ରାଜ୍ୟସ୍ତରୀୟ ଗିରିଜା ମେଧା ସମ୍ମାନ-୨୦୨୩
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପିଲାମାନେ ସଫଳତା ହାସଲ କରିବା ପରେ ଅଧିକ ଖୁସି ହୁଅ ନାହିଁ କିମ୍ବା ଦୁଃଖରେ ବି ଭାଙ୍ଗିପଡ଼ ନାହିଁ । ଦଶମ ଶ୍ରେଣୀରେ ଯେଉଁ ସଫଳତା ପାଇଛ ତାହା ଦ୍ୱାଦଶରେ ମିଳିବ ବୋଲି ଭାବି ଚୁପ୍ ବସିବା ଠିକ୍ ହେବନାହିଁ । ସଫଳତାକୁ ମୁଣ୍ଡରେ ଚଢିବାକୁ ଦିଅନାହିଁ ବୋଲି ରାଜ୍ୟସ୍ତରୀୟ ଗିରିଜା ମେଧା ସମ୍ମାନ-୨୦୨୩ ଉତ୍ସବରେ ଯୋଗଦେଇ ବକ୍ତାମାନେ କହିଛନ୍ତି ।ଗୁରୁବାର ରୋଟାରୀ ଭବନ କ୍ଲବରେ ମାଷ୍ଟର ଗିରିଜା ମେମୋରିଆଲ ରୋଡ଼ ସେଫ୍ଟି ଫାଉଣ୍ଡେସନ ଟ୍ରଷ୍ଟ ଏବଂ ଚଣ୍ଡୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ରାଜ୍ୟସ୍ତରୀୟ ଗିରିଜା ମେଧା ସମ୍ମାନ-୨୦୨୩ ଏବଂ ୪୮ତମ ଅର୍ଣ୍ଣଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଡ. ଅରୁନ୍ଧତୀ ଦେବୀ ଯୋଗଦେଇ ସମ୍ବର୍ଦ୍ଧିତ ହୋଇଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଟ୍ରଷ୍ଟର ଅଧ୍ୟକ୍ଷା ଅମୀୟବାଳା ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ କୋଠାବାଡ଼ି ଓ ନିର୍ମାଣ ଶ୍ରମିକ ବୋର୍ଡ଼ର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୁପ୍ରିୟା ଦାଶ, ଟ୍ରଷ୍ଟି ତଥା କ୍ଲାପର ସଭାପତି ବିକାଶ ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଟ୍ରଷ୍ଟର ସଦସ୍ୟ ମଳୟ ରାଉତରାୟ ମଞ୍ଚ ପରିଚାଳନା କରିଥିବା ବେଳେ ସମାଜସେବୀ ତୁଷାରକାନ୍ତି, ଇସ୍ପିତା ସାହୁ, ଶତାବ୍ଦୀ ପଲାଇ, ବର୍ଷା ମହାପାତ୍ର, ମୀନାକ୍ଷୀ ଗିରି, ସୁଭାଷିନୀ, ସୁଦେସ୍ନା, ଜୟରାମ ଦାସ, ସୁମନ୍ତ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ସିବିଏସ୍ଇ ଦଶମ ଓ ଓଡ଼ିଶା ମାଧ୍ୟମିକ ବୋର୍ଡ଼ର ଦଶମ ଶ୍ରେଣୀର ୩୫ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।


