କୋଣାର୍କରେ ପ୍ରବାଦପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳିତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଓଡ଼ିଶାର ମୁକୁଟ ବିହୀନ ସମ୍ରାଟ, ପ୍ରବାଦପୁରୁଷ ତଥା ଭୂତପୂର୍ବ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ ପାଳନ ଅବସରରେ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ଚନ୍ଦ୍ରଭାଗା ଠାରେ ପ୍ରବାଦପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଭବ୍ଯ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି। ଖବରରୁ ପ୍ରକାଶ ଯେ କାକଟପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୁରୀ ଜିଲ୍ଲା ବିଜେଡି ଅନୁସୂଚିତ ଜାତି ସଭାପତି ସୁରେନ୍ଦ୍ର ସେଠୀ ଶତାଧିକ ବିଜେଡି ଦଳର ପୁରୁଖା କର୍ମୀ ମାନଙ୍କ ଗହଣରେ ଏକ ପଟୁଆରରେ ଯାଇ ଚନ୍ଦ୍ରଭାଗା ଠାରେ ଥିବା ପ୍ରବାଦପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହି ଅବସରରେ କାକଟପୁର ବିଧାୟକ ଶ୍ରୀ ସେଠୀ ଓଡ଼ିଶା ଗଠନରେ ବିଜୁବାବୁଙ୍କ ଅମ୍ଲାନ ତ୍ଯାଗ ଓ ବୀରତ୍ବର ଗାଥା ସମ୍ପର୍କରେ ଆଲୋକପାତ କରିଥିଲେ। ପୂର୍ବତନ ବିଧାୟକ ଶ୍ରୀ ସେଠୀଙ୍କ ସହିତ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ କୁମାର ପାତ୍ର, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, କାକଟପୁର ବ୍ଲକର ବରିଷ୍ଠ ବିଜେଡି ନେତା ପ୍ରମୋଦ କିଶୋର ଦାସଙ୍କ ସମେତ ବହୁ ପୁରୁଖା ବିଜେଡି କର୍ମୀ ଉପସ୍ଥିତ ରହି ବିଜୁବାବୁଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହି ଅବସରରେ ପୂର୍ବତନ ବିଧାୟକ ଶ୍ରୀ ସେଠୀଙ୍କ ସମର୍ଥକ ମାନଙ୍କୁ ନେଇ ଚନ୍ଦ୍ରଭାଗା ବେଳାଭୂମି ସଫେଇ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ କାକଟପୁର ବିଧାୟକ ତଥା କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ନିଜ ସମର୍ଥକଙ୍କ ସହିତ କୋଣାର୍କ ବିଜୁଜନତା ଦଳ କାର୍ଯ୍ୟାଳୟ ଠାରୁ ସାଇକେଲ ଶୋଭାଯାତ୍ରା କରି ଚନ୍ଦ୍ରଭାଗା ଠାରେ ପହଞ୍ଚି ଥିଲେ। ଚନ୍ଦ୍ରଭାଗା ବଜାର ଠାରେ ଥିବା ପ୍ରବାଦପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ କାକଟପୁର ବିଧାୟକ ତଥା କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ପୁଷ୍ପମାଲ୍ଯ ଅର୍ପଣ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ଓଡିଶାର ସ୍ବାଭିମାନର ପ୍ରତୀକ ହେଉଛନ୍ତି ବିଜୁବାବୁ। ସମୃଦ୍ଧ ଓଡିଶା ଗଠନରେ ତାଙ୍କର ଅମ୍ଲାନ ତ୍ଯାଗ ଓଡିଶା ବାସୀଙ୍କ ପାଇଁ ଚିର ସ୍ମରଣୀୟ ହୋଇ ରହିଛି। ସାମ୍ପ୍ରତିକ ସମୟରେ ଯୁବ ସମାଜ ସ୍ବର୍ଗତ ପ୍ରବାଦପୁରୁଷ ବିଜୁବାବୁଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ପ୍ରଗତିଶୀଳ ପ୍ରଦେଶ ଗଠନରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ। ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ଚନ୍ଦ୍ରଭାଗା ଠାରେ ମନ୍ତ୍ରୀ ଶ୍ରୀ ବେହେରାଙ୍କ ସହିତ ଜଗତସିଂହପୁର ସାଂସଦଙ୍କ କୋଣାର୍କ ଏନଏସି ପ୍ରତିନିଧି ପଦ୍ମ ଚରଣ ବେଉରା, କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, କୋଣାର୍କ ଏନଏସି ବିଜେଡି ସଭାପତି ଗୋପାଳ ଚନ୍ଦ୍ର ବେହେରା, କାଉନସିଲର ବିଶ୍ବମ୍ବର ବିଶ୍ବାଳଙ୍କ ସମେତ କୋଣାର୍କ ଏନଏସି ଓ ନିର୍ବାଚନ ମଣ୍ଡଳୀର ବିଜେଡ଼ି ନେତା ଓ କର୍ମୀ ମାନେ ଯୋଗଦାନ କରି ବିଜୁବାବୁଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହି ଅବସରରେ କାକଟପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ ଚନ୍ଦ୍ରଭାଗା ଠାରେ ପହଞ୍ଚି ପ୍ରବାଦପୁରୁଷ ବିଜୁବାବୁଙ୍କ ଜୟନ୍ତୀ ଉପଲକ୍ଷେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।


