ଜିଲାସ୍ତରୀୟ ବିଶ୍ୱ ଯୋଗ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ବିଶ୍ୱ ଯୋଗଦିବସରେ ଜିଲାସ୍ତରୀୟ ଯୋଗ ଶିବିର ଗୋପାଳଗାଁସ୍ଥିତ ଆୟୁଷ୍ମାନ କଲ୍ୟାଣ ମଣ୍ଡପରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାରମ୍ଭରେ ଗୁରୁକୁଳ ଆଶ୍ରମ ପିଞ୍ଛାବଣିଆ ଆର୍ଯ୍ୟସମାଜ ମୁଖ୍ୟ ବିଜୟଜୀ ଓତାଙ୍କ ଗ୍ରୁପ ମାଧ୍ୟମରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଅନେକ ଶ୍ରଦ୍ଧାଳୁ ଯଜ୍ଞରେ ଆହୂତି ପ୍ରଦାନ କରି ସମସ୍ତଙ୍କ କଲ୍ୟାଣ କାମନା କରିଥିଲେ । ପରେ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଚିନ୍ମୟ ମିଶନର ବ୍ରହ୍ମଚାରୀ ଅଗସ୍ତ୍ୟ ଚୈତନ୍ୟ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶିବିରର ଶୁଭାରମ୍ଭ କରିଥିଲେ । ପ୍ରତିଭାଶ୍ରୀର ମୁଖ୍ୟ କବି ପ୍ରଶାନ୍ତ ଦାସ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ଇଂ. ବନମାଳି ନାୟକ, ପତଞ୍ଜଳି ଯୋଗ ସମିତିର ପ୍ରଶିକ୍ଷିକା ଜ୍ୟୋତିର୍ମୟୀ ପଟ୍ଟନାୟକ, ଆର୍ଯ୍ୟସମାଜର ଗୀତାରାଣୀ ପୁରୀ, ବିଜୟଜୀ ପ୍ରଭୃତି ଅତିଥି ଭବନରେ ଯୋଗଦେଇ ସ୍ୱଳ୍ପ ସମୟର ସାରଗର୍ଭକ ବକ୍ତବ୍ୟ ରଖିଥିଲେ । ଯୋଗଶିବିରକୁ ସମିତିର ସଭାପତି ସୁଜିତ କୁମାର ଜେନା ପରିଚାଳିତ କରିଥିଲେ । ବଳଭଦ୍ର ଶତପଥୀ, ସ୍ନେହଲତା ଦାସ, ସଞ୍ଜିବ ତାଲଦି, ଅଜୟ ଚୌଧୁରୀ ପ୍ରମୁଖ ଏଥିରେ ଯୋଗର ପ୍ରଦର୍ଶନ କରିଥିଲେ । ବିଭିନ୍ନ ସଂଗଠନର ଶତାଧିକ ମହିଳା ଓ ପୁରୁଷ ଏଥିରେ ଅଂଶଗ୍ରହଣ କରିଥିଲେ । ନଗର ଯୋଗ କମିଟି ଉପ-ସଭାପତି ପାର୍ଥ ପ୍ରୀତିମ କର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।ପ୍ରାତଃକାଳରେ ଚାନ୍ଦିପୁରସ୍ଥିତ ଗୋଳାବାରୁଦ ପରୀକ୍ଷାଗରର ଯବାନମାନଙ୍କ ପାଇଁ ଏକ ଯୋଗଶିବିର ଅନୁଷ୍ଠିତ ହୋଇଥିଲା । ପରେ ବାଲେଶ୍ୱର ଜେଲର କଏଦୀଙ୍କ ପାଇଁ ଅନ୍ୟ ଏକ ଶିବିରର ଆୟୋଜନ ହୋଇଥିଲା । ପୁଲିସ ଲାଇନ, ଫକୀରମୋହନ କଲେଜ, ପୁରୁଣା ବାଲେଶ୍ୱର, ଔପଦା, ସୋର, କୈନଗରୀ, ସିଦ୍ଧିବିନାୟକ ସ୍କୁଲ୍, ଧୋବଶିଳା, ରଘୁନାଥପୁର, ଟାଉନ ହାଇସ୍କୁଲ, ଇସିଜିସ୍, ଦାସ ଆଇଟିଆଇ, କଳମା ହାଇସ୍କୁଲ୍ ତଥା ଜଳେଶ୍ୱର ପ୍ରଭୃତି ୭୦ରୁ ଅଧବକ ସ୍ଥାନରେ ଯୋଗ ସମିତି ଆନୁକୂଳ୍ୟରେ ଯୋଗ ଦିବସ ପାଳିତ ହୋଇଥିଲା ।