ସୁଇଚ୍ ଅନ୍ ଫାଉଣ୍ଡେସନ ଓ ପ୍ରେରଣା ପକ୍ଷରୁ ପ୍ରଦୂଷଣମୁକ୍ତ ପୃଥିବୀ ପାଇଁ ସାଇକେଲ ଶୋଭାଯାତ୍ରା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବର୍ତ୍ତମାନ ଦିନକୁ ଦିନ ପୃଥବୀପୃଷ୍ଠରେ ଜନସଂଖ୍ୟା, କଳ କାରଖାନା, ଗାଡ଼ି ମୋଟର, କୋଠାବାଡ଼ି ଆଦି ବଢିଚାଲିଛି । ତେଣୁ ଏଥିପାଇଁ ବାୟୁମଣ୍ଡଳ ଅତ୍ୟଧିକ ପ୍ରଦୂଷଣ ହେବା ସହ ଉତ୍ତାପ ବୃଦ୍ଧି, ଜଳବାୟୁ ପରିବର୍ତ୍ତନ ଯୋଗୁ ସାମୁଦ୍ରିକ ଝଡ଼ ଆଦି ବହୁ ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେଉଛି । ଏଥିସହିତ ବାୟୁ ମଣ୍ଡଳ ଅତ୍ୟଧିକ ପ୍ରଦୂଷଣ ହେବା ଯୋଗୁଁ ଦିଲ୍ଲୀ, କୋଲକତା, ମୁମ୍ବାଇ ଆଦି ସହରରେ ଅମ୍ଲଜାନ ପାର୍ଲର ଓ ଚୀନର ରାଜଧାନୀ ବେଜିଂରେ ଦୋକାନ ବଜାରରେ ଅମ୍ଲଜାନ ଥଳିମାନ ବିକ୍ରି ହେଲାଣି । ଏପରିସ୍ଥଳେ ପୃଥିବୀର ବାୟୁ ମଣ୍ଡଳକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ସାଇକେଲ ଚାଳନା ପ୍ରତି ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଆଜି ସୁଇଚ୍ ଅନ୍ ଫାଉଣ୍ଡେସନ ଓ ପ୍ରେରଣା ପକ୍ଷରୁ ମାଷ୍ଟର କ୍ୟାଣ୍ଟିନଛକଠାରୁ ଏକ ସାଇକେଲ ଶୋଭାଯାତ୍ରା ବାହାରି ରାମ ମନ୍ଦିର ଛକ ଦେଇ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପରିକ୍ରମା କରିବା ସହ ସାଇକେଲ ଚଳାନ୍ତୁ, ସୁସ୍ଥ ରୁହନ୍ତୁ ଓ ପୃଥିବୀର ବାୟୁମଣ୍ଡଳକୁ ସୁରକ୍ଷିତ ରଖନ୍ତୁ ଆଦି ନାରା ଦେଇ ପ୍ଲାକାର୍ଡ଼ ପ୍ରଦର୍ଶନ କରି ଏକାମ୍ର ହାଟ ପରିସରରେ ଏକ ସଭାରେ ଏକତ୍ରିତ ହୋଇଥିଲେ । ଏହି ସଭାରେ ପ୍ରେରଣାର ସଭାପତି ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ସାମ୍ପ୍ରତିକ ପରିବେଶ ପ୍ରଦୂଷଣ, ପୃଥିବୀର ଦୂରାବସ୍ଥା ଓ ଆଗାମୀ ପିଢିମାନଙ୍କର ଦୂରାବସ୍ଥା ସମ୍ପର୍କରେ ସଚେତନ କରିବା ସହ ସାଇକେଲ ଚାଳନା ପ୍ରତି ଗୁରୁତ୍ୱ ଦେବା ଓ ଯଥେଷ୍ଟ ବୃକ୍ଷରୋପଣ ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ । ସେହିପରି ସୁଇଚ୍ ଅନ୍ ଫାଉଣ୍ଡେସନର ଓଡ଼ିଶା ପ୍ରୋଜେକ୍ଟ ମ୍ୟାନେଜର ମିହିର କୁମାର ବାରିକ ଏଥିରେ ବକ୍ତବ୍ୟ ପ୍ରଦାନ କରି କହିଲେ ଯେ, ଆଜି ଓଡ଼ିଶା ସମେତ ଭାରତବର୍ଷର ବିଭିନ୍ନ ସହରରେ ସୁଇଚ୍ ଅନ ଫାଉଣ୍ଡେସନ ପକ୍ଷରୁ ପ୍ରେରଣା ପରି ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଅନେକ ସ୍ୱେଚ୍ଛାସେବୀ ସଂଗଠନର ସହଯୋଗରେ ଏହି ସାଇକେଲ ଶୋଭାଯାତ୍ରାମାନ ଆୟୋଜନ କରାଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରୀନ୍ ଆର୍ମିର କମାଣ୍ଡାଣ୍ଟ ଶ୍ରେୟା ମହାନ୍ତି, ନିବେଦିତା ମହାନ୍ତି, ମନୋରଞ୍ଜନ ବାରିକ ପ୍ରମୁଖ ବିଭିନ୍ନ କଲେଜର ଛାତ୍ରଛାତ୍ରୀ, ବିଭିନ୍ନ ସାମାଜିକ ଅନୁଷ୍ଠାନର ସ୍ୱେଚ୍ଛାସେବୀ ତଥା ବୁଦ୍ଧିଜୀବୀମାନେ ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ