ଜଂଗଲ ଗ୍ରାମକୁ ରାଜସ୍ୱ ଗ୍ରାମ କରିବା ଦାବିରେ ସ୍ୱତନ୍ତ୍ର ବୈଠକ
ହାଟଡିହି, (ବିକାଶ ବିଶ୍ୱାଳ):ଜଂଗଲ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବାପାଇଁ ହଦଗଡ ଠାରେ ୪ଟି ୍ରଗ୍ରାମର ଗ୍ରାମବାସୀଙ୍କୁ ନେଇ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ହଦଗଡ ସରପଞ୍ଚ ନିରୁପମା ନନ୍ଦୀ, ଆର.ସି.ଡି.ସିର କାର୍ଯ୍ୟକ୍ରମ ଅଧିକାରୀ ଆନନ୍ଦ ସେଠି ପ୍ରମୁଖ ଯୋଗଦେଇଥିଲେ । ଜଂଗଲ ଅଧିକାର ଆଇନ୨୦୦୬ ଅନୁଯାଇ ଜଂଗଲ ଗ୍ରାମ ଗୁଡିକ ରାଜସ୍ୱ ଗ୍ରାମରେ ପରିବର୍ତ୍ତନ ପାଇଁ ନିୟମ ରହିଛି । ୨୦୨୧ ମସିହାରେ କେନ୍ଦୁଝର ଜିଲ୍ଲାପାଳ ପତ୍ରସଂଖ୍ୟା ୬୯୯ ତା ୭/୪/୨୦୨୧ରେ ଏକ ଚିଠିଦ୍ୱାରା ସମସ୍ତ ଜଂଗଲ ଗ୍ରାମ ଗୁଡିକୁ ଅବଗତ କରାଇଥିଲେ । ଜିଲ୍ଲାପାଳଙ୍କ ପତ୍ର ପରେ ହଦଗଡ ପଞ୍ଚାୟତର ଜଂଗଲ ଭିତରେ ଥିବା ଦଲକି, ପିତାନାଉ, ରତ୍ନମରା, ସୁଜୁନାପାଳ ଆଦି ଗ୍ରାମରେ ସରକାରୀ ଅଧିକାରୀ, ପଞ୍ଚାୟତ ପ୍ରତିନିଧି ଓ ସ୍ୱେଚ୍ଛାସେବୀଙ୍କ ଉପସ୍ଥିତିରେ ଗ୍ରାମସଭା କରାଯାଇ ଏହାର ବିବରଣୀ ବିଭିନ୍ନ ବିଭାଗକୁ ଦିଆଯାଇଥିଲା । କିନ୍ତୁ ଦୁଖର କଥା ଯେ ଆଜି ପର୍ଯ୍ୟନ୍ତ ପ୍ରଶାସନ ଏହା ଉପରେ କୌଣସି ପଦକ୍ଷେପ ନେଇ ନାହାନ୍ତି ବୋଲି ଗ୍ରାମବାସୀମାନେ ନିଜ ନିଜ ବକ୍ତବ୍ୟରେ ଉଲେଖ କରିଥିଲେ । ଆର.ସି.ଡି.ସିର କାର୍ଯ୍ୟକ୍ରମ ଅଧିକାରୀ ଆନନ୍ଦ ସେଠି ଜଂଗଲ ଆଇନର ବିଭିନ୍ନ ଧାରା ଉପରେ ଆଲୋଚନା କରି ଲୋକମାନଙ୍କୁ ବୁଝାଇଥିଲେ । ଜଂଗଲ ଗ୍ରାମ ଗୁଡିକ ସଂରକ୍ଷିତ ଜଂଗଲ ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନ ମଧ୍ୟରେ ଥିଲେ ମଧ୍ୟ ଆଇନ ଅନୁଯାଇ ଧାରା୩(୧)ରେ ରାଜସ୍ୱ ଗ୍ରାମ ହୋଇପାରିବ ବୋଲି ଉଲେଖ ରହିଛି ବୋଲି କହିଥିଲେ । ନିକଟରେ ମୟୁରଭଞ୍ଜ ଜିଲ୍ଲାର ଭାଲିଆଡାଳ ଗ୍ରାମପଞ୍ଚାୟତର ୪ଟି ଗ୍ରାମ ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟରେ ଥିଲେ ମଧ୍ୟ ରାଜସ୍ୱ ପର୍ଷଦ ବୋର୍ଡ ଅଫ ରେଭିନୁ୍ୟ କଟକଙ୍କ ଦ୍ୱାରା ଅନୁମୋଦନ ପାଇଥିବାବେଳେ ହଦଗଡ ପଞ୍ଚାୟତର ଦାବିକୁ ସରକାର ତୁରନ୍ତ ଅନୁମୋଦନ ଦେବାକୁ ସେ ପ୍ରଶାସନକୁ ନିବେଦନ କରିଥିଲେ । ଏନେଇ ପ୍ରଶାସନକୁ ବାରମ୍ବାର ଭେଟି ଗ୍ରାମବାସୀଙ୍କ ପକ୍ଷରୁ ଦାବି ଜଣାଇବା ପାଇଁ ଏକ କମିଟି ଗଠନ କରାଯାଇଥିଲା । ଏଥିରେ ୪ଟି ଗ୍ରାମରୁ ରବିନ୍ଦ୍ର ଦେହୁରୀ, ରବିନ୍ଦ୍ର ଦଣ୍ଡପାଟ, ବେଣୁଧର ବେହେରା, ସୁନରମ ହେମ୍ରମ, ଟ୍ରିବନ ହୋ, ଜୁମ୍ବଲ ହୋ, ରାଘବ ନାଏକ, ତୁରନ ହୋ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା । ହଦଗଡର ପୁର୍ବତନ ସରପଞ୍ଚ ତଥା ସମାଜସେବୀ ମଦନ ମୋହନ ନନ୍ଦୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ସ୍ୱେଚ୍ଛାସେବୀ ବୁଦ୍ଧିରାମ ପୁର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।