ଏଟିଏମରୁ ବାହାରିଲା କାଗଜ ପେଷ୍ଟ ଲଗାଯାଇଥିବା ନୋଟ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଏଟିଏମରୁ ବାହାରିଲା ଧଳା କାଗଜ ପେଷ୍ଟ ହୋଇଥିବା ନୋଟ । ଏହା ଅସଲି ନୋଟ ନୁହଁ ନକଲି ନୋଟ ବୋଲି ଲୋକମାନେ ଅଭିଯୋଗ କରିଛନ୍ତି । ଏହା ଅବିଶ୍ୱାଷ ହେଉଥିଲେ ମଧ୍ୟ ସତ । ଏଭଳି ଘଟଣା ଦେଖିବାକୁ ମିଳିଛି ଓରାଳି ଠାରେ ଥିବା ଏସ.ବି.ଆଇ ଏ.ଟି.ଏମ. କାଉଣ୍ଟରରେ । ଆଜି ଆପଣ୍ଡା ଗ୍ରାମର ନରୋତ୍ତମ ଦାସ ନାମକ ଜଣେ ବ୍ୟକ୍ତି ଆଠ ହଜାର ଟଙ୍କା ଉଠାଇଥିଲେ । ତନ୍ମଧ୍ୟରୁ ୮ଟି ପାଞ୍ଚଶହ ଟଙ୍କିଆ ନୋଟ ଭଲ ଥିବାବେଳେ ଆଉ ୮ଟି ପାଞ୍ଚଶହ ଟଙ୍କିଆ ନୋଟ ଉପରେ ଧଳା କାଗଜ ପେଷ୍ଟ ହୋଇଥିଲା । ଯାହାକି ନକଲି ନୋଟ ଭଳି ଦେଖା ଯାଉଥିଲା । ଟଙ୍କା ଉଠାଇବାକୁ ଅନ୍ୟ ଗ୍ରାହକମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ନରୋତ୍ତମ ସଙ୍ଗେ ସଙ୍ଗେ ଏନେଇ ଆନନ୍ଦପୁର ଷ୍ଟେଟବ୍ୟାଙ୍କ ଶାଖାକୁ ଯାଇ ଶାଖା ପରିଚାଳକଙ୍କୁ ଭେଟି ଅଭିଯୋଗ କରିଥିବା ଜଣାଯାଇଛି । ଏଟିଏମ କାଉଣ୍ଟରେ ଏକାଥରକେ ଏପରି ଅନେକ ଅଚଳ ନୋଟ ବାହାରିବା ଘଟଣାରେ ଆନନ୍ଦପୁର ଷ୍ଟେଟବ୍ୟାଙ୍କ ମ୍ୟାନେଜରଙ୍କୁ ପଚାରିବାରେ ସେ ଫୋନରେ କିଛି କହିହେବ ନାହିଁ ଏଠାକୁ ଆସିଲେ ଯାହା କହିବି ବୋଲି କହିଥିଲେ ।