ପ୍ରଶାସନ ପକ୍ଷରୁ ମଧ୍ୟପ୍ରଦେଶର ମହିଳା ସାଇକେଲ ଅଭିଯାତ୍ରୀଙ୍କୁ ସ୍ୱାଗତ

ବାଲେଶ୍ୱର, (ସରୋଜ ପଣ୍ଡା):ମହିଳା ସଶକ୍ତୀକରଣ, ସୁରକ୍ଷା ଓ ପର୍ଯ୍ୟଟନ କ୍ଷେତ୍ରରେ ମହିଳାଙ୍କର ଅଧିକ ସମ୍ପୃକ୍ତି ଉପରେ ସଚେତନତା ସୃଷ୍ଟି ନେଇ ଦେଶ ପରିକ୍ରମା କରୁଥିବା ମଧ୍ୟପ୍ରଦେଶର ମହିଳା ସାଇକେଲ ଅଭିଯାତ୍ରୀ ସୁଶ୍ରୀ ଆଶା ମାଲବ୍ୟଙ୍କୁ ବାଲେଶ୍ୱରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ମଧ୍ୟପ୍ରଦେଶ ରାଜଗଡ଼ ଜିଲାର ଅଧିବାସୀ ସୁଶ୍ରୀ ମାଲବ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ଅବସରରେ ସେଠାକାର ପର୍ଯ୍ୟଟନ ବିଭାଗ ପ୍ରୋତ୍ସାହନରେ ଗତ ନଭେମ୍ବର ୧ ତାରିଖରେ ରାଜଧାନୀ ଭୋପାଳରୁ ଏହି ସଚେତନତା ଯାତ୍ରା ଆରମ୍ଭ କରିଥିଲେ । ଅଦ୍ୟାବଧି ୧୦ଟି ରାଜ୍ୟର ୧୦,୪୧୦ କିଲୋମିଟର ଅତିକ୍ରମ କରି ସମ୍ପ୍ରତି ଓଡ଼ିଶାରେ ହଞ୍ଚିଛନ୍ତି । ଯାଜପୁର ଓ ଭଦ୍ରକ ଜିଲା ଅତିକ୍ରମ ପରେ ସେ ଗତ କାଲି ରାତିରେ ବାଲେଶ୍ୱରରେ ପହଞ୍ଚିଥିଲେ । ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ସୁଶ୍ରୀ ମାଲଭିୟଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ସଚେତନତା ଯାତ୍ରାର ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଥିଲେ । ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ସ୍ୱାଗତ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ମଧ୍ୟ ସୁଶ୍ରୀ ମାଲଭିୟଙ୍କୁ ସ୍ୱାଗତ କରିବା ସହ ତାଙ୍କର ସଫଳ ଯାତ୍ରା କାମନା କରିଥିଲେ । ପ୍ରକାଶ ଥାଉକି ସୁଶ୍ରୀ ମାଲବ୍ୟ ମୋଟ ୨୮ଟି ରାଜ୍ୟର ପ୍ରାୟ ୨୫,୦୦୦ କିଲୋ ମିଟର ଦୂରତା ଅତିକ୍ରମ କରି ଆସନ୍ତା ଅଗଷ୍ଟ ୧୫ ତାରିଖରେ ଦିଲୀରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି । ସେ ଜଣେ କ୍ରୀଡାବିତ ଏବଂ ପର୍ବତାରୋହୀ ଅଟନ୍ତି । ତାଙ୍କର ଯାତ୍ରା କାଳରେ ଅଦ୍ୟାବଧି ସେ ୭ ରାଜ୍ୟର ମୁଖ୍ୟମନ୍ତ୍ରୀ, ୮ ରାଜ୍ୟର ପୁଲିସ ମୁଖ୍ୟ,୧୨୮ଜଣ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ, ୧୨୮ଜଣ ଭାରତୀୟ ପୁଲିସ ସେବା ଅଧିକାରୀଙ୍କୁ ସାକ୍ଷାତ ସହ ମହିଳା ସଶକ୍ତିକରଣ ଓ ସୁରକ୍ଷା ଭିତ୍ତିକ ୯୦ଟି କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି । ବାଲେଶ୍ୱରରେ ପ୍ରଶାସନ ପକ୍ଷରୁ ତାଙ୍କୁ ସୁରକ୍ଷା ପ୍ରଦାନ ସାଙ୍ଗକୁ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ