ସାମ୍ବାଦିକ ସମ୍ମିଳନୀରେ ମତ ରଖିଲେ ବିଜେଡିର ବରିଷ୍ଠ ନେତା
ବନ୍ତ, (ଚାନ୍ଦିନୀ ମହାନ୍ତି):ଗତ ସୋମବାର ଦଳ ବିରୋଧି କାର୍ଯ୍ୟ ପାଇଁ ଭଦ୍ରକ ଜିଲା ବନ୍ତ ବ୍ଲକ ବିଜୁ ଜନତା ଦଳର ବରିଷ୍ଠ ନେତା ଡଃ.ସୁଧାଂଶୁ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ରେବତୀ ନାୟକ, ପୂର୍ବତନ ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁଙ୍କୁ ଜିଲା ସଭାପତି ବହିଷ୍କାର କରିଥିଲେ । ଏହାର ପ୍ରତିବାଦରେ ଆଜି ବନ୍ତ ଠାରେ ଶ୍ରୀ ନାୟକ ଏକ ସାମ୍ବାଦିକ ସମ୍ମିଳନୀର ଆୟାଜନ କରିଥିଲେ । ବିଜୁ ଜନତା ଦଳ ଏକ ରାଜନୈତିକ ସଙ୍ଗଠନ ନୁହେଁ । ଏହା ଏକ ସାମାଜିକ ଆନ୍ଦୋଳନ । ସାମାଜିକ ଆନ୍ଦୋଳନରୁ କେହି କେବେ ବହିଷ୍କାର ହୋଇପାରେ ନାହିଁ । ଆଗକୁ ସମାଜସେବା କରିବାର ଅଛି । ମୋତେ କିଏ ବହିଷ୍କାର କରିବ । ବହିଷ୍କାର କାହାକୁ କରାଯାଏ । ଯିଏ ଦଳର ସଦସ୍ୟ ହୋଇଥାଏ । ଦଳରେ ବିଶୃଙ୍ଖଳିତ ଆଚରଣ କଲେ ତାଙ୍କୁ ବହିଷ୍କାର କରାଯାଏ । ମୁଁ ତ ବିଜୁ ଜନତା ଦଳର ସଦସ୍ୟ ହୋଇନଥିଲି । ମୁଁ ଦଳର ଜଣେ ଶୁଭେଚ୍ଛୁ ଓ ସମର୍ଥକ । ବିଜୁ ବାବୁ ଓ ନବୀନ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଦଳର ନେପଥ୍ୟ ନାୟକ ଭଳି କାର୍ଯ୍ୟ କରୁଥିଲି । ଶୁଭେଚ୍ଛୁ ଓ ସମର୍ଥକଙ୍କୁ କ’ଣ ବହିଷ୍କାର କରାଯାଇପାରେ । ଜଣେ ଦଳ ବିରୋଧି କାର୍ଯ୍ୟ କଲେ ତାଙ୍କୁ ଦଳରୁ ବହିଷ୍କାର କରାଯାଏ । ଦଳକୁ ଭଲ ପାଉଥିବା ବ୍ୟକ୍ତିଙ୍କୁ କିପରି ବହିଷ୍କାର କରାଯାଇ ପାରିବ । ଦଳ ବିରୁଦ୍ଧରେ ଆମେ ପଦଟିଏ ଉଚ୍ଚାରଣ କରିନାହୁଁ । ନବୀନ ବାବୁଙ୍କ ସ୍ୱଚ୍ଛ ଶାସନ ତଳେ ଆମେ ଅଛୁ । ବ୍ୟକ୍ତିଙ୍କୁ ସମାଲୋଚନା କରିବାର ଅଧିକାର ସମସ୍ତଙ୍କର ଅଛି । ଚୋରକୁ ଯଦି ଆମେ ଘରେ ରଖିବା ତେବେ ଘର ଲୁଟ ହେବା ନିଶ୍ଚିତ । ସେହି ଘରୁ ଚୋରକୁ ବାହାର କରାଯିବା କଥା ଆମେ କହିଲୁ । ଏଥିରେ ଦଳ ବିରୋଧି କାର୍ଯ୍ୟ କିପରି ହେଲା । ବର୍ତ୍ତମାନ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ୩୦ ଭାଗ ଲୋକ ଖୁଲମଖୁଲା ବିରୋଧ କରୁଛନ୍ତି । ଯେଉଁ ମାନଙ୍କୁ ଭୟ ଦେଖାଇ ରଖାଯାଇଛି ସେମାନେ ଆଉ ୩ ମାସ ପରେ ବିରୋଧ କରିବେ ବୋଲି ଶ୍ରୀ ନାୟକ କହିଥିଲେ । ଏହି ସମ୍ମିଳନୀରେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ରେବତୀ ନାୟକ, ପୂର୍ବତନ ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁ, ଆଇନଜୀବି ମାଧବାନନ୍ଦ ଦାସ, ପୂର୍ବତନ ସରପଞ୍ଚ ଗୋପାଳ ଚନ୍ଦ୍ର ପଣ୍ଡା, ଆନନ୍ଦ ଚନ୍ଦ୍ର ଓଝା, ଟିଲୋ ପଞ୍ଚାୟତ ବିଜେଡିର ସଭାପତି ସୁଧିର କୁମାର ନାୟକ, ପୂର୍ବତନ ସମିତି ସଭ୍ୟ ରବିନ୍ଦ୍ର ଧଳ ପ୍ରମୁଖ ଉପସ୍ଥିତ ଥିଲେ ।


