ଆୟୁର୍ବେଦର ଆଜି ବି ବହୁ ପ୍ରାସଙ୍ଗିକତା ରହିଛି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଜୟଦେବ ଭବନଠାରେ ଆୟୁର୍ବେଦ ଭେଷଜ ଜଗତର ପ୍ରବାଦ ପୁରୁଷ, ପରିବେଶବିତ ତଥା ବହୁ ବ୍ୟକ୍ତିତ୍ୱର ଅଧିକାରୀ ଡା ସ୍ୱପ୍ନେଶ୍ୱର ପଣ୍ଡାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ୱର୍ଗତ ପଣ୍ଡାଙ୍କ ‘ସ୍ୱପ୍ନାଲୋକ’ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଡ. ମୃତ୍ୟୁଞ୍ଜୟ ରଥଙ୍କ ସଂଯୋଜନା ଓ ବରିଷ୍ଠ ସାମ୍ବାଦିକ, ବାଗ୍ମୀ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ଘାଟକ ଓ ମୁଖ୍ୟଅତିଥି ଭାବେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲ, ସମ୍ମାନିତ ଅତିଥି ଭାବେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବିଧାୟକ ପ୍ରଫୁଲ୍ଲ ସାମଲ, କେନ୍ଦ୍ରୀୟ ଆୟୁର୍ବେଦ ଅନୁସନ୍ଧାନ, ନୂଆଦିଲ୍ଲୀର ମହାନିର୍ଦ୍ଦେଶକ ପ୍ରଫେସର ଡା ରବିନାରାୟଣ ଆଚାର୍ଯ୍ୟ ତଥା ସାରସ୍ୱତ ପ୍ରତିଭା ସୂର୍ଯ୍ୟନାରାୟଣ ପଣ୍ଡା ଯୋଗ ଦେବା ସହିତ ସ୍ୱର୍ଗତ ସ୍ୱପ୍ନେଶ୍ୱର ପଣ୍ଡା ଆୟୁର୍ବେଦକୁ ଲୋକାଭିମୁଖୀ ତଥା ଗବେଷଣା କରିବା ସହିତ ସମସ୍ତ ନାଗରିକମାନଙ୍କ ପାଖରେ ଯେପରି ଏହି ବିଦ୍ୟା ପହଞ୍ôଚ ପାରିବ, ସେ ଦିଗରେ ତାଙ୍କ ଉଦ୍ୟମ ବେଶ୍ ପ୍ରଶଂସନୀୟ ଥିଲା । ପ୍ରାରମ୍ଭରେ ଲିଟିଲ୍ କରଙ୍କ କଣ୍ଠରେ ସଙ୍ଗୀତ ପରିବେଷଣ କରାଯାଇଥିଲା ।ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମତବ୍ୟକ୍ତ କରିଥିଲେ ଯେ, ଯୋଗ, ପ୍ରାଣାୟମ ଓ ଆୟୁର୍ବେଦ ବର୍ତ୍ତମାନ ସମୟରେ ବହୁ ପ୍ରାସଙ୍ଗିକତା ବହନ କରିବା ସହିତ ସମସ୍ତ ମନୁଷ୍ୟ ନିଜ ନିଜ ସ୍ତରରେ ଏହି ବିଦ୍ୟାକୁ ଆପଣାଇ ଜନକଲ୍ୟାଣରେ ଲଗାଇ ପାରିଲେ ବହୁ ଅସାଧ୍ୟ ରୋଗରୁ ମୁକ୍ତି ମିଳିପାରିବ । ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରି କହିଥିଲେ ଯେ, ସ୍ୱର୍ଗତ ପଣ୍ଡା ଆୟୁର୍ବେଦ ଜଗତ ତଥା ପରିବେଶ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ସହିତ ସର୍ବୋପରି ମା’, ମାଟି ଓ ମାତୃଭାଷା ପାଇଁ ଶେଷ ଜୀବନ ପର୍ଯ୍ୟନ୍ତ କାର୍ଯ୍ୟ କରି ଆସୁଥିଲେ ।ଏହି ଅବସରରେ ଆୟୁର୍ବେଦ ଚିକିତ୍ସା କ୍ଷେତ୍ରରେ ଡଃ ଅନ୍ତର୍ଯ୍ୟାମୀ ମହାପାତ୍ରଙ୍କୁ ଡଃ ସ୍ୱପ୍ନେଶ୍ୱର ପଣ୍ଡା ମେମୋରିଆଲ ଭେଷଜ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ପ୍ରଫେସର ଡଃ ବିଧୁଭୂଷଣ ନନ୍ଦ, ପ୍ରଫେସର ଡଃ ରବିନାରାୟଣ ଆଚାର୍ଯ୍ୟ, ଡଃ ମଦନ ମୋହନ ପାଢୀ, ପ୍ରଫେସର ଡଃ ନାରାୟଣ ମହାନ୍ତି, ଡଃ ଇନ୍ଦିରା ନରେନ୍ଦ୍ର, ଡଃ କଲ୍ୟାଣୀ ଦେବୀ, ଡଃ ଉମେଶ ଚନ୍ଦ୍ର ପୃଷ୍ଟି, ଡଃ ପ୍ରଭାତ ରଞ୍ଜନ ପ୍ରଧାନଙ୍କୁ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ସଂଯୋଜକ ନାରାୟଣ ଓଝା, ବ୍ରଜବନ୍ଧୁ ପରିଡ଼ା ପ୍ରମୁଖ ପରିଚାଳନା କରିଥିଲେ ।


