ଗେଷ୍ଟ ହାଉସ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାଲେଶ୍ୱର, (ସରୋଜ ପଣ୍ଡା):ସହଦେବଖୁଣ୍ଟ ଥାନା ଅନ୍ତର୍ଗତ ସର୍କିଟ ହାଉସ ପଛ ପାଖରେ ଥିବା ବିଦ୍ୟୁତ ବିଭାଗର ଏକ ଗେଷ୍ଟ ହାଉସ ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ଉଦ୍ଧାର ହୋଇଛି । ଗେଷ୍ଟହାଉସ ପରିସରରେ ଥିବା ଏକ ଗଛରେ ଫାଶି ଅବସ୍ଥାରେ ତାଙ୍କର ମୃତଦେହ ଝୁଲୁଥିବା ସକାଳେ ଦେଖିବାକୁ ମିଳିଥିଲା । ଖବର ପାଇ ସହଦେବଖୁଣ୍ଟା ଥାନା ପୁଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ମୃତଦେହ ଉଦ୍ଧାର ସହ ତଦନ୍ତ ଆରମ୍ଭ କରିଥିଲେ । ଗେଷ୍ଟହାଉସର ହାଉସକିପିଂ ଷ୍ଟାଫ ଭାବେ କାର୍ଯ୍ୟ କରୁଥିବା ମୃତକ ଜଣକ ରେମୁଣା ଥାନା ଅନ୍ତର୍ଗତ ଖରିଦମୁଖୁରା ଗ୍ରାମର ରାମଗୋପାଳ ଦାଶ ବୋଲି ଚିହ୍ନଟ କରାଯାଇଛି । ତେବେ ରାମଗୋପାଳଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ତାଙ୍କ କକା ଶଶଧର ଦାଶ ସହଦେବଖୁଣ୍ଟା ଥାନାରେ ଲିଖିତ ଏତଲା ଦେଇଛନ୍ତି । ଗେଷ୍ଟହାଉସକୁ ରାତ୍ରିଯାପନ ପାଇଁ ନିୟମିତ ଆସୁଥିବା ଟାଟା ପାୱାରର କିଛି ଅଧିକାରୀ ତାଙ୍କ ପୁତୁରାକୁ ହତ୍ୟାକରି ଗଛରେ ଟାଙ୍ଗି ଦେଇଥିବା ସେ ଆରୋପ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ରାମଗୋପାଳ ଗତ ଦୁଇ ବର୍ଷ ଗେଷ୍ଟ ହାଉସରେ ୪ତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରିଆସୁଥିଲେ । ସେଠାକୁ ରାତ୍ରୀଯାପନ ପାଇଁ ଆସୁଥିବା ଟାଟାପାୱାରର ଅଧିକାରୀମାନେ ବାହାର ଅଞ୍ଚଳରୁ ଯୁବତୀଙ୍କୁ ଆଣି ଅନୈତିକ କାର୍ଯ୍ୟରେ ଲିପ୍ତ ରହିବାକୁ ରାମଗୋପାଳ ସର୍ବଦା ବିରୋଧ କରିଆସୁଥିଲେ । ସମ୍ପକ୍ତ ଅଧିକାରୀ ଓ ଗେଷ୍ଟହାଉସର ସିକ୍ୟୁରିଟି ଗାର୍ଡମାନେ ଏବାବଦରେ ଚୁପ ରହିବା ପାଇଁ ରାମଗୋପାଳଙ୍କୁ ଧମକ ଦେଉଥିଲେ ବୋଲି କକା ଶଶଧର କହିଛନ୍ତି । ଗୁରୁବାର ରାତିରେ ସମ୍ଭବତଃ ଏହି ଭଳି ଘଟଣାର ପୁନରାବୃତ୍ତି ହେବା ଓ ଏହାକୁ ବିରୋଧ କରିବା ଯୋଗଉଁ ଟାଟା ପାୱର ଅଧିକାରୀ ଓ ସିକ୍ୟୁରିଟି ଗାର୍ଡ଼ ରାମଗୋପାଳଙ୍କୁ ମାରି ଗଛରେ ଝୁଲାଇ ଆତ୍ମହତ୍ୟାର ରୂପ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ହୋଇଥିବା ବେଳେ ଘଟଣାର ବିଧିବଦ୍ଧ ତଦନ୍ତ ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶଶଧର ଏତଲାରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ