ଦିଲ୍ଲୀ ହାଇକୋର୍ଟ ଦ୍ୱାରା ଅନ୍ଲାଇନ୍ ମେଡ଼ିସିନ୍ ବିକ୍ରି ଉପରେ ଲାଗିଲା ରୋକ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଡ଼କ୍ଟର ଜାହିର ଅହମ୍ମଦଙ୍କ ଦ୍ୱାରା ଅନ୍ଲାଇନ୍ ମେଡ଼ିସିନ୍ ବିକ୍ରି ଉପରେ ରୋକ୍ ଲଗେଇବା ପାଇଁ ହୋଇଥିବା କେସ୍ର ଶୁଣାଣି କରି ମାନ୍ୟବର ଦିଲ୍ଲୀ ହାଇକୋର୍ଟ ଅନ୍ଲାଇନ୍ ମେଡ଼ିସିନ୍ ବିକ୍ରି ଉପରେ ରୋକ ଲଗାଇଛନ୍ତି ।ମାନ୍ୟବର ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶ ଅନୁଯାୟୀ ଡ଼ି.ସି.ଜି.ଆଇ ଡ଼ଃ ଭି.ଜି. ସୋମାନି ତା ୨୮.୧୧.୨୦୧୯ରେ ଏକ ବିଜ୍ଞପ୍ତି ମାଧ୍ୟମରେ ଭାରତର ସମସ୍ତ ରାଜ୍ୟ ଓ ୟୁନିୟନ ଟେରିଟୋରିକୁ ଅନ୍ଲାଇନ୍ ମେଡ଼ିିସିିନ୍ ବିକ୍ରି ଉପରେ ରୋକ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସର୍ବଭାରତୀୟ ଔଷଧ ବ୍ୟବସାୟୀ ସଂଘର ସଭାପତି ଶ୍ରୀଯୁକ୍ତ ଜେ. ସିନ୍ଧେ ଏହି ପରିପ୍ରେକ୍ଷୀରେ ପ୍ରକାଶ କରିଛନ୍ତି ଯେ, ଯଦିଓ ଆମ ସଂଘ ଦ୍ୱାରା ବିଭିନ୍ନ ସମୟରେ ବିଭିନ୍ନ ସରକାରୀ ପଦାଧିକାରୀଙ୍କୁ ଏବଂ ସରକାରଙ୍କୁ ଏହି ଅନ୍ଲାଇନ୍ ମେଡ଼ିସିନ୍ ବିକ୍ରି ସାଧାରଣ ଜନତାଙ୍କ ଉପରେ ପକାଉଥିବା କୁପ୍ରଭାବ ବିଷୟରେ ଅବଗତ କରାଇଥିଲେ ମଧ୍ୟ ଏହାର କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଏହି ବିଜ୍ଞପ୍ତି ମାଧ୍ୟମରେ ଆମେ ଡ଼ି.ସି.ଜି.ଆଇ ମହୋଦୟଙ୍କୁ ସାଧୁବାଦ ଜଣାଉଛୁ କି ସମସ୍ତ ରାଜ୍ୟ ଏବଂ ୟୁନିୟନ ଟେରିଟୋରୀ ଏଥିପ୍ରତି ସଜାଗ ହୋଇ ତାଙ୍କୁ ଦେଇଥିବା ନିର୍ଦ୍ଦେଶ ମାଧ୍ୟମରେ ଅନ୍ଲାଇନ୍ ମେଡ଼ିସିନ୍ ବିକ୍ରି ଉପରେ ଭାରତରେ ରୋକ ଲଗାଇବା ପାଇଁ ନିଷ୍ପତ୍ତି କରିବେ । ଯଦି ଅନ୍ଲାଇନ୍ ମେଡ଼ିସିନ୍ ବିକ୍ରି ଉପରେ ରୋକ ନଲାଗେ ତେବେ ସର୍ବଭାରତୀୟ ଔଷଧ ବ୍ୟବସାୟୀ ସଂଘ ଏହାର ତୀବ୍ର ବିରୋଧ କରିବ । ଆବଶ୍ୟକସ୍ଥଳେ ଆଇନ୍ର ଆଶ୍ରୟ ମଧ୍ୟ ନେବ ।ସର୍ବଭାରତୀୟ ସଂଘକୁ ପୂର୍ଣ୍ଣ ସମର୍ଥନ ଜଣାଇ ଉତ୍କଳ କେମିଷ୍ଟି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରଶାନ୍ତ ମହାପାତ୍ର ଓଡ଼ିଶାର ସମସ୍ତ ଜିଲ୍ଲାର ସଭାପତି ଓ ସମ୍ପାଦକମାନଙ୍କୁ ଅବଗତ କରାଇଛନ୍ତି ଯେ, ଓଡ଼ିଶାରେ ଯଦି ଅନ୍ଲାଇନ୍ ମେଡ଼ିସିନ୍ ବିକ୍ରିକୁ ରୋକ ଲଗାନଯାଏ, ତେବେ ବିଭାଗୀୟ ପଦାଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବା ସହିତ ସରକାରଙ୍କୁ ଦାବି ପତ୍ର ପ୍ରଦାନ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।