ପଛୁଆବର୍ଗ ସର୍ଭେ କାର୍ଯ୍ୟରୁ ପ୍ରାଥମିକ ଶିକ୍ଷକମାନଙ୍କୁ ବାଦ୍ ଦେବାକୁ ଦାବି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆସନ୍ତା ମାସରୁ ଆମ ରାଜ୍ୟରେ ପଛୁଆବର୍ଗର ଲୋକମାନଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ କରାଯିବ । ଏହି ସର୍ଭେ କାର୍ଯ୍ୟ କରିବା ପାଇଁ ଗ୍ରାମାଞ୍ଚଳରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀ ଓ ପୌରାଞ୍ଚଳ ଅଙ୍ଗନୱାଡ଼ି କର୍ମୀ, ଟ୍ୟାକ୍ସ କଲେକ୍ଟର ଓ ଅଫିସରମାନଙ୍କୁ ଏନୁମରେଟର ଭାବେ ଓ ଗ୍ରାମାଞ୍ଚଳରେ ଆଇସିଡିଏସ୍ ସୁପର ଭାଇଜର ମାର୍କେଟିଂ ଇନ୍ସପେକ୍ଟର, ଗ୍ରାମ ପଞ୍ଚାୟତ ଏକ୍ସଟେନସନ ଅଫିସର ପ୍ରୋଗ୍ରେସ ଆସିଷ୍ଟାଣ୍ଟ, ୱେଲଫେୟାର ଏକ୍ଟେନସନ ଅଫିସର ବ୍ଲକ ସୋସିଆଲ ସିକ୍ୟୁରିଟି ଅଫିସରମାନଙ୍କୁ ଏବଂ ପୌରାଞ୍ଚଳରେ ଆଇସିଡିଏସ୍ ସୁପରଭାଇଜର, ମାର୍କେଟିଂ ଇନ୍ସପେକ୍ଟର, ଜୋନ ଅଫିସରମାନଙ୍କୁ ସୁପର ଭାଇଜର ରୂପେ ନିଯୁକ୍ତ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶନାମା ଥିଲାବେଳେ ବହୁ ଜିଲ୍ଲାରେ ପ୍ରାଥମିକ ଶିକ୍ଷକମାନଙ୍କୁ ପଛୁଆବର୍ଗ ସର୍ଭେ କାର୍ଯ୍ୟରେ ନିୟୋଜିତ କରାଯାଇଥିବାରୁ ଶିକ୍ଷକମାନଙ୍କ ମନରେ ଅସନ୍ତୋଷର ବାତାବରଣ ଦେଖାଦେଇଛି । ଶିକ୍ଷା ଅଧିକାର ଆଇନ ଅଧିନିୟମ-୨୦୧୦ ଧାରା-୨୭ରେ ଉଲ୍ଲେଖ ଅଛି କି ଶିକ୍ଷକମାନେ ଦଶବର୍ଷୀୟ ଜନଗଣନା, ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟ ଏବଂ ନିର୍ବାଚନ ଭଳି ତିନୋଟି ଅଣଶିକ୍ଷା କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜିତ କରାଯାଇ ପାରିବ ନାହିଁ । ଗତକାଲି ମଧ୍ୟ ମାନ୍ୟବର ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ପ୍ରକାଶ କରିଛନ୍ତି କି, ଶିକ୍ଷକମାନଙ୍କୁ ଶିକ୍ଷାଦାନ ଏବଂ ଶିକ୍ଷା ସହ ସମ୍ପୃକ୍ତ କିଛି ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜିତ କରାଯାଇ ପାରିବ ନାହିଁ । କିନ୍ତୁ ଆମ ରାଜ୍ୟରେ ଶିକ୍ଷା ଅଧିକାର ଆଇନ ଓ ମାନ୍ୟବର ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟକୁ ଉଲଙ୍ଘନ କରି ପ୍ରାଥମିକ ଶିକ୍ଷକମାନଙ୍କୁ ପଛୁଆବର୍ଗ ଲୋକମାନଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ କାର୍ଯ୍ୟେରେ ନିୟୋଜିତ କରାଯାଇଛି । ପୁନଶ୍ଚ ସମସ୍ତ ଗ୍ରାମରେ ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତ ହୋଇଥିବା ବେଳେ ଗଣଶିକ୍ଷା ଗ୍ରୀଷ୍ମଛୁଟିରେ ଶିକ୍ଷକମାନଙ୍କୁ ଆଇରନ ବଟିକା ଓ ଫଲିକ୍ ଏସିଡ଼ ବଟିକା ଛାତ୍ରଛାତ୍ରୀମାନଙ୍କ ଘରକୁ ଘର ବୁଲି ବାଣ୍ଟିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷାଦାନ ବ୍ୟତୀତ ଅନ୍ୟ ଅଣଶିକ୍ଷା କାର୍ଯ୍ୟରେ ଶିକ୍ଷକମାନଙ୍କୁ ସରକାର ନିଯୁକ୍ତ କରୁଥିବାରୁ ସେମାନଙ୍କୁ ସର୍ବସାଧାରଣରେ ନିନ୍ଦିତ ହେବାକୁ ପଡୁଛି । ତେଣୁ ପଛୁଆବର୍ଗର ଲୋକମାନଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ କରିବା ପାଇଁ ଅଙ୍ଗନୱାଡ଼ି କର୍ମୀଙ୍କୁ ନିଯୁକ୍ତ କରି ତୁରନ୍ତ ଏହି କାର୍ଯ୍ୟରୁ ଶିକ୍ଷକମାନଙ୍କୁ ବାଦ ଦେବାକୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା, ସାଧାରଣ ସମ୍ପାଦକ ବିଭୁପ୍ରସାଦ ସାହୁ, କାର୍ଯ୍ୟକାରୀ ସଭାପତି ଦୀପକ କୁମାର ସାହୁ, ଶ୍ରୀକାନ୍ତ ବାରିକ, ଜନ୍ମେଜୟ ମାଝୀ, ସୁଧାଂଶୁ ମଣ୍ଡଳ, ସଂଗଠନ ସମ୍ପାଦକ ରଶ୍ମୀରଞ୍ଜନ ଧଳ, ଆଭାଲିନ ପରିଡ଼ା ପ୍ରମୁଖ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ।


