ଅସହାୟଙ୍କ ବନ୍ଧୁ ପାଲଟିଛି ଟିମ କ୍ଲିନ ସିଟି

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ରେଶମ ସହର ବ୍ରହ୍ମପୁରକୁ ସରସ ସୁନ୍ଦର କରି ଗଢି ତୋଳିବା ପାଇଁ ଅନେକ ଲୋକାଭିମୁଖୀ କାର୍ଯ୍ୟ ଦ୍ୱାରା ସାଧାରଣ ଲୋକମାନଙ୍କର ସୁବିଧା ଓ ଅସୁବିଧାର ବନ୍ଧୁ ପାଲଟିଛନ୍ତି ବ୍ରହ୍ମପୁରର ଟିମ କ୍ଲିନ ସିଟି । ଏହି ସ୍ୱେଚ୍ଛାସେବୀ ସଙ୍ଗଠନ ଏକାଧିକ ସାମାଜିକ କାର୍ଯ୍ୟକ୍ରମ ଚାଲୁ ରଖିଥିବାବେଳେ ଅନେକ ଗୁଡିଏ କାର୍ଯ୍ୟ କରି ସାଧାରଣରେ ପ୍ରଶଂସାର ପ୍ରିୟ ପାତ୍ର ହୋଇଛନ୍ତି । ଜୁଲାଇ ମାସରୁ ଆରମ୍ଭ ହୋଇଥିବା ଏହି ସଂଗଠନ ସଦସ୍ୟମାନେ ପ୍ରଥମେ ସହରର ମୁଖ୍ୟ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ବେନିୟମ ପୋଷ୍ଟର ଲଗାଉଥିବା ବ୍ୟକ୍ତି ତଥା ଅନୁଷ୍ଠାନ ଠାରୁ ଜୋରିମାନା ଆଦାୟ କରିବା , ଅସହାୟ ଓ ନିରାଶ୍ରୟଙ୍କୁ ଉଦ୍ଧାର ସହିତ ସେମାନଙ୍କୁ ସହାୟତା ଯୋଗାଇବା , କୁଷ୍ଠରୋଗୀ ହେଉ ବା ପାଗଳ ସମସ୍ତଙ୍କୁ ସେବା ଯୋଗାଇବା ପରିି କାର୍ଯ୍ୟ କରୁଛନ୍ତି । ଏହି ସଂଗଠନ ପକ୍ଷରୁ ରବିବାର ବ୍ରହ୍ମପୁର ସହରର ଡି ପଲ ସ୍କୁଲ ନିକଟରୁ ପ୍ରଶାନ୍ତ କୁମାର ସାମନ୍ତ ନାମକ ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କୁ ଉଦ୍ଧାର କରି ତାଙ୍କୁ ସେବା ଯୋଗାଇ ଦିଆଯିବା ସହ ୪୭ତମ ଉଦ୍ଧାର କାର୍ଯ୍ୟ ସମ୍ପାଦନ ହୋଇଛି । ସଂଗଠନର ଏହି ମହତ ତଥା ନିଃସ୍ୱାର୍ଥପର କାର୍ଯ୍ୟକୁ ସବୁ ମହଲରେ ସ୍ୱାଗତ କରାଯାଇଛି। ସୁଚନାନୁସାରେ , ରବିବାର ସକାଳୁ ଟିମର ସଦସ୍ୟ ମାନେ ମେଡ଼ିକାଲ ମୁଖ୍ୟ ଗେଟ ନିକଟରେ ଏକତ୍ରିତ ହୋଇ ମୋଟର ସାଇକେଲରେ ସହର ପରିକ୍ରମା କରିବା ସହ ବିଭିନ୍ନ ସ୍ଥାନରୁ ପୋଷ୍ଟର ଚିରି ଏହାକୁ ବିରୋଧ କରିବା ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ। ପରୋକ୍ଷରେ ପୋଷ୍ଟର ଲଗାଉଥିବା ସଂସ୍ଥା ବା ବ୍ୟକ୍ତି ବିଶେଷଙ୍କୁ ସହରକୁ ଅସୁନ୍ଦର କରିବା ଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଚେତାବନୀ ଦେବା ସହ ସମ୍ପୃକ୍ତ ସଂସ୍ଥା ଓ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଲିଖିତ ଏତଲା ଦେବାକୁ ଧମକ ଦିଆଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାମ ଚନ୍ଦ୍ର ପଣ୍ଡା, ଜଗନମୋହନ ମହାପାତ୍ର, ଶକ୍ତିଧର ରାଜଗୁରୁ, ରାଜେଶ କୁମାର ସାହୁ, ଅଭୟ କୁମାର ରଥ, ଜିତୁ ପଟ୍ଟନାୟକ, ରଶ୍ମିରେଖା ମିଶ୍ର, ଅଞ୍ଜଳି ମହାନ୍ତି, ସନ୍ତୋସିନୀ ବେହେରା, ସସ୍ମିତା ପ୍ରଧାନ, ନଗେଶ୍ୱର ପୃଷ୍ଟି, ସୂର‌୍ୟ୍ୟ ନାରାୟଣ ଚୌଧୁରୀ, ଅସିତ କୁମାର ସାବତ, ଅସିତ କୁମାର ପଣ୍ଡା, ଦିନେଶ ପଟ୍ଟନାୟକ, ଟୁକୁ ଦଳେଇ, ଆମ୍ବୁଜ ସାହୁ, ପ୍ରଦୀପ କୁମାର ସାହୁ ଓ ସନ୍ତୋଷ କୁମାର ପାତ୍ର ପ୍ରମୁଖ ସକ୍ରିୟ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ