ବଧୂ ହତ୍ୟା ମାମଲା ଅଭିଯୁକ୍ତ ସ୍ବାମୀ ଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପୋଲିସ ମଙ୍ଗଳବାର   ପଦ୍ମନାଭପୁର କୁମୁଟି ସାହିର ଟୁକୁନା ବେହେରା ଙ୍କୁ ଥାନା ମାମଲା ନଂ.୧୭୪/୨୩ ଦଫା -୪୯୮(କ)/୩୦୪(ଖ)/୩୦୨/୫୦୬/୩୪ ଆଇ ପି ସି ସମେତ ଯୌତୁକ ନିରୋଧ ଆଇନ ର ଧାରା – ୪ ଅନୁଯାୟୀ କୋର୍ଟ ଚାଲାଣ କରିଛନ୍ତି। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ରବିବାର ଅପରାହ୍ନରେ ଟୁକୁନା ଙ୍କ ସ୍ତ୍ରୀ ତଥା ନବବଧୂ ପ୍ରମିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ତାଙ୍କୁ ଯୋଜନାବଦ୍ଧ ଭାବେ   ହତ୍ଯା କରାଯାଇଥିବା ପ୍ରମିଳା ଙ୍କ ବାପଘର ଲୋକେ ଅଭିଯୋଗ କରିଥିଲେ।ତାଙ୍କ ଗଳାରେ ଓଢଣି ଲଗାଇ ହତ୍ୟା କରାଯିବା ପରେ ଶ୍ବଶୁର ଘର ଲୋକେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିବା ନେଇ ମୃତା ପ୍ରମିଳାଙ୍କ ଭାଇ ସିମାଞ୍ଚଳ ବେହେରା ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ।ଗତ ୩ ମାସ ପୂର୍ବେ ଫେବୃଆରୀ ୧୦ ତାରିଖରେ ଚିକିଟି ନିକଟ କରବାଲୁଆ ଗ୍ରାମର ପ୍ରମିଳାଙ୍କ ବିବାହ ପଦ୍ମନାଭପୁର ଗ୍ରାମର ଟୁକୁନା ବେହେରାଙ୍କ ସହ ହୋଇଥିଲା।ବିବାହ ସମୟରେ ସ୍ଵାମୀ ଓ ଶ୍ୱଶୁରଘର ଲୋକଙ୍କ ଦାବୀ ମୁତାବକ ସମସ୍ତ ଯୌତୁକ ସାମଗ୍ରୀ ଦିଆଯାଇଥିଲା।ତଥାପି ଅଧିକ ଯୌତୁକ ଦାବୀରେ ଶ୍ବଶୁର ଘର ଲୋକେ ପ୍ରମିଳାଙ୍କୁ ନିର୍ଯ୍ୟାତନା ଦେଇ ଆସିବା ସହ ପୂର୍ବରୁ ଅନେକ ଥର ହତ୍ଯାଉଦ୍ଯମ ମଧ୍ୟ କରିଥିବା ବାପଘର ଲୋକେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ପ୍ରମିଳା କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପ୍ରମିଳା ଙ୍କ ସ୍ବାମୀ ଟୁକୁନା ପୋଲିସ କୁ କହିଛନ୍ତି।  ଦୁଇଦିନ ପୂର୍ବେ ସ୍ବାମୀ ଟୁକୁନା ପ୍ରମିଳାଙ୍କୁ ନେଇ ତାଙ୍କ ବାପଘରେ ଛାଡିଦେଇ ଆସିଥିଲେ। ଗତ ରବିବାର ପୁଣି ଟୁକୁନା ତାଙ୍କର ଭୁଲ ସ୍ବୀକାର କରି ସ୍ତ୍ରୀ ପ୍ରମିଳାଙ୍କୁ ଧରି ପଦ୍ମନାଭପୁର ଫେରିଥିଲେ।ଅପରାହ୍ନ ରେ  ପ୍ରମିଳା ଙ୍କୁ ଅଚେତ ଅବସ୍ଥାରେ  ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରକୁ ଅଣାଯାଇଥିଲା।ଉପସ୍ଥିତ ଡାକ୍ତର ପ୍ରମିଳାଙ୍କୁ ମୃତ ଘୋଷଣା କରିଥିଲେ।ମୃତ୍ୟୁ ଖବର ପାଇବା ପରେ ପ୍ରମିଳାଙ୍କ ପରିବାର ଲୋକେ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ପହଞ୍ଚି ପ୍ରମିଳାଙ୍କୁ ସୁଚିନ୍ତିତ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିବା ସହ ଦିଗପହଣ୍ଡି ଥାନାରେ ଲିଖିତ ଏତଲା ଦେଇଥିଲେ।ଥାନା ଆଇ ଆଇ ସି ଦୀପ୍ତି ରଞ୍ଜନ ବେହେରା ସାଇଣ୍ଟିଫିକ ଟିମ୍ ସହ ଟୁକୁନା ଙ୍କ ଘରେ ପହଞ୍ଚି ସରଜମିନ ତଦନ୍ତ କରି ଫେରିଥିଲେ। ଏତଲା କୁ ଭିତ୍ତି କରି  ମାମଲା ରୁଜୁ କରାଯିବା ସହ ସୋମବାର ସକାଳେ ମୃତଦେହକୁ  ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ