ଓଡ଼ିଆ ଜାତୀୟତା ଉପରେ ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାତି ପାହିଲେ ଉତ୍କଳ ଦିବସ । ଗଳା ଫଟାଇ ରାଜନେତା, ମନ୍ତ୍ରୀ, ପ୍ରଶାସକମାନେ ଭାଷଣ ଦେବେ । କିନ୍ତୁ ଓଡ଼ିଆ ଜାତୀୟତା ଉପରେ ଅଣଓଡ଼ିଆଙ୍କ ଆକ୍ରମଣକୁ ରାଜଧାନୀ ପୋଲିସ୍ ବାବୁମାନେ, ମିଛ କେସ୍ କହି ଚାପି ଦେବା ଚକ୍ରାନ୍ତକୁ କୌଣସି ପ୍ରକାର ବରଦାସ୍ତ କରାଯିବ ନାହିଁ । ସମସ୍ତ ଜାତୀୟତାବାଦୀ ଓଡ଼ିଆ ସଂଗଠନ, ଉତ୍କଳ ସମ୍ମିଳନୀ, ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସ, ଓଡ଼ିଶା ନାଗରିକ ମହାମଞ୍ଚ ଓ ପୂଜ୍ୟପୂଜା ଅଭିଯାନ ମିିଳିତ ଭାବରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସର ଆଜୀବନ ଟ୍ରଷ୍ଟି ତଥା ଉପସଭାପତି, ଉତ୍କଳ ସମ୍ମିଳନୀର ଆଜୀବନ ସଦସ୍ୟ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିବୃତ୍ତରେ କହିଛନ୍ତି ।ଘଟଣାରୁ ପ୍ରକାଶ ଯେ, ଗତ ୧୭ ତାରିଖ ଦିନ ଭୁବନେଶ୍ୱର ବିମାନ ବନ୍ଦର ଅଞ୍ଚଳରେ ଥିବା ବିପିସିଏଲ୍ର ଭାରପ୍ରାପ୍ତ ବ୍ୟକ୍ତି ଅଣ ଓଡ଼ିଆ, ଶୁଭମ ଦାସ, ଜନୈକ ପୂର୍ବତନ ସୈନିକଙ୍କୁ ଓଡ଼ିଆ ଜାତିକୁ ନେଇ ଗାଳିଦେବାରୁ ସେ ଏହାର ପ୍ରତିରୋଧ କରିଥିଲେ । କିନ୍ତୁ ଶୁଭମ ବାରମ୍ବାର ଓଡ଼ିଆ ଜାତିକୁ ଆକ୍ଷେପ କରିବାରୁ, ପୂର୍ବତନ ସୈନିକ ଓଡ଼ିଆପ୍ରାଣ ବ୍ୟକ୍ତିଜଣକ, ଏୟାରପୋର୍ଟ ଥାନାରେ ଅଭିଯୋଗ ପତ୍ର ଦାଖଲ କରିଥିଲେ । କିନ୍ତୁ ଘଟଣାଟି ଦୀର୍ଘ ୧୦/୧୨ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ବାବୁମାନଙ୍କୁ ଓଡ଼ିଆ ଜାତିକୁ ଅପମାନିତ କରିବା ଗୋଟିଏ ସାମାନ୍ୟ ଘଟଣା ବୋଲି ଲାଗୁଛି । ସମ୍ପୃକ୍ତ ବ୍ୟକ୍ତି ଏଠାରୁ ବଦଳି ହୋଇ ଯିବା ଚେଷ୍ଟାରେ ଥିବାବେଳେ, ପୋଲିସ୍ ଘଟଣାକୁ ମିଛ କେସ୍ର ନାମକରଣ କରି ଅଭିଯୁକ୍ତଙ୍କୁ ଖସାଇ ଦେବା ପାଇଁ ଚେଷ୍ଟା କରୁଛି । ଏଣୁ ଡଃ ଜ୍ଞାନେନ୍ଦ୍ର ଏ ବିଷୟରେ ପୋଲିସ୍ କମିଶନରଙ୍କୁ ଲିଖିତ ଭାବରେ ଜଣାଇଛନ୍ତି ବୋଲି କହିଛନ୍ତି । ଯଦି ଅଭିଯୁକ୍ତଙ୍କ ବିରୁଦ୍ଧରେ ୩ ଦିନ ଭିତରେ, ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ପୋଲିସ୍ କମିଶନର କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଡଃ ଜ୍ଞାନେନ୍ଦ୍ର ଚେତାବନୀ ଦେଇଛନ୍ତି ।