ଲାଞ୍ଚ ଏବଂ ଅପହରଣ ମାମଲା, ମହିଳା ଏସ୍. ଆଇ ନିଲମ୍ବିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଞ୍ଜେଇ ମାମଲାରେ ଜବତ ଏକ ଅଟୋ କୁ ଛାଡିବା ପାଇଁ ଲାଞ୍ଚନେବା ଏବଂ ପରେ ଦୋଷମୁକ୍ତ ହେବାପାଇଁ ଅଭିଯୋଗ କାରିଙ୍କୁ ଅପହରଣ କରିବା ଘଟଣାରେ ଗଜପତି ଜ଼ିଲ୍ଲା ମୋହନା ଥାନାର ପୂର୍ବତନ ମହିଳା ଏସ୍. ଆଇ ଜ୍ୟୋତ୍ସ୍ନା ରଏଙ୍କୁ ନିଲମ୍ବନ କରିଛନ୍ତି ଗଜପତି ଆରକ୍ଷୀ ଅଧିକ୍ଷକ ସ୍ଵାତି ଏସ୍. କୁମାର | ସୂଚନା ଅନୁଯାୟୀ, ମୋହନା ଥାନା ନୁଣ୍ଡୁୁଜ୍ ଗ୍ରାମର ପ୍ରେରିତ ମାଝୀ ନାମକ ଜଣେ ଆଦିବାସୀ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ଏକ ଅଟୋ ଗଞ୍ଜେଇ ଚାଲାଣ ମାମଲା ରେ ଛନ୍ଦି ହୋଇ ମୋହନା ଥାନାରେ ଅଟକ ଥିଲା l ଉକ୍ତ ଅଟୋକୁ ଛାଡିବା ପାଇଁ ମହିଳା ଏସ୍. ଆଇ ଜଣକ ପ୍ରେରିତଙ୍କ ଠାରୁ ୨୦ ହଜାର ଟଙ୍କା ସହ କୁକୁଡ଼ା, ମାଛ ଆଦି ନେଇଥିଲେ କିନ୍ତୁ ଅଟୋ ଟିକୁ ଛାଡି ନଥିଲେ l ଏନେଇ ପ୍ରେରିତ ଗତ ୨୫/୩/୨୦୨୩ ରେ ମୋହନା ଥାନାରେ ଅଭିଯୋଗ କରିଥିଲେ, କିନ୍ତୁ କୌଣସି ନ୍ୟାୟ ନପାଇ ମୋହନା ସାମ୍ବାଦିକ ସଙ୍ଘର ସାହାଯ୍ୟ ଲୋଡ଼ିଥିଲେ | ସାମ୍ବାଦିକ ସଙ୍ଘ ସଦସ୍ୟମାନେ ୨୭/୩/୨୦୨୩ ରେ ମୋହନା ଥାନାକୁ ଯାଇ ଘଟଣାର ପ୍ରତିବାଦ କରିବା ପରେ ଏସ୍. ଆଇ ଜଣକ ୨୦ ହଜାର ଟଙ୍କା ପ୍ରେରିତଙ୍କୁ ପ୍ରଦାନ କରିଥିଲେ l ଘଟଣା ବିଷୟରେ ଗଜପତି ଆରକ୍ଷୀ ଅଧିକ୍ଷକ ଅବଗତ ହେବାପରେ ମହିଳା ଏସ୍. ଆଇଙ୍କୁ ପାରଳାଖେମୁଣ୍ଡି ଜ଼ିଲ୍ଲା ମୁଖ୍ୟାଳୟକୁ ବଦଳି କରିଥିଲେ | କିନ୍ତୁ ଗତ ୨୬/୪/୨୦୨୩ ରେ ଏକ ଦୁଷ୍କର୍ମ ମାମଲାର ସାକ୍ଷ ଦେବାପାଇଁ ମୋହନା ଆସିଥିବା ମହିଳା ଏସ୍. ଆଇ ଜ୍ୟୋତ୍ସ୍ନା ଅଭିଯୋଗ କାରି ପ୍ରେରିତଙ୍କୁ କିଛି ବ୍ୟକ୍ତିଙ୍କ ସହଯୋଗରେ ଅପହରଣ କରି ନେଇ ଏକ ସାଧା କାଗଜରେ ସ୍ଵାକ୍ଷର କରିବା ପାଇଁ ବାଧ୍ୟ କରିଥିଲେ l ଭୟରେ ପ୍ରେରିତ ଉକ୍ତ କାଗଜରେ ସ୍ଵାକ୍ଷର କରିବା ପରେ ନିଜକୁ ନିର୍ଦୋଷ ପ୍ରମାଣିତ କରିବାର ଏକ ଲେଖା ନିଜେ ପ୍ରସ୍ତୁତ କରି ମୋହନା ଥାନା ଅଧିକାରୀଙ୍କୁ ପ୍ରଦାନ କରିଥିଲେ lପରେ ଏନେଇ ପ୍ରେରିତ ମାଝୀ ମୋହନା ଥାନା ରେ ସମ୍ପୃକ୍ତ ଏସ୍. ଆଇଙ୍କ ବିରୋଧରେ ତାଙ୍କୁ ଅପହରଣ କରାଯାଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପରେ ଘଟଣା ର ତଦନ୍ତ ଚାଲିଥିଲା, ୨୨/୫/୨୦୨୩ ରେ ଗଜପତି ଆରକ୍ଷୀ ଅଧିକ୍ଷକ ଏସ୍. ଆଇ ଜ୍ୟୋତ୍ସ୍ନା ରଏଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି l ମହିଳା ଏସ୍. ଆଇଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା ଗଜପତି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସୁତ୍ରରୁ ସୂଚନା ମିଳିଛି l


