ଏବେ ଖଣି ନିଗମ ବେଆଇନ୍‍ ଖନନ ପାଇଁ ୩୦୦ କୋଟି ଟଙ୍କା ଜୋରିମାନା ଦେଲା

ମାୟାଧର
ଓଡିଶା ସରକାରଙ୍କ ୧୨ ମାସିଆ ଦୁଧିଆଳୀ ଗାଈ ଓଡିଶା ଖଣିନିଗମ । ଏହି ନିଗମ ଅଧିନରେ ସୁକିନ୍ଦା, ବଉଳା କ୍ରେମାଇଟ୍‍, ଦୈତାରୀ, ଯୋଡା-ବଡବିଲରେ ଲୁହାପଥର, ବକସାଇଟ୍‍, ମାଙ୍ଗାନିଜ୍‍, ତାଳଚେରରେ କୋଇଲା ଓ ବିଭିନ୍ନ ସ୍ଥାନରେ ଜେମସ୍‍ ଷ୍ଟୋନ୍‍, ସୁନା ପ୍ରମୂଖ ଖଣି ଅଛି । ଧରଣୀ ମା’ର ଗର୍ଭଖୋଳି ଅମାପ-ମାପ ଖଣିଜସମ୍ପଦ କାହିଁକେଉଁକାଳୁ ରାଜ୍ୟ-ଦେଶ-ବିଦେଶର ଶିଳ୍ପପତି, କର୍ପୋରେଟ୍‍ ହାଉସ୍‍, ଖଣିମାଲିକ, ଠିକାଦାର, ମନ୍ତ୍ରୀ, ବିଧାୟକ, ନେତାଠୁ ଆରମ୍ଭକରି କୁଜିନେତା ପର୍ଯ୍ୟନ୍ତ ବଡଅଫିସରଙ୍କ ଠାରୁ ଆରମ୍ଭକରି ତଳିଆକର୍ମଚାରୀପର୍ଯ୍ୟନ୍ତ ଲକ୍ଷଲକ୍ଷକୋଟିଟଙ୍କା ହଡପ କଲେଣି – ଏବେ ମଧ୍ୟ କରୁଛନ୍ତି । କ୍ରୋମାଇଟ୍‍ ଲୁହାପଥର, କୋଇଲା ପ୍ରମୂଖ ଖଣିଜସମ୍ପଦ ଚୋରି ଓ ବେଆଇନ୍‍ ଖନନ ପାଇଁ ଶାହା କମିସନ୍‍ ସୁପାରିଶକୁ ଅଣଦେଖା କରାଯାଇଛି । ଏପରିକି ହାଇକୋର୍ଟ, ଜଙ୍ଗଲ ଓ ପର୍ଯ୍ୟାବରଣ କେନ୍ଦ୍ରୀୟ ବିଭାଗକୁ ଓ.ଏମ୍‍.ସି.ର ଆଦୌ ଖାତିର ନାହିଁ । ଏହି ଖଣିନଗମ ଟଙ୍କାରେ କାହିଁକେତେ ନେତାଅଫିସର ସୁକିନ୍ଦା, ବ୍ୟାସନଗର, କେଉଁଝର, ଯୋଡା-ବଡବିଲ, କଟକ, ଭୁବନେଶ୍ୱର, ପୁରୀ ଏପରିକି ଦୁବାଇ, ସିଙ୍ଗାପୁରରେ ବହୁତଳ ପ୍ରାସାଦ, ମଲ୍‍, ହୋଟେଲ୍‍ ଆଦି ବ୍ୟବସାୟପ୍ରତିଷ୍ଠାନକରି ଆଡ୍ଡା ଜମାଇଛନ୍ତି । ୟେ ୭୭ ବର୍ଷର ଅଧମ ବୁଢାଟା ସେଇ ମହାଦୁର୍ନୀତିଗ୍ରସ୍ତମାନଙ୍କ ଅତୀତ ଦେଖିଛି, ବର୍ତ୍ତମାନ ମଧ୍ୟ ଦେଖୁଛି । ସେଦିନ ଆଜି କେତେ ତଫାତ୍‍ ! ଆକାଶ ପାତାଳ ! ଆଗରୁ କହିଥିଲି – କେବଳ ସୁକିନ୍ଦା କ୍ରୋମାଇଟ୍‍ ଚୋରି ରୋକିପାରିଲେ ପାଞ୍ଚ ପାଞ୍ଚଟା ଓଡିଶା ସରକାରଙ୍କ ବଜେଟ୍‍ ଖର୍ଚ୍ଚ ଭରଣା କରିହେବ । ଯେଉଁମାନେ ଓଡିଶା ଖଣିନିଗମ ଦ୍ୱାରା ଅହେତୁକ ଲାଭବାନ ହୋଇଛନ୍ତି – ସେମାନଙ୍କର ଆୟ ବର୍ହିଭୁତ ସମ୍ପତିକୁ ବ୍ୟାର୍ଯ୍ୟାପ୍ତ କରି ରାଜକୋଷକୁ ନେଇଆସିଲେ ଓଡିଶାବାସୀଙ୍କ ଦାରିଦ୍ର‌୍ୟରୁ କିଛି ଉପଷମ ହୁଅନ୍ତା । ଏ ତ କେବଳ ଖଣିନିଗମ ମହାଦୁର୍ନୀତିର ଗନ୍ତାଘର କଥା କହିଲି – ଆଉ ସରକାରୀ/ବେସରକାରୀ ଯେତେ ନିଗମ, ପ୍ରତିଷ୍ଠାନ ଅଛି – ସେମାନଙ୍କ ମଧ୍ୟରୁ ବହୁଳାଂଶ ରାଜକୋଷ ଲୁଟ୍‍କରି ଚାଲିଛନ୍ତି ବୋଲି ବରିଷ୍ଠ ଶ୍ରମିକନେତା ମାୟାଧର ନାୟକ ଅଭିଯୋଗ କରି ପ୍ରେସ୍‍ ଇସ୍ତାହାରରେ ଲେଖିଛନ୍ତି ।  ଶ୍ରୀ ନାୟକ କହିଛନ୍ତି – ଆପଣମାନଙ୍କର ସ୍ମରଣରେ ଥିବ – ବିଧାନସଭାରେ ଖଣିମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି – ଖଣିନିଗମ ବେଆଇନ ଖନନ ପାଇଁ ତିନି ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜୋରିମାନା ଦେଇଛି । ଏଣେ ରାଜ୍ୟ ସରକାର ମୂଲ୍ୟବାନ ଖଣିକୁ ନିଲାମ କରିଚାଲିଛନ୍ତି । ଖଣି ଶ୍ରମିକକର୍ମଚାରୀଙ୍କୁ ଆଡଆଖିରେ ଚାହୁଁନାହାଁନ୍ତି କି ଆଦୌ ଖାତିର କରୁନାହାଁନ୍ତି । ୨୨ବର୍ଷ ହେଲା ଖଣି ନିଗମର କଲରଙ୍ଗୀ କ୍ରେମାଇଟ୍‍ ମାଇନ୍ସକୁ ମିଛଟାରେ ବାଘ ପାଣି ପିଉଛି ବୋଲି ଚକ୍ରାନ୍ତକାରୀ ଜଣେ ନେତା ଓ ଜଣେ ନିଶାସକ୍ତ ଖଣିନିଗମ ଅଫିସରଙ୍କୁ ଧରି କେନ୍ଦ୍ରକୁ ରିପୋର୍ଟ ପଠାଇଦେଲେ । ବନ୍ୟଜନ୍ତୁ ସଂରକ୍ଷଣ ଆଇନ୍‍ରେ କଲରଙ୍ଗୀ ଖଣି ଖନନକୁ ବନ୍ଦ କରିଦେଲେ । ଶ୍ରମିକମାନଙ୍କ ଦୃଢ ପ୍ରତିବାଦରେ ଖଣିନିଗମ ବାଧ୍ୟ ହୋଇ ୩ବର୍ଷ ଦରମା, ବୋନସ୍‍ ଓ ଅନ୍ୟାନ୍ୟ ସୁବିଧା ଦେଇଚାଲିଲେ । ପୁଣି ରାଜ୍ୟସରକାରଙ୍କ ଜଣେ ତଥାକଥିତ ଶକ୍ତିଶାଳୀ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଖଣିନିଗମ ହଠାତ୍‍ ଶ୍ରମିକଙ୍କ ପାଉଥିବା ପ୍ରାପ୍ୟକୁ ବନ୍ଦ କରିଦେଲେ । ଶ୍ରମିକମାନଙ୍କୁ ଯୋଡା ଖଣି ଜୋନ୍‍କୁ ବଦଳି କଲେ । ସୁକିନ୍ଦା ଉପତ୍ୟକା ମାଇନ୍ସ ୱାର୍କର୍ସ ୟୁନିୟନ୍‍ ସାଧାରଣ ସଂପାଦକ ହାଇକୋର୍ଟର ଦ୍ୱାରସ୍ଥ ହେଲେ । ମାନ୍ୟବର ହାଇକୋର୍ଟ ଖଣିନିଗମକୁ ଭର୍ତ୍ସନା କରି ଖଣିଶ୍ରମିକମାନେ କେବଳ ପାଖାପାଖି ୮ କିଲୋମିଟରଦୂର ପର୍ଯ୍ୟନ୍ତ ବଦଳି ହୋଇପାରିବେ ବୋଲି ରାୟ ଶୁଣାଇଲେ । ହାଇକୋର୍ଟଙ୍କ ଆଦେଶକୁ ଖଣିନିଗମ ଭୃକ୍ଷେପ କଲେନାହିଁ । ବାଧ୍ୟ ହୋଇ କିଛି ଶ୍ରମିକ ଯୋଡା-ବଡବିଲ ଯାଇ ଅସ୍ୱାସ୍ଥ୍ୟକର ପରିବେଶ ମ୍ମରେ ରୋଗାକ୍ରାନ୍ତ ହୋଇ ଫେରିଆସିଲେ । ପୁନଃଶ୍ଚ ୟୁନିୟନ୍‍ ପକ୍ଷରୁ କେନ୍ଦ୍ରୀୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ନିବେଦନ କରାଗଲା । ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ମୁଖ୍ୟ ସଚିବ ୬ ମାସରେ ଖଣି ଖୋଲି ଶ୍ରମିକମାନଙ୍କୁ କାମ ଦେବାପାଇଁ ନିର୍ଦ୍ଦେଶ ଦେଲେ । ଏହି ସମୟ ମଧ୍ୟରେ କଲରଙ୍ଗୀ ଖଣିରେ ବନ୍ୟଜନ୍ତୁ (ବାଘ-ହାତୀଙ୍କ ଆଡ୍ଡାସ୍ଥଳ) ନୁହେଁ ବୋଲି ରିପୋର୍ଟ ଦେବେ । ଏ ନିର୍ଦ୍ଦେଶନାମାକୁ ଓ.ଏମ୍‍.ସି. ମଧ୍ୟ ଖାତିର କଲାନାହିଁ । ସେଇ ୨୦୦୧ ମସିହାରୁ ଆଜିପର୍ଯ୍ୟନ୍ତ ଯେତେ ନେହୁରା, କାକୁତିମିନତି କଲେବି କଲରଙ୍ଗୀ ଖଣିଶ୍ରମିକମାନଙ୍କ ଦୁଃଖକୁ କେହି ବୁଝୁନାହାଁନ୍ତି । କଲରଙ୍ଗୀ ଖଣିକୁ କ୍ଲୋଜର୍‍ ନୋଟିସ୍‍ ଦିଆଯାଇନାହିଁ । ତେଣୁ ପୂର୍ବରୁ ୩ ବର୍ଷ ଦେଇଆସୁଥିବା ମାସିକ ପ୍ରାପ୍ୟ ଭଳି ୨୨ ବର୍ଷର ପ୍ରାପ୍ୟ ପାଖାପାଖି ୫୦ କୋଟିରୁ ଉର୍ଦ୍ଧ ଟଙ୍କା ଖଣିଆଇନ୍‍ ଅନୁଯାୟୀ ଓ.ଏମ୍‍.ସି. ଦେବାକୁ ବା୍ମ । ଖଣିନିଗମ – ନିଦାବିଷ୍ଣୁ । ଶ୍ରମିକଙ୍କ ପ୍ରାପ୍ୟ ଚଳୁ କରିବାରେ ଓସ୍ତାଦ୍‍ । ଭାବୁଛନ୍ତି – ଗାଲେଇଦେବେ – ଠକିଦେବେ । ସେ ବେଳ ଚାଲିଗଲାଣି । ଏବେ ୨୦୨୩ରେ ସବୁ ଧରାପଡିବେ । ଖଣିଶ୍ରମିକମାନେ କ୍ରୋଧରେ ଜଳୁଛନ୍ତି । ତାଙ୍କ ଅଶାନ୍ତିଅସନ୍ତୋଷର ଅଗ୍ନିରେ ସବୁ ଜଳିପୋଡି ପାଉଁଶ ହୋଇଯିବେ । ଏବେ କଲରଙ୍ଗୀ କ୍ରୋମାଇଟ୍‍ ଖଣି ଶ୍ରମିକମାନେ ମରି ମରି ବଞ୍ଚିଛନ୍ତି । ଖଣିନିଗମ ମହାଦୁର୍ନୀତିର ସି.ବି.ଆଇ ତଦନ୍ତ ଦାବି କରିବେନାହିଁ କି କୋର୍ଟର ଆଶ୍ରୟ ନେବେନାହିଁ କିମ୍ବା କେନ୍ଦ୍ରୀୟ ଶ୍ରମ କମିସନରଙ୍କ ପାଖରେ ଫେରାଦ୍‍ ହେବେନାହିଁ, ଆଉ କାହା ଉପରେ ବିଶ୍ୱାସ ନାହିଁ । ଏଇ ମାର୍ଚ୍ଚ ୧୪ ତାରିଖରେ ଆମ ଓଡିଶାର ଆଦିବାସୀ ଝିଅ – ଦେଶର ଗୌରବ – ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ, ଓଡିଶା ମୁଖ୍ୟମନ୍ତ୍ରୀ, ଖଣିମନ୍ତ୍ରୀ, ମୁଖ୍ୟ ସଚିବ, ଖଣି ନିଗମ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଏବଂ ଓଡିଶାର ସମସ୍ତ ବିଧାୟକ, ସାଂସଦ, ସାମ୍ବାଦପତ୍ରର ସଂପାଦକମାନଙ୍କୁ ସ୍ମାରକପତ୍ର ଜରିଆରେ ନିବେଦନ କରିଛୁ । ଆଶା ଓ ବିଶ୍ୱାସ ନିର୍ଯାତିତ, ଶୋଷିତ, ଅବହେଳିତ, କଲରଙ୍ଗୀ ଖଣିଶ୍ରମିକଙ୍କ ପ୍ରାପ୍ୟ ୫୦ କୋଟି ଟଙ୍କା ଏଇ ମେ’ ମାସ ସୁଦ୍ଧା ଦେବାକୁ ହେଳା କରିବେ ନାହିଁ ଏବଂ ଶୀଘ୍ର ଖଣି ଖୋଲି ବଞ୍ଚିଥିବା ଶ୍ରମିକ, ମୃତ ଶ୍ରମିକଙ୍କ ପରିବାରରୁ ଜଣକୁ ନିଯୁକ୍ତି ଦିଅନ୍ତୁ ବୋଲି ଶ୍ରମିକନେତା ଶ୍ରୀ ନାୟକ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ