ସବୁଜ ଭାରତ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଓଡ଼ିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସବୁଜ ଭାରତ ତରଫରୁ ସୋମବାର ଦିନ ଭୁବନେଶ୍ୱରସ୍ଥିତ ସତ୍ୟଭାମାଦେବୀ କଲେଜ ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଯୋଗ ଦେଇ କହିଲେ ଯେ, ମହିଳାମାନେ ଘରୋଇ ହିଂସାରୁ ନିଜକୁ ଦୂରେଇ ରଖି ନିଜେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଆଗେଇ ଆସିବା ଦରକାର । ଏଥିସହିତ ମହିଳାମାନେ ଦୃଢମନା ହୋଇ ବାହ୍ୟ ଆକ୍ରମଣରୁ ନିଜକୁ ନିଜେ ସୁରକ୍ଷିତ ରଖିପାରିଲେ, ସମାଜରୁ ଆପେ ଆପେ ନାରୀ ନିର୍ଯ୍ୟାତନା ଲୋପ ପାଇଯିବ । ସମ୍ମାନିତ ଅତିଥି ଭାବେ ଓଡ଼ିଶା ମିରର ସମ୍ପାଦକ ଦିଲ୍ଲୀପ ବିଶ୍ୱାଳ, ସମାଜସେବୀ ମାନସୀ ପାଢୀ, ସ୍ଥାନୀୟ କର୍ପୋରେଟର ପୁଷ୍ପ ରାଉତ, ମୁଖ୍ୟ ବକ୍ତା ଭାବରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ପ୍ରାକ୍ତନ ସଦସ୍ୟ ଶ୍ରୀଯୁକ୍ତ ସୁରେନ୍ଦ୍ର ଛୋଟରାୟ ପ୍ରମୁଖ ଯୋଗ ଦେଇଥିଲେ । ବର୍ତ୍ତମାନ ନାରୀମାନଙ୍କ ଉପରେ ଯେଉଁଭଳି ଭାବରେ ଦିନକୁ ଦିନ ନିର୍ଯ୍ୟାତନା ବଢିଚାଲିଛି, ତାକୁ ଦୃଢତାର ସହ ମୁକାବିଲା କରିବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏଥିପାଇଁ ମହିଳାମାନେ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ । ଏଥି ସହିତ ମହିଳାମାନେ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ପ୍ରତ୍ୟେକ କ୍ଷେତ୍ରରେ ଉଦ୍ୟମ ଜାରି ରଖିବା ଦରକାର । ତେବେ ଯାଇ ରାଜ୍ୟ ତଥା ରାଜ୍ୟରୁ ଅନ୍ୟାୟ, ଅତ୍ୟାଚା, ଭ୍ରଷ୍ଟାଚାର ଆପେ ଆପେ ଦୂର ହୋଇପାରିବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ ।ସବୁଜ ଭାରତର ସଭାପତି ସତ୍ୟବ୍ରତ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ଲିଙ୍ଗଭିତ୍ତିକ ସମାନତା ପାଇଁ ନୂତନତ୍ୱ ଏବଂ ବୈଷୟିକ ଜ୍ଞାନ ଆହରଣ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲେ । ଏଥିରେ ଅତିଥିମାନେ ମହିଳାମାନଙ୍କ ବୈଷୟିକ ଜ୍ଞାନ ଆହରଣ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ସମାଜରେ ମହିଳାମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ କର୍ପୋରେଟର ଶ୍ରୀମତୀ ରଞ୍ଜୁଲତା ରାୟ, ସମାଜସେବୀ ନିବେଦିତା ଲେଙ୍କା, ବିନୋଦିନୀ ମହାନ୍ତ, ସସ୍ମିତା ବେହେରା, ରାଜମିତ୍ରା ପ୍ରହରାଜ, ଆରତୀ ମିଶ୍ର ଏବଂ ସତ୍ୟଶାନ୍ତି ଏସ୍‌ଏଚ୍‌ଜି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଅତିଥିମାନେ ଉତ୍ତରୀୟ, ମାନପତ୍ର ଓ ସାର୍ଟିଫିକେଟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୀଳକଣ୍ଠ ଦାସ, କୃଷ୍ଣ ଚମ୍ପତ୍ତି ରାୟ, ପ୍ରଫେସର ରମେଶ ଚନ୍ଦ୍ର ପାତାଳସିଂ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ସଂଘମିତ୍ରା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ