ନୃସିଂହ ଚତୁର୍ଦ୍ଦଶୀ ରେ ୧୨ ଗାଦି ଭାଗବତ ମେଳଣ
ନିମାପଡ଼ା, (ସନ୍ତୋଷ ଦାଶ):ଆଜି ଥିଲା ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ତିଥି। ପ୍ରାତଃ ରୁ ନିମାପଡ଼ା ବ୍ଲକ ବହାରେଣା ପଞ୍ଚାୟତ ର ତେନ୍ତୁଳିଗୁଆଁ ଗ୍ରାମର ମା ଭଗବତୀ ଙ୍କ ପୀଠ ଠାରେ ଅନୁଷ୍ଠିତ ହୋଇଥିଲା ୧୨ ଗାଦି ଭାଗବତ ମେଳଣ। ପ୍ରଥମେ ଥାନପତି ତେନ୍ତୁଳିଗୁଆଁ ଗ୍ରାମ ର ଭାଗବତ ଗାଦି ସ୍ଵ ବିମାନ ରେ ଠାକୁରାଣୀ ପୀଠ ସ୍ଥିତ ମେଳଣ ମଣ୍ଡପ ଠାରେ ପହଞ୍ଚିବା ପରେ ମଣ୍ଡପ ରେ ଅବସ୍ଥାନ କରିଥିଲେ। ପରେ ପରେ ସ୍ୱ ସ୍ୱ ସୁସଜ୍ଜିତ ବିମାନ ରେ ତୁଳସୀପୁର, ସୁଧ ବାରିମୂଳ, ସିରି କୋଇଲି, କଦଳିବାରି, ଆଟିକାଫୁଟି,ମଧୁସୂଦନପୁର ଶାସନ, ସଇଦାବାଦ, ବାଲୁଙ୍କ ପ୍ରଭୁତି ଗ୍ରାମ ର ଭାଗବତ ଗାଦି ମେଲଣ ପଡିଆ ରେ ପହଞ୍ଚି ମଣ୍ଡପ ରେ ଉପବେଶନ କରିଥିଲେ। ସମସ୍ତ ଠାକୁର ଙ୍କୁ ଗ୍ରାମବାସୀ ମାନଙ୍କ ପକ୍ଷରୁ ମନ୍ଦିର ପୂଜକ ରତ୍ନାକର ମିଶ୍ର,ହୃଦାନନ୍ଦ ତ୍ରିପାଠୀ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଠାକୁର ମାନଙ୍କ ନିକଟରେ ବାଳ ଭୋଗ, ଅନ୍ନ ଭୋଗ ଲାଗି କରାଯାଇଥିଲା। ଠାକୁର ମାନଙ୍କ ସମ୍ମୁଖରେ ଭାଗବତ ପାଠ କରାଯାଇଥିଲା। ସଂନ୍ଧ୍ୟାରେ ପାରମ୍ପରିକ ପ୍ରଥାନୁସାରେ ୧୨ଗାଦି ଠାକୁର ଙ୍କ ମଧ୍ୟରେ ମେଳଣ ଅନୁଷ୍ଠିତ ହୋଇ ଠାକୁର ମାନେ ନିଜ ଗାଁକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ଅବସର ରେ ଠାକୁରାଣୀ ପୀଠ ନିକଟରେ ମେଳା ଲାଗିଥିଲା। ୧୨ଗାଦି ମେଳଣ ପାଇଁ ତେନ୍ତୁଳିଗୁଆଁ ଗାଁ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।


