ଛୟାଳସିଂ-ସେଣ୍ଢତୀରା ଆର୍.ଡି ରାସ୍ତା ମରଣଯନ୍ତା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ଗ୍ରାମ ଉନ୍ନୟନ ବିଭାଗ ଅଧିନ ଛୟାଳସିଂ-ସେଣ୍ଢତୀରା ଭାୟା ରାଧାନଗର ଆର୍.ଡି ରାସ୍ତା ମରାମତି ଅଭାବରୁ ଏବେ ମରଣଯନ୍ତା ପାଲଟିଛି । ଏହି ରାସ୍ତା ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛନ୍ତି । ପ୍ରକାଶ ଯେ, ଛୟାଳସିଂ- ସେଣ୍ଢତୀରା ୫କିମି ଦୀର୍ଘ ବିଶିଷ୍ଟ ଆର୍.ଡି ରାସ୍ତା ଉପରେ ଛୟାଳସିଂ, ଗଣିଜାଙ୍ଗ, ସେଣ୍ଢତୀରା, ନିଳୋକ ଆଦି ପଞ୍ଚାୟତର ହଜାର ହଜାର ଲୋକେ ଦୈନନ୍ଦିନ ନିର୍ଭର କରିଥାନ୍ତି । ସେଣ୍ଢତୀରା ବଜାର ଠାରୁ ଛୟାଳସିଂ ବଜାର ଠାରେ ୫୩ନଂ. ରାଜ୍ୟ ରାଜପଥକୁ ଏହି ରାସ୍ତା ସଂଯୋଗ କରିଛି । ଏହି ରାସ୍ତା ଦେଇ ଜିଲା ସଦର ମହକୁମାକୁ ଲୋକ ମାନେ ଜରୁରୀ କାର୍ଯ୍ୟରେ ଯାଇଥାନ୍ତି । ସେହିପରି ଏହି ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଲେ ଭଦ୍ରକ, ଆଗରପଡା ଓ ଭଣ୍ଡାରିପୋଖରୀରୁ ଦମକଳ ଗାଡି ଏହି ରାସ୍ତା ଦେଇ ଆସିଥାଏ । ସେହିପରି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଜରୁରୀସ୍ଥିତିରେ ରୋଗୀ ମାନେ ଏହି ରାସ୍ତା ଦେଇ ଯାଇଥାନ୍ତି । ଏଥିସହ ବନ୍ତ, ଆଗରପଡା, କେନ୍ଦୁଆପଦା ଓ ଭଦ୍ରକ ମହାବିଦ୍ୟାଳୟ ସମେତ ବିଭିନ୍ନ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ପାଠ ପଢିବାକୁ ଯାଇଥାନ୍ତି । ଏପରିପେକ୍ଷୀରେ ଗତ ୫ ବର୍ଷ ପୂର୍ବେ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ଏହି ରାସ୍ତାକୁ ମରାମତି କରାଯାଇଥିଲ । ନିମ୍ନମାନର କାର୍ଯ୍ୟ ଯୋଗୁଁ ତାହା ୨ ବର୍ଷ ମଧ୍ୟରେ ନଷ୍ଟ ହୋଇଗଲା । ଏବେ ଦୀର୍ଘ ୩ ବର୍ଷ ହେବ ଏହି ରାସ୍ତା ମରଣଯନ୍ତା ପାଲଟିଛି । ରାସ୍ତାରେ ପିଚୁ ଓ ମେଟାଲ ଉଠିବା ସହ ରାସ୍ତା ସାରା ଖାଲଖମାରେ ପରିଣତ ହୋଇଛି । ବର୍ଷା ଦିନେ ଆଣ୍ଠୁଏ ପାଣି ଓ ଖରା ଦିନେ ଖାଲଖମାରେ ବହୁ କଷ୍ଟରେ ଲୋକେ ଯାତାୟତ କରୁଛନ୍ତି । ଏସଂପର୍କରେ ଛୟାଳସିଂ ଓ ସେଣ୍ଢତୀରା ପଞ୍ଚାୟତର ଲୋକ ମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।


