ଜିଲ୍ଲାସ୍ତରୀୟ ଅଂଶୁଘାତ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଓସୱାନ ଭିଡିଓ କନଫରେନ୍ସ ଗୃହରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପୀତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅଂଶୁଘାତ ମୁକାବିଲା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଗ୍ରୀଷ୍ମଋତୁରେ ପିଇବା ପାଣି ଏବଂ ଅଂଶୁଘାତ ସମସ୍ୟା ଓ ତାର ସଫଳ ମୁକାବିଲା ପାଇଁ ଆବଶ୍ୟକୀୟ ପଦକ୍ଷେପ ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଥିଲା । ଗ୍ରୀଷ୍ମଋତୁରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟାକୁ ଶୂନ୍ୟ କରିବା ଏହି ବୈଠକର ମୂଳ ଲକ୍ଷ୍ୟ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଥିଲେ । ଅଂଶୁଘାତର ଶିକାର ନହେବା ପାଇଁ ସତର୍କତା, ପ୍ରତିକାର ଆଦି ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରାଯିବା ଉପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲ ପ୍ରାଧାନ୍ୟ ଦେଇଥିଲେ । ଜିଲ୍ଲାର ଅଙ୍ଗନୱାଡି କେନ୍ଦ୍ର ଓ ସ୍କୁଲ ମାନଙ୍କରେ ପର୍ଯ୍ୟାପ୍ତ ପରିମାଣର ଓ.ଆର.ଏସ୍ ପ୍ୟାକେଟ୍ ମହଜୁଦ ରଖିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପାଇପ୍ ଓ ନଳକୂପ ଜରିଆରେ ସମସ୍ତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଯେପରି କାର୍ଯ୍ୟକ୍ଷମ ଥାଏ ସେ ନେଇ ନିଶ୍ଚିନ୍ତ କରାଇବା ସହ ଜଳକ୍ଳିଷ୍ଟ ଅଞ୍ଚଳକୁ ଚିହ୍ନଟ କରାଯାଇ ଟ୍ୟାଙ୍କର ଯୋଗେ ଜଳ ଯୋଗାଇବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିପାଇଁ ବ୍ଲକ ଓ ଗ୍ରାମପଞ୍ଚାୟତ ସ୍ତରରେ ଜନ ପ୍ରତିନିଧି, ସମ୍ପୃକ୍ତ କ୍ଷେତ୍ର କର୍ମଚାରୀ ଓ ସ୍ଥାନୀୟ ଏନଜିଓ ସଂସ୍ଥାକୁ ନେଇ ସଚେତନାମୂଳକ ବୈଠକ ଆୟୋଜନ କରିବାକୁ ସମ୍ପୃକ୍ତ ବ୍ଲକ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଦିନ ୧୦ଟାରୁ ଅପରାହ୍ନ ୩ଟା ମଧ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଅଂଶୁଘାତର ଆଶଙ୍କା ଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ସମୟସୀମା ମଧ୍ୟରେ ଶ୍ରମିକମାନଙ୍କୁ କାର୍ଯ୍ୟରେ ନଲଗାଇବା ସହ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ଛାୟାର ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସଡକ ପରିବହନ ବ୍ୟବସ୍ଥାରେ ବସ୍ମାନଙ୍କରେ ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ଓ.ଆର.ଏସ୍ ପ୍ୟାକେଟ ଆଦି ମହଜୁଦ ରଖାଯିବା, ଖୋଲାଗାଡିରେ ଶ୍ରମିକମାନଙ୍କୁ ପରିବହନ ନ କରିବା, ଓଭରଲୋଡିଂ ନକରାଯିବା ଆଦି ତଦାରଖ ପାଇଁ ଆର.ଟି.ଓ ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ବସ୍ ଓ ଟ୍ରକ୍ ମାଲିକ ସଂଘର କର୍ମକର୍ତ୍ତାମାନେ ଏ ଦିଗରେ ଡ୍ରାଇଭର ଓ କର୍ମଚାରୀମାନଙ୍କୁ ସତର୍କ କରାଇବା ଆବଶ୍ୟକ ରହିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍କୁଲ, କଲେଜରେ ଶିକ୍ଷାଦାନ ବ୍ୟବସ୍ଥା କରାଇବାସହ ଛୋଟ ଛୋଟ ପିଲାମାନଙ୍କ ପାଇଁ ପାନୀୟ ଜଳର ସୁବ୍ୟବସ୍ଥା ସହ ଶିକ୍ଷକ/ଶିକ୍ଷୟତ୍ରୀମାନେ ଛତା ଓ ପାଣି ବୋତଲ ସାଙ୍ଗରେ ଆଣିବାକୁ ନିର୍ଦ୍ଦେଶ ଦେବାକୁ ଶିକ୍ଷା ଅଧିକାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ହାଟ, ଜନଗହଳି ଓ ଛକ ଜାଗା ମାନଙ୍କରେ ବ୍ଲକ ଓ ପୌର ପ୍ରଶାସନ ଦ୍ୱାରା ପରିଷ୍କାର ଓ ସ୍ୱାସ୍ଥ୍ୟକାର ଜଳଛତ୍ର ବ୍ୟବସ୍ଥା କରିବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଂଶୁଘାତ ଚିକିତ୍ସା ପାଇଁ ସ୍ୱତନ୍ତ୍ର କୋଠରୀ ଓ ଶଯ୍ୟା, ଡାକ୍ତର, ନର୍ସ, ନିରବଚ୍ଛିନ୍ନ ବିଦ୍ୟୁତ ପ୍ରବାହ, ପର୍ଯ୍ୟାପ୍ତ ପରିମାଣରେ ଓ.ଆର.ଏସ. ପ୍ୟାକେଟ ମହଜୁଦ ରଖିବା ସହ ୨୪ଢ୭ ନିୟନ୍ତ୍ରଣ କକ୍ଷ, ତହସିଲ, ବ୍ଲକ, ପି.ଏଚ.ସି, ପୌରାଞ୍ଚଳ, ଆର.ଡବ୍ଲୁ.ଏସ.ଏସ. ଆଦି ସରକାରୀ ଅଫିସଗୁଡିକରେ ୨୪ଢ୭ ନିୟନ୍ତ୍ରଣ କକ୍ଷ ଖୋଲିବା, ଖରାବେଳେ ଗୃହପାଳିତ ପଶୁମାନଙ୍କୁ ବାହାରକୁ ନଛାଡିବା ଓ ସେମାନଙ୍କପାଇଁ ଆବଶ୍ୟକ ସ୍ଥାନ ଯଥା ପୋଖରୀ, କେନାଲରେ ଜଳ ଯୋଗାଇବା ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଟିପିସିଓଡିଏଲ ଅଧିକାରୀଙ୍କୁ ଅଂଶୁଘାତ ଆଶଙ୍କା ଥିବା ସମୟ ମଧ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ ପ୍ରବାହ ଯୋଗାଇବାକୁ ପରାମର୍ଶ ଦିଆଯାଇଥିଲା । ଅଂଶୁଘାତଜନିତ ମୃତ୍ୟୁ ଖବର ୨୪ ଘଣ୍ଟା ମଧ୍ୟରେ ପ୍ରଶାସନକୁ ଜଣାଇବା ସହ ଡାକ୍ତର ଓ ସ୍ଥାନୀୟ ତହସିଲଦାରଙ୍କ ଦ୍ୱାରା ଯୁଗ୍ମ ତଦନ୍ତ କରାଯାଇ ଶବ ବ୍ୟବଚ୍ଛେଦ ରିପୋର୍ଟ ୩୬ ଘଣ୍ଟା ମଧ୍ୟରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଅବଗତ କରାଇବା ପାଇଁ ଉଦ୍ଦିଷ୍ଟ ନିୟମ ସମ୍ବନ୍ଧରେ ବୈଠକରେ ଆଲୋଚନା କରାଯାଇଥିଲା । ବୈଠକରେ ଜିଲ୍ଲା ମୁଖ୍ୟ ପଶୁଚିକିତ୍ସାଧିକାରୀ, ଡେପୁଟି କଲେକ୍ଟର ଜରୁରିକାଳିନ ଅନନ୍ୟା ତ୍ରିପାଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ, ଜିଲ୍ଲା ପରିବହନ ଅଧିକାରୀ ଧିରେନ୍ଦ୍ର କୁମାର ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆର ସିଂ, ବିଭିନ୍ନ ଲାଇନ ଡିପାର୍ଟମେଣ୍ଟଙ୍କ ସହ ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଜିଲ୍ଲାସ୍ତରୀୟ ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ଓ ସମ୍ପୃକ୍ତ ବ୍ଲକସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।


