ବିବିସିସି ପକ୍ଷରୁ ମୃତଚାଷୀଙ୍କ ପରିବାରକୁ ୫ଲକ୍ଷର ବୀମାରାଶି ପ୍ରଦାନ
ବାଲେଶ୍ୱର, (ସରୋଜ ପଣ୍ଡା):ଦୁର୍ଘଟଣାରେ ମୃତ ରସାଳପୁର ପ୍ରାଥମିକ କୃଷି ସମବାୟ ସମିତିର ଚାଷୀ ସ୍ୱର୍ଗତ ନରେନ୍ଦ୍ର ବେହେରାଙ୍କ ପରିବାରକୁ କିଷାନ କ୍ରେଡିଟ କାର୍ଡ଼ ଯୋଜନାରେ ବୀମାରାଶି ପ୍ରଦାନ କରାଯାଇଛି । ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱର୍ଗତ ବେହେରାଙ୍କ ବିଧବା ପତ୍ନୀ ଭାନୁମତି ବେହେରାଙ୍କୁ ବୁଧବାର ଏହି ବୀମାରାଶି ପ୍ରଦାନ କରାଯାଇଛି । ବ୍ୟାଙ୍କ ପରିଚାଳନା ପରିଷଦ ସଭାପତି ଗଣେଶ ପ୍ରସାଦ ମହାପାତ୍ର ୫ ଲକ୍ଷ ଟଙ୍କାର ଚେକ ଶ୍ରୀମତୀ ବେହେରାଙ୍କୁ ପ୍ରଦାନ କରିଥିଲେ । ବୀମା ଅର୍ଥ ପ୍ରଦାନ ବେଳେ ବ୍ୟାଙ୍କ ସମ୍ପାଦକ ଅଶୋକ କୁମାର ଦାସ, ମୁଖ୍ୟ ଶାଖା ପରିଚାଳକ ଅଶୋକ କୁମାର ମିଶ୍ର, ନିର୍ଦ୍ଦେଶକ ଆଶିଷ କୁମାର ଦାସ ଓ ଦେବୀ କୁମାର ଦେଙ୍କ ସମେତ ରସାଳପୁର ସମବାୟ ସମିତି ସମ୍ପାଦକ ଅସିତ କୁମାର ଦାସ ଏବଂ ନିର୍ଦ୍ଦେଶକ ଚିତ୍ତରଂଜନ ପାଣିଗ୍ରାହୀ ଉପସ୍ଥିତ ଥିଲେ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନରେନ୍ଦ୍ର ବେହେରାଙ୍କର ୧୦ ମାସ ପୂର୍ବରୁ ମୃତ୍ୟୁ ହୋଇଯାଇଥିଲା । ସେ କିଷାନ କ୍ରେଡିଟ କାର୍ଡ଼ ହିତାଧିକାରୀ ହୋଇଥିବା ଯୋଗୁଁ ତାଙ୍କ ପରିବାରକୁ ଏହି ବୀମାଅର୍ଥ ପ୍ରଦାନ କରାଯାଇଥିବା ସମିତି ସମ୍ପାଦକ ଶ୍ରୀ ଦାସ ସୂଚନା ଦେଇଛନ୍ତି ।


