ହିିଞ୍ଜିଳିରେ ମୋଟର ଯାନ ଆଇନ ଅକାମୀ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ/ ଶେଷଦେବ ସାହୁ): ଚଳିତ ସେପ୍ଟେମ୍ବର ମାସ ଠାରୁ ଓଡ଼ିଶା ସରକାରଙ୍କ ନୂଆଁ ଟ୍ରାଫିକ ନିୟମ ବେଶ୍ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ୨ ଚକିଆ ଯାନ ଠାରୁ ଆରମ୍ଭ କରି ବଡ଼ ବଡ଼ ଗାଡ଼ି ମୋଟର ପାଇଁ ବହୁ ନିୟମ ପ୍ରଚଳନ କରାଯାଇଛି । ଗାଡ଼ି ଚାଳକଙ୍କ ବୈଧ ଗାଡ଼ି ଚାଳନା ପ୍ରମାଣପତ୍ର ସାଙ୍ଗକୁ ଇନସୁରାନ୍ସ, ପ୍ରଦ୍ୟୁଷଣ ପ୍ରମାଣପତ୍ର ଏପରିକି ମଦ୍ୟପାନ କରି ଗାଡ଼ି ଚାଳନା କରୁଥିବା ଚାଳକ ମାନଙ୍କୁ ବ୍ରେଥ ଏନାଲାଇଜର ସହାୟତାରେ ପରୀକ୍ଷା କରି ମୋଟା ଅଙ୍କର ଜରିମାନା କଟାଯାଉଥିବାର ନଜିର ରହିଛି । ହେଲେ ହିଂଜିଳିକାଟୁ ସହରରେ ସତେଯେପରି ଏସବୁ ନିୟମକୁ ଫୁ କରିଦିଆଯାଇଛି । ପ୍ରତ୍ୟେହ ହିଂଜିଳିକାଟୁ ଠାରୁ ଶେରଗଡ଼, କଙ୍କୋରଡ଼ା, ପିତଳ, ବ୍ରାହ୍ମଣଛାଇ ଅଂଚଳକୁ ବହୁ ଟ୍ରେକର, ଜିପ, ମିନିବସ ଓ ଯାତ୍ରୀ ପରିବହନକାରୀ ବସ ଯୋଗେ ଯାତ୍ରୀ ପରିବହନ କରାଯାଇଥାଏ । ବହୁ ଯାତ୍ରୀ ପରିବହନକାରୀ ଗାଡ଼ି ମୋଟରରେ ଡ଼ିଜେଲ ପରିବର୍ତେ କିରୋସିନିକୁ ଇନ୍ଧନ ଭାବେ ବ୍ୟବହାର କରାଯାଉଥିବାର ଦେଖିବାକୁ ମିଳୁଛି । ଏପରିକି ବହୁ ଗାଡ଼ିର ଫିଟନେସ, ଇନସୁରାନ୍ସ ଓ ପରମିଟ ନଥାଇ ଆବଶ୍ୟକ ଠାରୁ ଅଧିକ ପରିମାଣରେ ଯାତ୍ରୀ ପରିବହନ କରୁଥିବାର ଦେଖିବାକୁ ମିଳୁଛି । ବହୁ ସମୟରେ ଆବଶ୍ୟକ ଠାରୁ ଅତ୍ୟଧିକ ଯାତ୍ରୀ ପରିବହନ କରି ଗାଡ଼ି ଗୁଡ଼ିକ ଯାତାୟତ କରୁଥିବା ବେଳେ ଛୋଟବଡ଼ ଦୂର୍ଘଟଣା ଘଟୁଥିବାର ନଜିର ରହିଛି । ପ୍ରତ୍ୟେହ ଶେରଗଡ଼, କଙ୍କୋରଡ଼ା, ପିତଳ ପ୍ରଭୃତି ଅଂଚଳରୁ ଯାତ୍ରୀ ପରିବହନକାରୀ ଗାଡ଼ି ଗୁଡ଼ିକରେ ଆବଶ୍ୟକ ଠାରୁ ଅଧିକ ସଂଖ୍ୟକ ଯାତ୍ରୀଙ୍କୁ ଗାଡ଼ି ମଧ୍ୟରେ ପରିବହନ କରାଯିବା ସହ ଗାଡ଼ିର ଛାତ ଉପରେ ମଧ୍ୟ ଯାତ୍ରୀଙ୍କୁ ଆରୁଥିବାର ନଜିର ରହିଛି । ଏ ନେଇ ଛତ୍ରପୁର ଆଂଚଳିକ ପରିବହନ ଅଧିକାରୀ ସଂଜୟ କୁମାର ବିଶ୍ୱାଳଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ କହିଲେ ଘଟଣା ପ୍ରତି ଦୃଷ୍ଟି ପ୍ରଦାନ କରାଯାଇଛି । ଏଭଳି ବିପଦଜନକ ଭାବେ ଯାତ୍ରୀ ପରିବହନ କରୁଥିବା ଗାଡ଼ି ଗୁଡ଼ିକ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରାଯିବା ସହ ଆଇନାନୁୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଅନ୍ୟପକ୍ଷ୍ୟରେ ବିଭିନ୍ନ ଗାଡ଼ି ମୋଟର ଗୁଡ଼ିକରେ ଡ଼ିଜେଲ ପରିବର୍ତେ ଇନ୍ଧନ ଭାବେ କିରୋସିନି ବ୍ୟବହାର କରାଯାଉଥିବା ବେଳେ ଗାଡ଼ି ମୋଟର ଠାରୁ ନିଷ୍କାସିତ ଧୂଆଁ ବାୟୁମଣ୍ଡଳକୁ ଅଧିକ ପ୍ରଦ୍ୟୁଷିତ କରୁଛି । ଗରିବଙ୍କ ଡ଼ିବିରି ପାଇଁ ଆସୁଥିବା କିରୋସିନିକୁ କିଛି ଡ଼ିଲର କଳାବଜାରୀ କରି ମାଲାମାଲ ହେଉଥିବା ଜଣାପଡ଼ିଛି । ଏ ନେଇ ଜନସାଧାରଣ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ଯୋଗାଣ ବିଭିାଗୀୟ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଥିବା ଦେଖିବାକୁ ମିଳିଛି ।