ସମୁଦ୍ର ସ୍ନାନ ରେ ଜୀବନ ଯାଉଛି

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ଜାହାନିଆଁ ବେଳାଭୁମି ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ। ଏଠାକୁ ପ୍ରତିଦିନ ରାଜ୍ଯ ର ବିଭିନ୍ନ ସ୍ଥାନ ରୁ ଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ତେବେ ଏଠାରେ ସମୁଦ୍ର ପାଲଟିଛି ମରଣଯନ୍ତା। ପ୍ରତି ବର୍ଷ ଏହି ବେଳାଭୂମିରେ କ୍ରମାଗତ ଭାବେ ଗଡୁଛି ପର୍ଯ୍ୟଟକଙ୍କ ମୁଣ୍ଡ। ବଣଭୋଜି କରିବାକୁ ଦୂର ଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ଏଠାରେ ଅସୁରକ୍ଷିତ। ସମୁଦ୍ର ସ୍ନାନ ବେଳେ ଯାଉଛି ଅମୂଲ୍ୟ ଜୀବନ। ବିଗତ ୯ବର୍ଷ ମଧ୍ୟରେ ସମୁଦ୍ରରେ ବୁଡି ୧୭ଜଣ ଯୁବକ ଙ୍କ ଜୀବନ ଗଲାଣି। ପ୍ରଶାସନ ନିଘୋଡ଼ ନିଦ୍ରାରେ। ଅସ୍ତରଙ୍ଗ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧିର ଅନ୍ୟତମ କାରଣ ସାଜିଥିବା ଏହି ପର୍ଯ୍ୟଟନସ୍ଥଳୀରେ ପ୍ରଶାସନ ପକ୍ଷରୁ କୌଣସି ଲାଇଫଗାର୍ଡ ବ୍ୟବସ୍ଥା କରାଯାଉନାହିଁ। ବର୍ଷର ସବୁ ସମୟରେ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ଏହି ବେଳାଭୁମି ଏବେ ସେମାନଙ୍କ ପାଇଁ ଆମୋଦପ୍ରମୋଦ ସ୍ଥଳ ପରିବର୍ତ୍ତେ ମୃତ୍ୟୁର ଫାଶ ଭାବେ ମୁଣ୍ଡ ଟେକିଲାଣି। ସମୁଦ୍ର ସ୍ନାନ ବେଳେ ଅଘଟଣ ଘଟୁଥିବାବେଳେ ମୃତ ଓ ଆହତଙ୍କ ମଧ୍ୟରେ ସର୍ବାଧିକ ଇଂଜିନିୟରିଂ ଛାତ୍ର,କଲେଜ ପଢୁଆ ଛାତ୍ର ଓ ଅମାନିଆ ତଥା ନିଶାସକ୍ତ ଯୁବକ ରହିଛନ୍ତି|ପୀରଜାହାନିଆ ବେଳାଭୂମି ନିକଟରେ ୧୪ ଜଣ, ଦେବୀ ମୁହାଣରେ ୧,କେଳୁଣୀ ମୁହାଣ ନିକଟରେ ୨ ମୁଣ୍ଡ ଯାଇଛି।ସେହିପରି ଏହି ସମୟ ମଧ୍ୟରେ ବୁଡିଯିବା କିମ୍ବା ଭାସିଯାଇ ୪୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ବେଳାମାର୍ଗ ର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସତର୍କ ଫଳକ ଲାଗୁନି ଓ ଲାଇଫ୍ ଗାର୍ଡ ମଧ୍ୟ ନିୟୋଜିତ କରାଯାଉନି।ସଚେତନତା ଅଭାବରୁ ପରିଭ୍ରମଣ ରେ ଆସୁଥିବା ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକମାନେ ସମୁଦ୍ର ସ୍ନାନ କରିବା ବେଳେ ସାମାନ୍ୟ ଅସାବଧାନତା ହେତୁ ପାଦ ପାଦକେ ବିପଦକୁ ଆହ୍ୱାନ କରୁଛନ୍ତି।ମିଳିଥିବା ମୃତ ଓ ଆହତ ରିପୋର୍ଟ ମୁତାବକ ୧୫ଜାନୁଆରୀ୨୦୧୫ରେ ଅସ୍ତରଙ୍ଗ ସ୍ଥିତ ଶ୍ରୀଗଣେଶ ଆଇଟିଆଇର ଜଣେ ଛାତ୍ରର ମୃତ୍ୟୁ ଓ ୨ଜଣ ଆହତ, ୭ ଜାନୁଆରୀ ୨୦୧୬ରେ କଟକର ୪ଜଣ ବୁଡିଯାଇ ୨ଜଣଙ୍କ ମୃତ୍ୟୁ ଓ ୨ଜଣ ଆହତ, ୧୦ ଜାନୁଆରୀ ୨୦୧୭ରେ ବିହାର ବୈଶାଳୀର ପ୍ରତ୍ୟେକ ଉଜ୍ଜୟିନୀ ନାମକ ଯୁବକର ମୃତ୍ୟୁ ଓ ୩ ଆହତ, ସେଇ ମାସ ଜାନୁଆରୀ ୨୬ରେ ବିହାରର ମହମ୍ମଦ ମୋଜାଇଲ୍ ନାମକ ଯୁବକର ମୃତ୍ୟୁ ୧୪ ଡିସେମ୍ବର ରେ ସମ୍ବଲପୁରର ଆଲୋକ ରଞ୍ଜନ ମହାନ୍ତି ଙ୍କ ମୃତ୍ୟୁ,୧୭ଡିସେମ୍ବର୨୦୧୭ରେ ଭୁବନେଶ୍ୱର ସେଣ୍ଟ୍ ଜାଭିୟର ସ୍କୁଲର ଛାତ୍ର ପ୍ରତ୍ୟୁକ ମହାପାତ୍ର ଙ୍କ ମୃତ୍ୟୁ ,୨୦ ଜାନୁଆରୀ ୨୦୧୯ରେ ଭୁବନେଶ୍ୱରସ୍ଥିତ ସିଲିକନ୍ ଇନଷ୍ଟୁଟ୍ ଅଫ୍ ଟେକନୋଲୋଜିର ୩ ଜଣ ଛାତ୍ର ମୃତ ଓ ୨ଜଣ ଆହତ ହେବାର ସୂଚନା ରହିଛି।ଚଳିତମାସ ୨୩ ତାରିଖ ରେ ଜଗତସିଂହପୁର ଜିଲ୍ଲାରରୁ ବୁଲିବାକୁ ଆସିଥିବା ୩ଜଣ ପାଣିରେ ବୁଡି ୨ଜଣଙ୍କର ମୃତ୍ୟୁ ସମେତ ଜଣେ ଆହତ ହୋଇଥିଲେ। ରିପୋର୍ଟ ମୁତାବକ,୨୦୧୬ରେ ୪ମୃତ ଓ ୯ ଆହତ,୨୦୧୭ରେ୨ମୃତ ଓ ୮ ଆହତ,୨୦୧୫ରେ ୧ମୃତ ଓ ସର୍ବାଧିକ ଆହତ ହୋଇଥିଲେ| ସେହିପରି ଦେବୀ ମୁହାଣରେ ଡ଼ଙ୍ଗାବୁଡି ଘଟଣା,କେଳୁଣୀ ମୁହାଣ ନିକଟରେ ଜଣେ ଭାସିଯିବା ଓ ଜଣେ ବୁଡିଯିବା ସୂଚନା ରହିଛି| ବେଳାଭୂମି ରେ ବାରମ୍ବାର ଅଘଟଣ ଘଟିବା ସତ୍ତ୍ୱେ ପ୍ରତିକାର ପାଇଁ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ସଧାରଣରେ ପ୍ରଶାସନ ପ୍ରତି ଆସ୍ଥା ତୁଟୁଛି। ସ୍ଥାନୀୟ ଅଞ୍ଚଳ ର ସ୍ୱେଚ୍ଛାସେବୀ ଓ ପରିବେଶବିତ ସୌମ୍ୟରଞ୍ଜନ ବିଶ୍ୱାଳ ଏ ନେଇ ଚଳିତ ସପ୍ତାହରେ ଅସ୍ତରଙ୍ଗରେ ଅନୁଷ୍ଠିତ ବ୍ଲକସ୍ତରୀୟ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଅଭିଯୋଗ କରି ଅସ୍ତରଙ୍ଗ ଉପକୂଳ ର ଜାହାନିଆଁ ଠାରେ ଲାଇଫ୍ ଗାର୍ଡ ନିୟୋଜିତ କରିବାକୁ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ