ବନ ମହୋତ୍ସବ ସପ୍ତାହ ଅବସରରେ ଆରମ୍ଭ ହେଲା ବୃକ୍ଷ ଜନନୀ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଚାଲିଛି ବନ ମହୋତ୍ସବ ସପ୍ତାହ । ଏହି ପରିପ୍ରେକ୍ଷୀରେ ଜନନୀ ମାନଙ୍କୁ ନେଇ ଶୁଭାରମ୍ଭ ହୋଇଛି ଏକ ନିଆରା ସମୟୋପଯୋଗୀ “ବୃକ୍ଷ ଜନନୀ” କାର୍ଯ୍ୟକ୍ରମ । ମହିଳାମାନେ ନିଜର ହାଣ୍ଡିଶାଳରୁ ମଞ୍ଜି ସଂଗ୍ରହ ସହ କ୍ଷୀର ପ୍ୟାକେଟ ଜରିରେ କିପରି ଚାରାଟିଏ ସୃଷ୍ଟି କରିପାରିବେ ଏବଂ ତା’ର ଉପଯୁକ୍ତ ଲାଳନପାଳନ କରିବାର ଦାୟିତ୍ୱ ସହ ସବୁଜିମା ସୃଷ୍ଟିରେ କିପରି ମୁଖ୍ୟ ଭୂମିକା ନେଇପାରିବେ, ସେହି ଉଦ୍ଦେଶ୍ୟରେ ଏନେଇ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ଥିବା ଆଦିବାସୀ ପଲ୍ଲୀ କନ୍ଦଳେଇ ଠାରେ “ବୃକ୍ଷ ଜନନୀ” କାର୍ଯ୍ୟକ୍ରମ ଆନୁଷ୍ଠାନିକ ରୂପେ ଉଦ୍‌ଘାଟିତ ହୋଇଯାଇଛି । ଚିନ୍ମୟୀ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଟ୍ରଷ୍ଟର ପ୍ରତିଷ୍ଠାତା ସନ୍ତୋଷୀ ଜୈନ କହିଥିଲେ; ଯେପରି ଦଶମାସ ଦଶଦିନ ଗର୍ଭରେ ଧାରଣ କରି ମାଆ ଟିଏ ସନ୍ତାନକୁ ଜନ୍ମ ଦେଇଥାଏ, ଏଇ ସମୟରେ ସନ୍ତାନର ଉପଯୁକ୍ତ ପୃଷ୍ଟି ସାଧନ ସହ ସେ କିପରି ସୁସ୍ଥ ଭାବେ ବାହାର ଦୁନିଆ ଦେଖିପାରିବ ସେଥିପାଇଁ ସେ ବେଶ୍ ସଚେତନ ଥାଏ । ଜନ୍ମ ପରେ ମଧ୍ୟ ସେ ତାକୁ ସେମିତି ଛାଡି ଦିଏନି । ଯେ ପର୍ଯ୍ୟନ୍ତ ସେ ଅନୁଭବ ନ କରିଛି ତା’ର ଛୁଆ ଏବେ ପାରିବାର ହେଲାଣି, ସେ ପର୍ଯ୍ୟନ୍ତ ସେ ତା’ ଉପରେ ନିଘା ରଖିଥାଏ । ଠିକ୍ ସେହିପରି ଗଛଟିଏର ଜନ୍ମ ଆଉ ଲାଳନ ପାଳନ କ୍ଷେତ୍ରରେ ମଧ୍ୟ ମାଆର ଅନୁରୂପ ଭୂମିକା ସର୍ବୋତ୍କୃଷ୍ଟ ହୋଇପାରିବ ବୋଲି ସେ ଆଶା ପ୍ରକଟ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପରିବେଶବିତ୍ ସୁଶାନ୍ତ ସାହୁ ଯୋଗଦେଇ କହିଥିଲେ ଗୋଟିଏ ମାତୃତ୍ୱର ଅନୁଭବ ବୃକ୍ଷକୁ ଛୋଟରୁ ଲାଳନ ପାଳନ ସହ ସବୁ ଦିଗରୁ ରକ୍ଷା କରିପାରିବ । ବୃକ୍ଷରୋପଣ କାର୍ଯ୍ୟକ୍ରମ ହେଉ ବା ପରିବେଶ ସୁରକ୍ଷା କାର୍ଯ୍ୟକ୍ରମରେ ମହିଳା ମାନଙ୍କ ଯୋଗଦାନ ଆହୁରି ବୃଦ୍ଧି ହେବା ଦରକାର । ଏହି ଅବସରରେ ପଲ୍ଲୀର ଜନନୀମାନେ କ୍ଷୀର ପ୍ୟାକେଟ୍ ଜରି, ମାଟି, ଖତ ଓ ପଣସ ମଞ୍ଜି ଆଦିକୁ ବ୍ୟବହାର କରି ଚାରା ପ୍ରସ୍ତୁତି କରିଥିଲେ । ଉତ୍ତମ ଚାରା ସୃଷ୍ଟି କରିଥିବା ଜନନୀମାନଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ସାମାଜିକ କର୍ମୀ ତ୍ରିଲୋଚନ ବେଉରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ