୁ ପ୍ରାୟ ୧୦ ଦିନ ସମୟ ଲାଗେ। ଭସାଣି ଓ ପୂଜା ସମୟରେ ଚାନ୍ଦି ମେଢ ଉପରେ ଧୂଳି ଓ ମଇଳାର ଏକ ଆବରଣ ପଡ଼ିଯାଏ। ତେଣୁ ପ୍ରତିବର୍ଷ ମେଢର ଚାନ୍ଦି ଅଳଙ୍କାରକୁ ସଫା କରାଯାଇଥାଏ। ଇଠାଫଳ ଓ ତେଜାବରେ ସଫା କରିବା ସହ ଭାଙ୍ଗିଥିବା ଅଳଙ୍କାରକୁ ଝଳେଇ କରାଯାଉଛି। କେବଳ ଚାନ୍ଦି ମେଢ ନୁହେଁ, କଟକରେ ଦୁର୍ଗାପୂଜା ପାଇଁ ଆରମ୍ଭ ହୋଇଗଲାଣି ପ୍ରଶାସନିକ ପ୍ରସ୍ତୁତି ମଧ୍ୟ। ସହରର ୧୭୨ଟି ପୂଜାମଣ୍ଡପରେ ହେବ ମା’ଙ୍କ ଆରାଧନା। ମଣ୍ଡପ ସାଜସଜ୍ଜାଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ, ଅଗ୍ନି ନିରାପତ୍ତା, ବିଦ୍ୟୁତ ସଂଯୋଗ ଏବଂ ଭସାଣି ଶୋଭାଯାତ୍ରା ସବୁଥିପାଇଁ ଅନୁମତିର ଆବଶ୍ୟକତା ରହିଛି । ଗତବର୍ଷ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ବିଭିନ୍ନ ଅନୁମତି ପାଇଁ ପୂଜା କମିଟିଗୁଡ଼ିକୁ ହଇରାଣ ହେବାକୁ ପଡ଼ିଥିବା ଅଭିଯୋଗ ହୋଇଥିଲା।ଏଥର ଏହି ଝାମେଲାକୁ କମାଇବାକୁ ଅନଲାଇନ୍ ଆବେଦନ ବ୍ୟବସ୍ଥା କରିବାକୁ ଯୋଜନା କରୁଛି ଜିଲ୍ଲା ପ୍ରଶାସନ। ଫଳରେ ପୂଜା କମିଟିଗୁଡ଼ିକ ଘରେ ବସି ଅନଲାଇନରେ ଆବେଦନ କରି ଅନୁମତି ପାଇପାରିବେ। ପୂଜା ପ୍ରସ୍ତୁତି ସହ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦେଉଛି ପ୍ରଶାସନ।ପୂଜା ମଣ୍ଡପରେ ଅଗ୍ନି ନିରାପତ୍ତା, ବିଦ୍ୟୁତ ସୁରକ୍ଷା ଏବଂ ଭସାଣି ଶୋଭାଯାତ୍ରା ସମୟରେ ନିର୍ଦ୍ଧାରିତ ନିୟମ କଡ଼ାକଡ଼ି ପାଳନ ପାଇଁ ପୂଜା କମିଟିଗୁଡ଼ିକୁ ଆହ୍ୱାନ ଦିଆଯାଇଛି। ଚାନ୍ଦି ମେଢରେ ଫେରୁଛି ଚମକ। ମଣ୍ଡପରେ ଚାଲିଛି ସାଜସଜ୍ଜା। ଆଉ ପ୍ରଶାସନ ପକ୍ଷରୁ ଚାଲିଛି ସୁରକ୍ଷା ଓ ଅନୁମତି ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାର ପ୍ରସ୍ତୁତି। ଶାରଦୀୟ ଦୁର୍ଗାପୂଜା ପାଇଁ ଏବେଠୁ ଉତ୍ସବମୁଖର ହେବାକୁ ଆରମ୍ଭ କଲାଣି ସିଲଭର ସିଟି।


