ଚୋରୀ ଘଟଣାରେ ହିଞ୍ଜିଳି ପୁଲିସକୁ ମିଳିଲା ବଡ ସଫଳତା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଚୋରୀ ଘଟଣାରେ ହିଞ୍ଜିଳି ପୁଲିସକୁ ମିଳିଛି ବଡ ସଫଳତା । ଚୋରୀ ଘଟଣାରେ ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୬ଟି ମୋଟର ସାଇକେଲ ଓ ୫ଟି ମୋବାଇଲ ଫୋନକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନା କେସ ନଂ- ୩୨୬ ଓ ୩୨୭/୨୩ରେ ଏକ ମାମଲା ରୁଜୁ କରି ଗିରଫ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୂତ୍ରରୁ ପ୍ରକାଶ ।ପ୍ରକାଶ ଯେ, ଗତ ୪ ତାରିଖ ରାତ୍ର ପ୍ରାୟ ୮ ଘଣ୍ଟା ସମୟରେ ହିଞ୍ଜିଳି ଥାନା ଦୁର୍ବନ୍ଧ ଗ୍ରାମର କୃଷ୍ଣଚନ୍ଦ୍ର ସାହୁ ପଳାସିର ଏକ ମାର୍ବଲ ଦୋକନରୁ କାମ ସାରି ସାଇକେଲ ଯୋଗେ ଗ୍ରାମକୁ ଫେରୁଥିଲେ । ପଳାସି- ଖାଜିପଲ୍ଲୀ ରାସ୍ତାରେ ୨ ଜଣ ଅଜଣା ଯୁବକ ଏକ ବାଇକ୍ ଯୋଗେ ଆସି କୃଷ୍ଣଙ୍କୁ ମାଡ ମାରିବା ସହ ତାଙ୍କ ପକେଟରୁ ଏକ ମୋବାଇଲ ଫୋନ୍ ଓ ୫ଶହ ଟଙ୍କା ଲୁଟ୍ କରି ଫେରାର ହୋଇ ଯାଇଥିଲେ । ଏ ନେଇ କୃଷ୍ଣ ୫ ତାରିଖରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ବୁଗୁଡା ଅଞ୍ଚଳରେ ୨ ଲୁଟେରା ଚୋରୀ ମୋବାଇଲ ଫୋନକୁ ବିକ୍ରି କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ହିଞ୍ଜିଳି ପୁଲିସ ଅର୍ତକିତ ଚଡାଉ କରି ୨ ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ଗିରଫ ୨ ଲୁଟେରା ହେଲେ ବୁଗୁଡା ଥାନା ପାଙ୍ଗିଡି ଗ୍ରାମର ଜି. ସୁଶାନ୍ତ ପାତ୍ର (୨୫) ଓ ଜି. ରବିନ୍ଦ୍ର ପାତ୍ର (୨୦) । ୨ଟି ଚୋରୀ ମୋବାଇଲ ଫୋନ ଓ ଏକ ମୋଟର ସାଇକେଲ କିଣିବା ଅଭିଯୋଗରେ ବୁଗୁଡା ଅଞ୍ଚଳର ଜଣଙ୍କୁ ମଧ୍ୟ ହିଞ୍ଜିଳି ପୁଲିସ ଗିରଫ କରିଛି । ଗିରଫ ଜଣଙ୍କ ହେଲେ ଶିବରାମ ବିଶ୍ୱାଳ (୨୬) । ଗିରଫ ଲୁଟେରାଙ୍କୁ ପୁଲିସ କାବୁ କରିବା ପରେ ଦୁହେଁ ଚୋରୀ କରିଥିବା ପୁଲିସ ନିକଟରେ ସ୍ୱୀକାର କରିଥିଲେ । ଗିରଫ ୩ ଜଣଙ୍କ ଠାରୁ ୬ଟି ମୋଟର ସାଇକେଲ(ହୋଣ୍ଡା ସାଇନ୍ ନଂ- ଓଡି୦୭ଏ ୩୬୭୩, ଟିଭିଏସ ଆପାଚି ନଂ- ଓଡି୦୨ଜେଡ୍ ୩୫୫୧, ହିରୋହୋଣ୍ଡା ସିଡି ଡିଲକ୍ସ ନଂ- ଓଆର୦୭ଏ ୪୫୪୮, ହିରୋ ଗ୍ଳେମର ନଂ- ଓଡି୦୧କ୍ୟୁ ୦୧୮୭, ହିରୋ ସ୍ପେ୍ଳଣ୍ଡର ନଂ- ଓଡି୦୭ଏମ ୨୫୫୦, ବଜାଜ ପଲସର ନଂ- ଓଡି୦୭ବି ୪୩୮୬ ) ସମେତ ୬ଟି ମୋବାଇଲ ଫୋନକୁ ହିଞ୍ଜିଳି ପୁଲିସ ଜବତ କରିଛି । ଗିରଫ ୨ ଲୁଟେରାଙ୍କ ନାମରେ ପୂର୍ବରୁ ନିମଖଣ୍ଡି, ଖଲ୍ଲିକୋଟ, ବ୍ରହ୍ମପୁର ସଦର ଓ ବୁଗୁଡା ଥାନାରେ ବହୁ ଚୋରୀ ଘଟଣାରେ ସଂଶ୍ଳିଷ୍ଟ ରହିଥିବା ଜଣାପଡିଛି । ଚଡାଉରେ ଥାନା ଏସଆଇ ସିଦ୍ଧାର୍ଥ ଶଙ୍କର ଜେନା, ଏଏସଆଇ ଉପେନ୍ଦ୍ର ର୍କାଷ୍କା, କନେଷ୍ଟବଳ ସରୋଜ ରଣସିଂ, ଜିତେନ୍ଦ୍ର ଗୌଡ, ଦଣ୍ଡପାଣି ମଲ୍ଲିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।


