ଅଧୀକ୍ଷଣ ଯନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ନିବୃତ୍ତ ପୂର୍ତ୍ତ ଅବସରପ୍ରାପ୍ତ କର୍ମଚାରୀ
ବାଲେଶ୍ୱର, (ସରୋଜ ପଣ୍ଡା):ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି କାର୍ଯ୍ୟଧାରା ଯୋଗୁଁ ଇପିଏଫ ପେନସନରୁ ବଞ୍ଚିତ ହୋଇ ମଙ୍ଗଳବାରଠାରୁ ପୂର୍ତ୍ତ ବିଭାଗ ସମ୍ମୁଖରେ ଧାରଣା ଦେଇଥିବା ଅବସରପ୍ରାପ୍ତ କର୍ମଚାରୀ ଓ ମୃତ କର୍ମଚାରୀଙ୍କ ପତ୍ନୀ ଅଧୀକ୍ଷଣ ଯନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଛନ୍ତି । ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କ ଆବଶ୍ୟକୀୟ ରେକର୍ଡ଼ ପତ୍ର ପୂର୍ତ୍ତ ବିଭାଗ-୧ ପକ୍ଷରୁ ଭବିଷ୍ୟନିଧି କାର୍ଯ୍ୟାଳୟକୁ ପଠାଯାଉ ନଥିବା ଯୋଗୁଁ ସେମାନଙ୍କ ପେନସନ ପେପର ପ୍ରସ୍ତୁତ ହୋଇପାରୁ ନଥିଲା । ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କ ଉଦାସୀନତାର ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଧାରଣା ଆରମ୍ଭ ହୋଇଥିଲା । ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ସିଭିଲ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସମ୍ପାଦକ ଦାମୋଦର ନାୟକ,ଏଆଇଟିୟୁସିର ଜିଲ୍ଲା ସମ୍ପାଦକ ଶ୍ୟାମସୁନ୍ଦର ଜେନା, ଇପିଏଫ ପେନସନର୍ସ ଆସୋସିଏସନର ଜିଲ୍ଲା ସମ୍ପାଦକ ବିଷ୍ଣୁପ୍ରସାଦ ମହାନ୍ତି, ସମାଜସେବୀ ସୁଦର୍ଶନ ଜେନା ଓ ସୁରେନ୍ଦ୍ର ପଣ୍ଡା ପ୍ରମୁଖ ଗଣ ଧାରଣାରେ ସାମିଲ ହୋଇଥିଲେ । ତେବେ ବୁଧବାର ପୂର୍ତ୍ତ ଡିଭିଜନ-୧ର ଅଧିକ୍ଷଣ ଯନ୍ତ୍ରୀ ଇଂ. ରାମଚନ୍ଦ୍ର ସେଠୀଙ୍କ ସହ ଉପସ୍ଥିତ ଶ୍ରମିକନେତା ଆଲୋଚନା କରିଥିଲେ । ଅବସରପ୍ରାପ୍ତ କର୍ମଚାରୀମାନଙ୍କର ପେନସନ ବାବଦୀୟ ଆବଶ୍ୟକୀୟ ତଥ୍ୟ ଏକମାସ ମଧ୍ୟରେ ଇପିଏଫ୍ କମିଶନରଙ୍କୁ ପ୍ରଦାନ କରିବେ ବୋଲି ଇଂ ଶ୍ରୀ ସେଠୀ ପ୍ରତିଶ୍ରୁତି ଦେବା ପରେ ଅବସରପ୍ରାପ୍ତ କର୍ମଚାରୀମାନେ ଆନ୍ଦୋଳନକୁ ଏକମାସ ପାଇଁ ସ୍ଥଗିତ ରଖିଛନ୍ତି । ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଓ ଆକାଉଣ୍ଟାଣ୍ଟ ଧାରଣାସ୍ଥଳରେ ପହଞ୍ôଚ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ନିବେଦନ କରିଥିଲେ ।


