ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ବିଜେପିର ପ୍ରତିବାଦ

ବାଲେଶ୍ୱର, (ସରୋଜ ପଣ୍ଡା):ସମ୍ପ୍ରତି ସ୍ଥିତିରେ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ର ଯୋଗ ଦେଇ ଆଇନ ଶୃଙ୍ଖଳା ରକ୍ଷାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ତୀବ୍ର ସମାଲୋଚନା କରିଥିଲେ । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଚରମ ସ୍ଥିତିରେ ପହଞ୍ôଚଥିବା ବେଳେ ନାରୀ ନିର୍ଯାତନା ମାମଲା ଦ୍ରୁତ ଗତିରେ ବଢ଼ି ଚାଲିଛି । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିବା ବେଳେ ଶାସକ ଦଳର ମନ୍ତ୍ରୀଙ୍କୁ ଦ୍ୱିନ ଦ୍ୱିପ୍ରହରରେ ହତ୍ୟା କରାଗଲା । ରାଜ୍ୟର ନେତାମନ୍ତ୍ରୀ ଯେତେବେଳେ ଅସୁରକ୍ଷିତ ସେତେବେଳେ ସାଧାରଣ ଜନତାଙ୍କ ସ୍ଥିତି ବେଶ ଅନୁମେୟ । ସେହିଭଳି ବାଲେଶ୍ୱର ଜିଲା ଏବେ ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେମାନେ କ୍ଷୋଭର ସହ ପ୍ରକାଶ କରିଥିଲେ । ତେବେ ଜିଲାରେ ହେଉଥିବା ଛୋଟବଡ଼ ସବୁ ଅପରାଧରେ ଥିବା ଶାସକଦଳର ସମ୍ପୃକ୍ତି ପୁଲିସ-ପ୍ରଶାସନକୁ ଅଡ଼ୁଆରେ ପକାଇଛି । ଶାସକ ଦଳର ନେତାଙ୍କ ହସ୍ତକ୍ଷେପ ଯୋଗୁଁ ପୁଲିସ ଓ ପ୍ରଶାସନିକ ଅଧିକାରୀ କର୍ତ୍ତବ୍ୟଶୂନ୍ୟ ହୋଇପଡ଼ିଛନ୍ତି ବୋଲି ସେମାନେ ଆରୋପ ଉଠାଇଥିଲେ । ବାଲେଶ୍ୱର ଉପ-ଜିଲାପାଳ ମାଡ଼ ଖାଇବା ପରେ ଅପରେସନ ସ୍ୟାଣ୍ଡଷ୍ଟର୍ମ ଆରମ୍ଭ ହେଲା, ମାତ୍ର ପୂର୍ବରୁ ପ୍ରଶାସନ କାହିଁକି ଶୋଇଥିଲା ବୋଲି ସାଂସଦ ଶ୍ରୀ ଷଡ଼ଙ୍ଗୀ ପ୍ରଶ୍ନ କରିଥିଲେ । ଜିଲାରେ ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣରେ ମାଫିଆଙ୍କ ସହ ଶାସକଦଳର ସମ୍ପୃକ୍ତିକୁ ପୁଲିସ କିମ୍ବା ପ୍ରଶାସନ ପର୍ଦାଫାସ କରୁନାହିଁ । ଅନ୍ୟପକ୍ଷରେ ସହର ମଧ୍ୟରେ ଓ ଉପକଣ୍ଠରେ ୬ଟି ଥାନା ଏବଂ ୧୦ରୁ ଉର୍ଦ୍ଧ୍ୱ ଫାଣ୍ଡି ରହିଥିବା ବେଳେ ପୁରୁଣାବାଲେଶ୍ୱରରେ ବେଆଇନ ମଦ କାରବାର ବନ୍ଦ ହୋଇ ନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ କହିଥିଲେ । ରାଜ୍ୟ ଅବକାରୀ ମନ୍ତ୍ରୀ ବାଲେଶ୍ୱର ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିଲେ ବି ଏଠାରେ ଅବକାରୀ ଭିତ୍ତିଭୂମି ସଜାଡ଼ିବାକୁ ତାଙ୍କର ଆନ୍ତରିକତା ନାହିଁ ବୋଲି ସାଂସଦ କହିଥିଲେ । ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପ୍ରତିବାଦ ସଭାରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଓ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ସମେତ ଅଂଶୁମାନ ମହାନ୍ତି, ରାକେଶ ମଲ୍ଲିକ, ଶୁଭଙ୍କର ମହାପାତ୍ର, ଶୋଭନା ମହାନ୍ତି, ଠାକୁର ରଣଜିତ ଦାସ, ସତ୍ୟଜିତ ମିଶ୍ର, ପର୍ଶୁରାମ ପରିଡ଼ା ଏବଂ ଈଶ୍ୱର ଚନ୍ଦ୍ର ବେହେରା ପ୍ରମୁଖ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଫଳତାକୁ ତୀବ୍ର ସମାଲୋଚନା କରିଥିଲେ । ମହିଳା ଓ ଯୁବତୀ ଅପହରଣ ସମେତ ଶହଶହ ଏକର ସରକାରୀ ଜମି ଏବେ ମାଫିଆଙ୍କ କବଜାରେ ରାହିଛି ବୋଲି ଆରୋପ କରିଥିଲେ । ଏହା ଦ୍ୱାରା ସରକାରଙ୍କ ଅର୍ଦ୍ଧାଧିକ ଯୋଜନା ଫେଲ ମାରିବା ସହିତ ବାଟମାରଣା ମଧ୍ୟ ହେଉଛି ବୋଲ ସେମାନେ କହିଥିଲେ । ବିଜେପିର ଜିଲ୍ଲାସ୍ତରୀୟ ସମସ୍ତ ପଦାଧିକାରୀ, ମଣ୍ଡଳ ସଭାପତି, ମୋର୍ଚ୍ଚା ସଭାପତି ସମେତ ଶତାଧିକ ଦଳୀୟ କର୍ମୀ ଏହି ବିକ୍ଷୋଭ ସମାବେଶରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ