ରାଜ୍ୟ ସ୍କାଉଟ୍‌ସ୍ ଓ ଗାଇଡ଼୍‌ସ୍ ଶିବିର “ରୋଭର ରେଞ୍ଜର ଫେଷ୍ଟ” ଶୁଭାରମ୍ଭ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼୍ ସଂସ୍ଥା ଆନୁକୂଲ୍ୟରେ ତା୨୭.୩.୨୦୨୩ରିଖ ଦିନ ଶିବିର “ରୋଭର ରେଞ୍ଜର ଫେଷ୍ଟ” ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ କାଳି ପ୍ରସାଦ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀ ନରହରି ସେଠୀ, ଓଏଏସ୍ (ଏସ୍‌ଏଜି) ଯୋଗଦେଇ ରୋଭର ରେଂଜରମାନଙ୍କର ଉତ୍ସାହ ପୂର୍ବକ ଯୋଗଦାନକୁ ଉଚ୍ଚ ପ୍ରଶଂସା କରିବା ସହିତ ଛାତ୍ର ଅବସ୍ଥାରେ ଶୃଙ୍ଖଳାର ଭୂମିକା ଉପରେ ଆଲୋକପାତ କରିଥିଲେ । ରୋଭର ଏବଂ ରେଂଜର ଆନ୍ଦୋଳନ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ବ୍ୟକ୍ତିତ୍ୱ ଗଠନ ସହିତ ସୁନାଗରିକ ହେବା ନିମନ୍ତେ ବ୍ୟାପକ ଶିକ୍ଷାପ୍ରାପ୍ତ ହୋଇପାରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିବା ସଂଗେ ସଂଗେ କିପରି ସମାଜରେ ମାର୍ଗଦର୍ଶକ ଭାବରେ କାମ କରିପାରିବେ ତା’ର ରୂପରେଖ ପ୍ରସ୍ତୁତି ବିଷୟରେ ବ୍ୟାଖ୍ୟା କରିଥିଲେ । ବିଦ୍ୟାଳୟ ସ୍ତରରେ କିପରି ଅଧିକାରୁ ଅଧିକା ଛାତ୍ରଛାତ୍ରୀ ଯୋଗଦେବେ, ସେ ବାବଦରେ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ପିଲାମାନଙ୍କୁ ଅବଗତ କରାଇଥିଲେ । ଶ୍ରୀଯୁକ୍ତ ମିଶ୍ର ସ୍ୱାଗତ ଅଭିଭାଷଣ ସହ ଶିବିରର ଉଦ୍ଦେଶ୍ୟ ଏବଂ ଉପଯୋଗିତା ବିଷୟରେ ପରିପ୍ରକାଶ କରିଥିଲେ । ଉକ୍ତ ଶିବିରରେ ଓଡ଼ିଶାର ୪୮ଟି ମହାବିଦ୍ୟାଳୟରୁ ୫୪୪ଜଣ ରୋଭରସ୍‌, ରେଂଜରସ୍ ସେମାନଙ୍କ ଲିଡ଼ର୍‌ଙ୍କ ନେତୃତ୍ୱରେ ଯୋଗ ଦେଇଥିବାର ଅତିଥିମାନଙ୍କୁ ଅବଗତ କରାଇବା ସହିତ ଶିବିରରେ ହେବାକୁ ଥିବା ବିଭିନ୍ନ ପ୍ରକାର ପ୍ରତିଯୋଗିତା, କ୍ରୀଡ଼ା ଉତ୍ସବ, ଦକ୍ଷତା ବିକାଶ କୌଶଳ ଶିକ୍ଷା, ପ୍ରାଥମିକ ଚିକିତ୍ସା ଶିକ୍ଷା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ ।ଉତ୍ସବ ପ୍ରାରମ୍ଭରେ ଶିବିରର ଲୋଗୋ ଏବଂ ଟି-ସାର୍ଟକୁ ସମ୍ମାନନୀୟ ଅତିଥିମାନେ ଉନ୍ମୋଚନ କରିଥିଲେ । ରାଜ୍ୟ ଗାଇଡ଼୍ ସଂଗଠନ କମିଶନର ତଥା ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅନାମିକା ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ରାଜ୍ୟ ସଂପାଦକ ଶ୍ରୀ ଶରତ ଚନ୍ଦ୍ର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟ ଯୁଗ୍ମ ସଂଗଠନ କମିଶନର ଶ୍ରୀମତୀ ପୁଷ୍ପାଞ୍ଜଳୀ ମହାପାତ୍ରଙ୍କ ନେତୃତ୍ୱରେ ଯୁଗ୍ମ ସଂପାଦକ ଶ୍ରୀ ମିହିର ରଂଜନ ପଟ୍ଟନାୟକ, ଗାଇଡ଼୍ ତାଲିମ କମିଶନର ପ୍ରିୟଦର୍ଶିନୀ ମହାପାତ୍ର, ସ୍କାଉଟ୍ ତାଲିମ କମିଶନର ଶ୍ରୀ ସୁରଜିତ ସେନ୍‌, ଶ୍ରୀ ଚନ୍ଦନ ଦାଶ, ସୌମ୍ୟା ପାଇକରାୟ, ଶ୍ରୀ ଅବିନାଶ ଗଡ଼ନାୟକ, ଅୟସ୍ମିତା ପଣ୍ଡା ତଥା ରାଜ୍ୟ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଶିବିର ପରିଚାଳନା କରୁଛନ୍ତି । ଏହି ଶିବିର ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଶେଷରେ ଶିବିରାର୍ଥୀ ରୋଭର ରେଂଜରମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ