ଗଞ୍ଜାମରେ ହିରାଖଣ୍ଡ ଓ ତିରୁପତି ଏକ୍ସପ୍ରେସ ରହଣି ପ୍ରସଙ୍ଗ
ଗଞ୍ଜାମ, (ଯୁଗାବ୍ଦ ନ୍ୟୁଜ):କୋଭିଡ଼ି କଟକଣା ହଟିବା ପରେ ଗଞ୍ଜାମ ରେଳ ଷ୍ଟେସନରେ ପୂର୍ବରୁ ରହିଆସୁଥିବା ଦ୍ରୁତଗାମୀ ଟ୍ରେନ ହିରାଖଣ୍ଡ ଓ ତିରୁପତି ଏକ୍ସପ୍ରେସ ନରହିବା ଫଳରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଯାହାକୁ ନେଇ ଗତ ବର୍ଷ ମେମାସ ୧୭ତାରିଖରେ ଅଞ୍ଚଳବାସୀ ଗଞ୍ଜାମ ଷ୍ଟେସନଠାରେ ହିରାଖଣ୍ଡ ଏକ୍ସପ୍ରେସ କୁ ରେଳରୋକ କରିଥିଲେ। ଖୋର୍ଦ୍ଧା ରୋଡ଼ ଡିସିଏମ – ଜି. ସି.ନାୟକ ଓ ଷ୍ଟପ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଏକମାସ ଭିତରେ ଟ୍ରେନ ରହିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଫଳରେ ରେଳରୋକରୁ ଓହରିଥିଲେ ଅଞ୍ଚଳବାସୀ। ଏହା ମଧ୍ୟରେ ରେଳରୋକ କରିବାର ଏକବର୍ଷ ବିତିଯାଇଥିଲେ ମଧ୍ୟ ଟ୍ରେନ ରହିବା ଦୂରର କଥା ପ୍ରତିଶ୍ରୁତିରେ ସୀମିତ ରହିଯାଇଛି ରେଳବିଭାଗ । ଯାହାକୁ ନେଇ ତୀଵ୍ରପ୍ରତିକ୍ରିୟା ପ୍ରକାଶ ପାଇବା ସହ ଜୁନମାସ ପ୍ରଥମ ସପ୍ତାହରେ ରେଳରୋକ କରିବା ପାଇଁ ସଜବାଜ଼ ହେଉଥିବା ଜଣାପଡିଛି। ପରବର୍ତ୍ତୀ ସମୟରେ ପୁନର୍ବାର ଗଞ୍ଜାମ ଏନଏସି ଅଧକ୍ଷ ପ୍ରତିଭା ପାଢ଼ୀ , ଗଞ୍ଜାମ ପୋୖରାଞ୍ଚଳ ବରିଷ୍ଠ ନାଗରିକ ସଙ୍ଘ, ଗଞ୍ଜାମ ଅଞ୍ଚଳବାସୀ, ବରିଷ୍ଠ ନାଗରିକ ପରିଷଦ ସମ୍ପାଦକ ଗୌରୀଶଙ୍କର ପାଢ଼ୀ ପୃଥକ ପୃଥକ ଭାବେ ରେଳବାଇ ମନ୍ତ୍ରୀ ଓ କର୍ତ୍ତୃପକ୍ଷଙ୍କୁ ଟ୍ରେନ ରହଣି ନେଇ ଲିଖିତ ଭାବେ ଦାବିପତ୍ର ପ୍ରଦାନ କରିଛନ୍ତି। ଏପରିକି ଗତବର୍ଷ ଡିସେମ୍ବର ମାସ ସାତ ତାରିଖରେ ପୁର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଠାରେ ପୂର୍ବତଟ ରେଳ ବିଭାଗର ଡିଜିଏମଙ୍କୁ ଭେଟି ଆଲୋଚନା କରିଥିଲେ । ଏହା ମଧ୍ୟରେ ମାସ ପରେ ମାସ ଗଡିଚାଲିଥିଲେ ମଧ୍ୟ ରେଳବିଭାଗ ଟେନ ରହଣି ନେଇ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରୁନଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଟ୍ରେନ ନରୁହେ ତେବେ ପୁନର୍ବାର ଜୁନ ପ୍ରଥମ ସପ୍ତାହରେ ରେଳରୋକ କରାଯିବ ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ଚେତାବନୀ ଦିଆଯିବା ସହ ରେଳବିଭଗ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଦିଆଯାଇଥିବା ଜଣାପଡିଛି।


