ବାଲେଶ୍ୱର ସିଭିଲ୍ ସୋସାଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ସିଭିଲ୍ ସୋସାଇଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଦିନ ସନ୍ଧ୍ୟାରେ ପଢ଼ୁଆଁପଦାସ୍ଥିତ ଉଠାଜଳସେଚନ କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ଗତ ୨୨ ତାରିଖ ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ଫାଇଭ-ଟି ସଚିବଙ୍କ ବାଲେଶ୍ୱର ଗସ୍ତ ଅବସରରେ ସୋସାଇଟିପକ୍ଷରୁ ଗଣେଶ୍ୱରପୁରରେ ପ୍ରସ୍ତାବିତ ବସଷ୍ଟାଣ୍ଡ୍ ନିର୍ମାଣ ଦାବି ସହ ବାଲେଶ୍ୱର ଜିଲ୍ଲା ଅଦାଲତ ସ୍ଥାନାନ୍ତରକୁ ବିରୋଧ କରି ଓ ବାଲେଶ୍ୱର ଜେଲ୍କୁ ସହର ବାହାରକୁ ସ୍ଥାନାନ୍ତର, ଫକୀରମୋହନ ମେଡିକାଲ କଲେଜରେ ହୃଦରୋଗ, ସ୍ନାୟୁରୋଗ ପ୍ରଭୃତି ବିଭାଗ ଖୋଲିବାକୁଦାବି କରାଯାଇ ସ୍ମାରକପତ୍ର ଦିଆଯାଇଥିବା ସଂପର୍କରେ ସଂପାଦକ ମନୋଜ ନାୟକ ବୈଠକରେ ଜଣାଇଥିଲେ । ସିଭିଲ୍ ସୋସାଇଟି ସମେତ ବହୁ ସାମାଜିକ ସଂଗଠନ ପ୍ରତିନିଧିଙ୍କ ଠାରୁ ଦାବିପତ୍ର ଗ୍ରହଣ କରିଥିଲେ ମଧ୍ୟ ଫାଇଭ୍-ଟି ସଚିବ କୌଣସି ସଂଗଠନର ପ୍ରତିନିଧିଙ୍କ ସହ ଆଲୋଚନା କରିନଥିଲେ । ତେଣୁ ବୈଠକରେ ବହୁ ସଦସ୍ୟ ଉଦ୍ବେଗ ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଜନତାଙ୍କ ସମସ୍ୟା ସଂପର୍କରେ ଅବଗତ ହେବାକୁ ବାଲେଶ୍ୱର ଗସ୍ତରେ ଆସିଥିବା ସଚିବ ସିଭିଲ୍ ସୋସାଇଟିର ପ୍ରତିନିଧିମାନଙ୍କୁ ସାକ୍ଷାତ ଆଲୋଚନାର ସୁଯୋଗ ନଦେବା ଘଟଣା ଏକ ପ୍ରଶାସନିକ ଚକ୍ରାନ୍ତ ବୋଲି ବୈଠକରେ ମତପ୍ରକାଶ ପାଇଥିଲା ।ଗତ ୨୦୧୩ ମସିହାରେ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଦୁର୍ନୀତିର ତଦ୍ତ କରି ଭିଜିଲାନ୍ସ ବିଭାଗ ଦ୍ୱାରା ଅଭିଯୁକ୍ତ ପଦାଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବୈଠକରେ ଦାବି କରାଯାଇଛି । ଗଣେଶ୍ୱରପୁରରେ ପ୍ରସ୍ତାବିତ ନୂତନ ବସ୍ଷ୍ଟାଣ୍ଡ୍ ଜମିକୁ ବିକ୍ରି ପ୍ରସ୍ତାବ ପ୍ରତ୍ୟାହାର ନକରନ୍ତି ତେବେ ସିଭିଲ୍ ସୋସାଇଟି ଜନସାଧାରଣଙ୍କ ସହଯୋଗରେ ଆଇନର ଆଶ୍ରୟ ନେବାକୁ ପ୍ରସ୍ତାବ ଗୃହୀତ ହୋଇଛି ।ଏହି ବୈଠକରେ ସୋସାଇଟିର ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, କୋଷାଧ୍ୟକ୍ଷ ସନ୍ତୋଷ ସାହୁ, ସୀତାରାମ ପ୍ରଧାନ, ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ନିରଞ୍ଜନ ପରିଡ଼ା, ଗଣେଶ୍ୱର ରାଉତ, ଭାଗବତ ପ୍ରତିହାରୀ, ଶରତ ଚନ୍ଦ୍ର ଦଳାଇ, ଭରତ ଚନ୍ଦ୍ର ସେଠୀ, ସେଖ୍ କରିମ୍ ଓ ପୂର୍ଣ୍ଣଚନ୍ଦ୍ର ପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶ୍ୟାମସୁନ୍ଦର ଜେନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


