ଦାଦାସାହେବ କାଂଶୀରାମଙ୍କ ଜନ୍ମଜୟନ୍ତୀ ପାଳନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିର ସଭାଗୃହରେ ଦାଦାସାହେବ ମାନ୍ୟବର କାଂଶୀରାମଙ୍କ ୮୮ତମ ଜନ୍ମ ଜୟନ୍ତୀ ଉତ୍ସବ ଯୁବନେତା ବିଦ୍ୟାଧର ଦେହୁରୀଙ୍କ ସଭାପତିତ୍ୱରେ ପାଳନ ହୋଇଯାଇଛି । ମାନ୍ୟବର କାଂଶୀରାମ ୧୯୩୪ ମସିହା ମାର୍ଚ୍ଚ ୧୫ ତାରିଖରେ ଉତ୍ତର ପ୍ରଦେଶର ରୂପନଗରଠାରେ ଏକ ଦଳିତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେତେବେଳେ ଉତ୍ତରପ୍ରଦେଶରେ ଦଳିତମାନଙ୍କର ଶିକ୍ଷାର ଅଧିକାର ନଥିବାରୁ ତାଙ୍କ ବାପା ପଞ୍ଜାବ ରାଜ୍ୟକୁ ଯାଇ ନିରଙ୍କାରୀ ଧର୍ମ ଗ୍ରହଣ କରି ତାଙ୍କୁ ବିଜ୍ଞାନରେ ସ୍ନାତକ ଶିକ୍ଷା ଦେଇପାରିଥିଲେ । ସେ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିବା ସମୟରେ ଦୀନାଭାନା ନାମକ ଏକ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଆଦର୍ଶରେ ପ୍ରଭାବିତ ହୋଇ ନିଜର ପଦବୀ ତ୍ୟାଗ କରିଥିଲେ । ଏହି ସଭାରେ ବକ୍ତାମାନେ କାଂଶୀରାମଙ୍କର ମହାନତା, ଦେଶପ୍ରେମ ଓ ଦଳିତ ଆଦିବାସୀଙ୍କ ପାଇଁ ଉତ୍ସର୍ଗୀକୃତ ଅବଦାନ ବିଷୟରେ ଆଲୋକପାତ କରିଥିଲେ । ଭଗବାନ ବୁଦ୍ଧଙ୍କ ନୀତି ଆଦର୍ଶ, ଡଃ ବାବାସାହେବ ଆମ୍ବେଦକରଙ୍କ ସାମ୍ବିଧାନିକ ବ୍ୟବସ୍ଥାକୁ ସେ ବାସ୍ତବରେ କାର୍ଯ୍ୟକାରୀ କରାଇ ପାରିଥିଲେ, ଯାହାଦ୍ୱାରା ସେ ଉତ୍ତର ପ୍ରଦେଶରେ ଏକ ଦଳିତ ମହିଳାକୁ ବହୁବାର ମୁଖ୍ୟମନ୍ତ୍ରୀ କରାଇ ପାରିଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଭଜମନ ବେହେରା, ବିଶିଷ୍ଟ ଅତିଥି ଭାବେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀଯୁକ୍ତ ଜନ୍ମେଜୟ ହେମ୍ବ୍ରମ ଓ ଇଂ ଅଲେଖ ଚନ୍ଦ୍ର ମଲ୍ଲିକ ଯୋଗ ଦେଇଥିଲେ । ମୂଳନିବାସୀ ୟୁନାଇଟେଡ୍ ଫୋରମ୍‌ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ନିହାର ସାମଲ ମୁଖ୍ୟବକ୍ତା, ଶେଖ ଅବଦୁଲ ୱାଲି, ମନୋରଞ୍ଜନ ଜେନା, ରବି ସେଠୀ, ସୁରେଶ ନାୟକ, ଅମୀୟ ସେଠୀ, ଶ୍ରୀମତୀ ପ୍ରମୋଦିନୀ ମଲ୍ଲିକ, ଅଞ୍ଜଳି ସ୍ୱାଇଁ, ସସ୍ମିତା ମଲ୍ଲିକ, ସୁଜାତା ନାୟକ, ଜୟନ୍ତୀ ଭୋଇ, ସୁନୀତା ସରକାର, ରଶ୍ମିପ୍ରଭା ନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ସର୍ବଶେଷରେ ସୁନାକର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ଓ ଲକ୍ଷ୍ମଣ ମଲ୍ଲିକ ସଭା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ