କଙ୍ଗନା ନୁହେଁ, କରିନା ବନିଥାନ୍ତେ ‘କ୍ୱିନ୍’
ମୁମ୍ବାଇ : ଲିଉଡ୍ ଅଭିନେତ୍ରୀ କରିନା କପୁର ଖାନ୍ଙ୍କୁ ନେଇ ଏକ ରୋଚକ ଖବର ଶୁଣିବାକୁ ମିଳିଛି । ନିଜର ଦୀର୍ଘ ସମୟର କ୍ୟାରିୟରରେ କରିନା ଏପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଫିଲ୍ମରେ କାମ କରିଥିଲେ ମଧ୍ୟ ବହୁ ଭଲ ଫିଲ୍ମଗୁଡ଼ିକୁ ମଧ୍ୟ ରିଜେକ୍ଟ କରିଥିବା କହିଛନ୍ତି । ଫିଲ୍ମ ରିଜେକ୍ଟ କରିବା ପ୍ରସଙ୍ଗରେ କରିନା କପୁର ଖାନ୍ ନିଜର ମତ ରଖିଛନ୍ତି । ସେ କହିଛନ୍ତି ଯେ, ‘କ୍ୱିନ୍’ ପାଇଁ କଙ୍ଗନା ରାଣାୱତ୍ଙ୍କ ପୂର୍ବରୁ କରିନାଙ୍କୁ ଏହି ଫିଲ୍ମ ଅଫର୍ କରାଯାଇଥିଲା । କରିନା, ହିନ୍ଦୁସ୍ଥାନ ଟାଇମ୍ସ ଲିଡର୍ଶିପ୍ ସମିଟ୍-୨୦୧୯ରେ ଅକ୍ଷୟ କୁମାରଙ୍କ ସହ ଯୋଗ ଦେବା ଅବସରରେ ଏ ବିଷୟରେ ମିଡ଼ିଆ ସହ ଆଲୋଚନା କରିଥିଲେ । ଏହି ଇଭେଣ୍ଟର ହୋଷ୍ଟ କରିନା ରିଜେକ୍ଟ କରିଥିବା ଫିଲ୍ମଗୁଡ଼ିକର ନାମ କହିଥିଲେ । ଏଥିରେ ‘କଲ୍ ହୋ ନା ହୋ’, ‘କହୋ ନା ପ୍ୟାର୍ ହେ’, ‘ଗୋଲିଓ କି ରାସ୍ଲୀଲା: ରାମ୍-ଲୀଲା, ‘ହମ୍ ଦିଲ୍ ଦେ ଚୁକେ ସନମ୍’, ‘କ୍ୱିନ୍’ ଏବଂ ‘ଚେନ୍ନାଇ ଏକ୍ସପ୍ରେସ୍’ ଭଳି ବହୁ ହିଟ୍ ଫିଲ୍ମ ସାମିଲ ରହିଛି । ତେବେ କରିନା ରିଜେକ୍ଟ କରିଥିବା ଫିଲ୍ମକୁ ନେଇ କେବେ ହେଲେ ଅନୁତାପ କରିନଥିବା କହିଛନ୍ତି । ସେ କହିଛନ୍ତି ଯେ, କଙ୍ଗନା ରାଣାୱାତ୍ ଷ୍ଟାରର୍ ଫିଲ୍ମ କ୍ୱିନ୍ରେ ତାଙ୍କୁ ଲିଡ୍ ରୋଲ ଅଫର୍ ହୋଇଥିଲା କିନ୍ତୁ ସେହି ରୋଲଟି ସେତେବେଳେ ତାଙ୍କୁ ସୁଟ୍ କରୁନଥିବାରୁ ସେ ଏହାକୁ ରିଜେକ୍ଟ କରିଥିଲେ ।
ସୂଚନା ଥାଉ ଯେ, ଫିଲ୍ମ ‘କ୍ୱିନ୍’ରେ କଙ୍ଗନା ରାଣାୱତ୍ ଭଲ କାମ କରିଥିଲେ । ଏଥିଲାଗି କଙ୍ଗନାଙ୍କୁ ନ୍ୟାଶ୍ନାଲ ଆୱାର୍ଡ ମଧ୍ୟ ଦିଆଯାଇଥିଲା । କରିନା କପୁର ଖାନ୍ଙ୍କ ଫିଲ୍ମ ‘ଗୁଡନୁୟଜ୍’ ବର୍ତ୍ତମାନ ବଡ଼ ପରଦାରେ ମୁକ୍ତିଲାଭ ଅପେକ୍ଷାରେ ରହିଛି । ରାଜ ମେହେତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ସେ ଅକ୍ଷୟ କୁମାରଙ୍କ ସହ ଅଭିନୟ କରୁଛନ୍ତି । ଏହି ଫିଲ୍ମରେ ତାଙ୍କ ବ୍ୟତୀତ ଦଲ୍ଜିତ ଦୋସାଞ୍ଝ ଏବଂ କିଆରା ଆଡ୍ଭାଣୀ ମଧ୍ୟ ଅଛନ୍ତି । ଏହି ଫିଲ୍ମଟି ଆସନ୍ତା ୨୭ ତାରିଖରେ ରିଲିଜ୍ ହେବ ।


