ଗଂଜାମ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଜଉଗଡ ସମ୍ମିଳନୀ କକ୍ଷ ଠାରେ ଗଂଜାମ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଦିବ୍ୟାଙ୍ଗ ମାନଙ୍କ ଅଭିଯୋଗ ଶୁଣାଣୀ ପରେ ଜନସାଧାରଣ ମାନଙ୍କ ଶୁଣାଣୀ ହୋଇଥିଲ।। ଏଥିରେ ଗଂଜାମ ଜିଲ୍ଲାପାଳ ଦିବ୍ୟା ଜ୍ୟୋତି ପରିଡା ଓ ଗଂଜାମ ଏସପି ଜଗମୋହନ ମୀନା ଉପସ୍ଥିତ ରହି ରାସନକାର୍ଡ, ଆବାସ ଯୋଜନାରୁ ବାଦ ପଡିଥିବା, ବିଭିନ୍ନ ଭତ୍ତା , ସ୍ୱାସ୍ଥ୍ୟ , ଶିକ୍ଷା ଭଳି ୫୧୦ଟି ଅଭିଯୋଗର ଶୁଣାଣୀ କରିଥିଲେ । ସେଥିମଧ୍ୟରୁ ୪୯୨ଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୧୮ଟି ସାମୁହିକ ରହିଛି । ଘଟଣାସ୍ଥଳରେ ୨୯୩ଟି ଅଭିଯୋଗର ଆସୁ ସମାଧାନ କରାଯାଇଥିବା ବେଳେ ୩ଜଣ ହିତାଧୀକାରୀଙ୍କୁ ରେଡକ୍ରସ ପାଣ୍ଠିରୁ ୫ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲ।। ଆଉ ବଳକା ଅଭିଯୋଗ ଗୁଡିକ ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀ ନିକଟକୁ ପଠାଯାଇଯାଇଛି । ଏହି ଶୁଣାଣୀରେ ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ , ଗଂଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କୀର୍ତ୍ତୀ ହାସନ , ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ନୀଳମାଧବ ଭୋଇ , ଛତ୍ରପୁର ଉପଜିଲ୍ଲପାଳ ପ୍ରସନ୍ନ କୁମାର ପାତ୍ର, ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ବିଡିଓ ଶାରଦା ପ୍ରସନ୍ନ ପଣ୍ଡା, ଗ୍ରିଭେନ୍ସ ଅଧିକାରୀ ଓମ ପ୍ରକାଶ ପରିଡାଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ଥରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।