ପପେଟ ପକ୍ଷରୁ ଜାତୀୟ ପଥପ୍ରାନ୍ତ ନାଟକ ମହୋତ୍ସବ-୨୦୨୩

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜାତୀୟ ପଥପ୍ରାନ୍ତ ନାଟକ ଦିବସ ଅବସରରେ ପପେଟ ପକ୍ଷରୁ ବୁଧବାର ବରମୁଣ୍ଡା ଖେଳପଡ଼ିଆରେ ଜାତୀୟ ପଥପ୍ରାନ୍ତ ନାଟକ ମହୋତ୍ସବ-୨୦୨୩ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ ପ୍ରାରମ୍ଭରେ ନିକଟସ୍ଥ ରାଜଧାନୀ କଲେଜ ସମ୍ମୁଖରୁ କଳାକାରମାନେ ଏକ ଶୋଭାଯାତ୍ରାରେ ବାହାରି ମହୋତ୍ସବ ମଣ୍ଡପ ପର୍ଯ୍ୟନ୍ତ ଯାଇଥିଲେ । ଏହି ଶୋଭାଯାତ୍ରାରେ ଭୋପାଳ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟ ବାହାରୁ ୮ଟି ଦଳ ସମେତ ଓଡ଼ିଶାରୁ ସୁନ୍ଦରଗଡ଼, ଯାଜପୁର, ଗଞ୍ଜାମ, ନୟାଗଡ଼, କୋରାପୁଟ, କଳାହାଣ୍ଡି, ମୟୁରଭଞ୍ଜ ଆଦି ୧୨ଟି ଦଳ ସର୍ବମୋଟ ୨୦ଟି ଦଳ ଅଂଶଗ୍ରହଣ କରିଥିଲେ । ସକାଳ ୧୦ ଘଟିକାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ମହୋତ୍ସବର ଉଦ୍‌ଘାଟନ ଉତ୍ସବରେ ଓଡ଼ିଆ ଚଳଚ୍ଚିତ୍ର ଓ ମଞ୍ଚ କଳାକାର ଅଶ୍ରୁମୋଚନ ମହାନ୍ତି, ଥିଏଟରମ୍ୟାନ ଦୋଳଗୋବିନ୍ଦ ରଥ, ମହୋତ୍ସବ କମିଟିର ଅଧ୍ୟକ୍ଷ, ପୂର୍ବତନ ବିଧାୟକ, ପ୍ରେରଣାର ଅଧ୍ୟକ୍ଷ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, ପପେଟର ସଭାପତି ପ୍ରଫେସର ଡକ୍ଟର କୁବେର ବିଶ୍ୱାଳ, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଲାଲା ବୀରେନ ରାୟ, ଅଭିନେତା ରିଷି ପଟ୍ଟନାୟକ, ନାଟ୍ୟ ନିର୍ଦ୍ଦେଶକ ଧୀର ମଲ୍ଲିକ, ସମାଜସେବୀ ମଧୁସୂଦନ ଦାସ, ଏ. ରାଜାରାଓ, ନିହାର ରଞ୍ଜନ ଦାଶପଟ୍ଟନାୟକ ପ୍ରମୁଖ ଅତିଥି ରୂପେ ଯୋଗଦେଇ ବିଭିନ୍ନ ସାମାଜିକ ସମସ୍ୟା ସମାଧାନର ବାର୍ତ୍ତା ଦେଇଥିଲେ ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ପଥପ୍ରାନ୍ତ ନାଟକ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ପ୍ରଶାନ୍ତ ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସହ ମହୋତ୍ସବର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଚଳଚ୍ଚିତ୍ର ପ୍ରଯୋଜିକା ତଥା ଅଭିନେତ୍ରୀ ବିନି ସାମଲ, ବିଶିଷ୍ଟ ଅଭିନେତ୍ରୀ ପୁଷ୍ପା ପଣ୍ଡା, ସୋଫିଆ ଆଲାମ୍‌, ତୃପ୍ତି ମିରାମ୍ବିକା ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଭିନେତା ବିହାରଲାଲ ତ୍ରିପାଠୀ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନିତ ହୋଇଥିଲେ । ଏଥିସହିତ କିସ୍‌, ଭୀମଟାଙ୍ଗୀ ସରସ୍ୱତୀ ଶିଶୁ ମନ୍ଦିର, ଗାୟତ୍ରୀ ବିଦ୍ୟାମନ୍ଦିର, କୁଟକିଟ୍ ଆଦି ସ୍କୁଲ୍‌ର କଳାକାରମାନେ ବିଭିନ୍ନ ସାମାଜିକ ସମସ୍ୟାକୁ ନେଇ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ଉପସ୍ଥାପିକା ଲିଜା ସଞ୍ଚାଳନ କରିଥିଲେ । ପପେଟ ପକ୍ଷରୁ ଲୀତାରାଣି ଜେନା, ସ୍ୱୟଂପ୍ରଭା ପଟ୍ଟନାୟକ, ମୋନାଲି ଜେନା, ଦିନେଶ ରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ