ଗଣ୍ଡ ସାଂସ୍କୃତିକ ସମାଜର ଦ୍ୱିତୀୟ ବାର୍ଷିକ ସାଧାରଣ ବୈଠକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରବିବାର ଦିନ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନୟର୍ସ ଭବନଠାରେ ଅଲ ଓଡ଼ିଶା ଗଣ୍ଡ ସାଂସ୍କୃତିକ ସମାଜର ଦ୍ୱିତୀୟ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ‘ଏକତା ହିଁ ଉନ୍ନତିର ମାର୍ଗଦର୍ଶକ’ ଶୀର୍ଷକ ଆଲୋଚନା ଚକ୍ରରେ ଭାଗ ନେଇ ସାରା ରାଜ୍ୟରୁ ୧୮ଟି ଜିଲ୍ଲାରୁ ଆସିଥିବା ଗଣ୍ଡ ସମ୍ପ୍ରଦାୟର ପ୍ରତିନିଧିମାନେ ଗଣ୍ଡ ସମାଜର ସୁରକ୍ଷା ଓ ଉନ୍ନତି ପାଇଁ ଆଗକୁ କାର୍ଯ୍ୟ କରି ଚାଲିବେ ବୋଲି ଦୃଢ ନିଷ୍ପତ୍ତି ଗ୍ରହଣ କରିବାକୁ ବଦ୍ଧପରିକର ବୋଲି ଘୋଷଣା କରାଯାଇଥିଲା । ଗଣ୍ଡ ସାଂସ୍କୃତିକ ସମାଜର ରାଜ୍ୟ ସଭାପତି ଶ୍ରୀ ଖଗେଶ୍ୱର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ୧୮ଟି ଜିଲ୍ଲାର ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ ଓ ଅନ୍ୟାନ୍ୟ ରାଜ୍ୟସ୍ତରୀୟ ପଦାଧିକାରୀମାନେ ଯୋଗ ଦେଇ ଗଣ୍ଡ ସମାଜର ଉନ୍ନତି କରିବା ସହ ଗଣ୍ଡ ସମାଜରେ ଅବହେଳିତ ଲୋକମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ କରିବା, ସମସ୍ତେ ଏକ ମନ ପ୍ରାଣ ଦେଇ ଗଣ୍ଡ ସଦସ୍ୟମାନଙ୍କୁ ସହଯୋଗର ହାତ ବଢାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥଭାବେ ମାନ୍ୟବର ଉମରକୋଟ ବିଧାୟକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଗଣ୍ଡ ସମାଜର ନୀତି, ପରମ୍ପରା, ଭାଷା ଓ ସଂସ୍କୃତିର ସୁରକ୍ଷା ଏବଂ ଆଗାମୀ ଦିନରେ ଗଣ୍ଡ ଛାତ୍ରଛାତ୍ରୀମାନଙ୍କୁ ପାଠପଢାରେ ସହଯୋଗ କରିବା ପାଇଁ ଦରକାର ପଡ଼ିଲେ ସରକାରଙ୍କ ଠାରୁ ପ୍ରୋତ୍ସାହନ ପାଇବା ପାଇଁ ଆମ ଚେଷ୍ଟା ଜାରି ରହିବ ବୋଲି କହିଥିଲେ । ସେଥିପାଇଁ ଗାଁରୁ ରାଜଧାନୀ ପର୍ଯ୍ୟନ୍ତ ପ୍ରତ୍ୟେକ ଗଣ୍ଡ ସମାଜର ଭାଇ ଭଉଣୀମାନେ ଦୃଢ ନିଷ୍ପତ୍ତି ନେଇ ବହୁ କଷ୍ଟ ସହି ସମାଜ ପାଇଁ କାମ କରିବାକୁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଗଣ୍ଡ ସମାଜର ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ନାୟକ କହିଲେ ଯେ, ୧୮ଟି ଜିଲ୍ଲାରୁ ୫୦୦ରୁ ଉର୍ଦ୍ଧ୍ୱ ଗଣ୍ଡ ସମ୍ପ୍ରଦାୟ ଆଜିର ବୈଠକରେ ଯୋଗ ଦେଇଥିବାରୁ, ଗଣ୍ଡ ସମାଜ ଉନ୍ନତି ପାଇଁ କି କି ପଦକ୍ଷେପ ନିଆଯିବ, ସେ ବାବଦରେ ଆଲୋଚନା ଚାଲିଛି । ଆଲୋଚନା ପରେ ଗଣ୍ଡ ସମାଜର ବିକାଶ ପାଇଁ ସହଯୋଗ କରିବାକୁ ସରକାରଙ୍କୁ ନିବେଦନ କରାଯିବ । ଗଣ୍ଡ ସମାଜର ଆର୍ଥିକ, ଶିକ୍ଷାଗତ କ୍ଷେତ୍ରରେ ଉନ୍ନତି ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ସମ୍ପାଦକ ଶ୍ରୀ ନାୟକ ଆହ୍ୱାନ ଦେଇଛନ୍ତି । ସେହିଭଳି ଗଣ୍ଡ ସମାଜର ଉନ୍ନତି ପାଇଁ ୪୧ଟି ଉଦ୍ଦେଶ୍ୟ ରଖିଛି, ସେଥିମଧ୍ୟରୁ ଓଡ଼ିଶାର ପ୍ରତ୍ୟେକ ବ୍ଲକରେ ଶିକ୍ଷା ତାଲିମ କେନ୍ଦ୍ର ଖୋଲି ଗଣ୍ଡ ସମାଜର ପିଲାମାନଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିବୁ, ଗଣ୍ଡ ସମାଜର ଶିକ୍ଷତ ବେକାରୀ ଯୁବକମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ ପଦକ୍ଷେପ ନିଆଯିବ ସଭାପତି ଖଗେଶ୍ୱର ନାୟକ ସୂଚନା ଦେଇଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗଣ୍ଡ ସମାଜର ଦୁଇ ପୂର୍ବତନ ସଭାପତି କୈଳାସ ଚନ୍ଦ୍ର ନାୟକ, ଜୟପାଳ ନାୟକ, କାଜୁ ନିଗମର ପରିଚାଳନା ନର୍ଦ୍ଦେଶକ ସଦାନନ୍ଦ ନାୟକ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକ ଶ୍ରୀ ସଦାନନ୍ଦ ନାୟକ ପରିଚାଳନା କରିଥିଲେ ।


