ଗୋପାଳପୁର ବନ୍ଦର ପକ୍ଷରୁ ପଣ୍ୟ ଲୋଡିଂରେ ସର୍ବକାଳୀନ ରେକର୍ଡ ହାସଲ

ଛତ୍ରପୁର, (ଦେବଦତ୍ତ ମହାରଣା):ରାଜ୍ୟର ଗଭୀରତମ ସବୁଦିନିଆ ଓ ଚବିଶ ଘଂଟା ପରିଚାଳିତ ହେଉଥିବା ବନ୍ଦର ଗୋପାଳପୁର ବନ୍ଦର ଶୁଭାରମ୍ଭ ହେବା ପରଠାରୁ ମାନୁଆଲ୍ ମାଧ୍ୟମରେ ଦ୍ରୁତତମ ଲୁହାଥର ଲମ୍ପ୍‌ସ ଲୋଡିଂ ହାସଲ କରିଛି।ଜେଏସ୍‌ଡବ୍ଲୁ ଷ୍ଟିଲ୍ ଦ୍ୱାରା ମନୋନୀତ ଜାହାଜ ଏମ୍‌ଭି ରିଚି ସ୍ପିଙ୍ଗ୍‌ରେ ୨୪ ଘଂଟା ଭିତରେ ୫୯,୧୫୦ ମେଟରିକ୍ ଟନ୍ ଲୁହାପଥର ଲମ୍ପ୍‌ସ ଲୋଡିଂ କରି ଗୋପାଳପୁର ବନ୍ଦର ଇତିହାସ ସୃଷ୍ଟି କରିଛି । ଗତ ୨୦୨୩ ଜୁଲାଇ ୧୫ରେ ଘଂଟା ପିଛା ହାରାହାରି ୨,୧୬୭ ଏମ୍‌ଟି ଲୋଡିଂ ସହ ଜାହାଜରେ ୮୬,୭୦୦ ଏମ୍‌ଟି ଲୁହାପଥର ଲୋଡିଂ କରିବା ରେକର୍ଡ ବନ୍ଦର ହାସଲ କରିଛି । ଏହି ରେକର୍ଡ ପାଇଁ ଜାହାଜର ମାଷ୍ଟରଙ୍କ ତରଫରୁ ଗୋପାଳପୁର ବନ୍ଦରକୁ ଏକ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି ।ଏହି ସଫଳତା ସମ୍ପର୍କରେ ଏସ୍‌ପି ପୋର୍ଟ ମେଂଟେନାନ୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅମିତ ସାବୁ କହିଛନ୍ତି ଯେ,”ଆମ ଟିମ୍‌ର ସଫଳତାକୁ ନେଇ ଆମେ ବେଶ ଗର୍ବିତ । ଏହି ରେକର୍ଡ ଭଙ୍ଗକାରୀ ସଫଳତା ଗୋପାଳପୁର ବନ୍ଦରର ପଣ୍ୟ ପରିଚାଳନା ଦକ୍ଷତା ଓ ବିପୁଳ ପରିମାଣର ପଣ୍ୟ ପରିଚାଳନା କ୍ଷମତାର ପ୍ରତିଫଳନ ଅଟେ ।’’ଗୋପାଳପୁର ବନ୍ଦର ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଭି ଜନାର୍ଦ୍ଦନ ରାଓ କହିଛନ୍ତି ଯେ, “ଗୋପାଳପୁର ବନ୍ଦର ଏହାର ଗ୍ରାହକଙ୍କୁ ସର୍ବଦା ପ୍ରାଧାନ୍ୟ ଦେଇଆସୁଛି ଏବଂ ଜାହାଜକୁ ବର୍ଥକୁ ଆଣିବା ପୂର୍ବରୁ ପୂର୍ଣ୍ଣ ଯୋଜନା ସହ ତାହାର ଉପଯୁକ୍ତ ଫିଡିଂ ଏବଂ ସୁରକ୍ଷାର ସହ ଜାହାଜର ଲୋଡିଂକୁ ସୁନିଶ୍ଚିତ କରାଯାଉଛି । ରାଜ୍ୟର ଶ୍ରେଷ୍ଠ ରେଳ ଓ ସଡ଼କ ସଂଯୋଗ କରୁଥିବା ଗୋପାଳପୁର ବନ୍ଦର ମାଲ ପରିବହନରେ ନିରନ୍ତର ନୂଆ ରେକର୍ଡ ସୃଷ୍ଟି କରୁଛି । ନିକଟରେ ବନ୍ଦର ପକ୍ଷରୁ ଏମ୍‌ଭି ନିଉ ପ୍ରେଷ୍ଟିଜ୍‌ରେ ୨୪ ଘଂଟାରେ ୩୨,୦୦୦ ମେଟ୍ରିକ୍ ଟନ୍ କୋଇଲା ଡିସ୍‌ଚାର୍ଜ କରାଯାଇଥିଲା ।’’ଗୋପାଳପୁର ବନ୍ଦରରେ ଦିନକୁ 20 ରୁ ଅଧିକ ରେକ୍ ପରିଚାଳନା କରିବାର କ୍ଷମତା ରହିଛି ଏବଂ ନୌବାଣିଜ୍ୟ କାର୍ଯ୍ୟରେ ଏହି ରେକର୍ଡ ଭଙ୍ଗକାରୀ ପ୍ରଦର୍ଶନ ଏହାକୁ ଏକ ଭରସାଯୋଗ୍ୟ ଓ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ପଥରେ ପରିଣତ କରିଛି । ଗୋପାଳପୁର ବନ୍ଦର ପୂର୍ବ ଭାରତର ପରବର୍ତ୍ତୀ ସୁପର ବନ୍ଦରେ ପରିଣତ ହେବାକୁ ପୂର୍ଣ୍ଣ ପ୍ରସ୍ତୁତ ବୋଲି ଶ୍ରୀ ରାଓ କହିଛନ୍ତି ।୨୦୧୭ ପରଠାରୁ ସାପୁରଜୀ ପାଲୋଞ୍ଜି ଗ୍ରୁପ୍ ଅଧୀନରେ ପରିଚାଳିତ ହେବା ପରେ ଗୋପାଳପୁର ବନ୍ଦର ୧୪.୫ ମିଟର ପର୍ଯ୍ୟନ୍ତ ଗଭୀରତା ସହ ବୃହତ ଜାହାଜ ପରିଚାଳନା କରିବାର ଆବଶ୍ୟକ ଭିତିଭୂମି ରହିଛି । ବନ୍ଦରରେ ୨.୫ ଏମ୍‌ଟି ପଣ୍ୟ ସଂରକ୍ଷିତ ରଖିବା ଲାଗି ଖୋଲା ଓ ବନ୍ଦ ସଂରକ୍ଷଣ ବ୍ୟବସ୍ଥା ରହିଛି ଯାହା ବିଭିନ୍ନ ପ୍ରକାର ପଣ୍ୟ ଓ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରୁଛି । ଗୋପାଳପୁର ବନ୍ଦରରେ ଆଠଟି କାର୍ଯ୍ୟକ୍ଷମ ଥିବା ରେଳ ୟାର୍ଡ ସାଇଡିଂ ରହିଛି ଯାହା ବିବିଧ ପଣ୍ୟକୁ ନିରବଚ୍ଛିନ୍ନ ଭାବେ ପରିଚାଳନା କରିପାରୁଛି । ଗୋପାଳପୁର ବନ୍ଦର ଗୁରୁତ୍ୱପୂର୍ଣ୍ଣ ଭାବେ ପାରାଦୀପ ଓ ବିଶାଖାପାଟଣା ବନ୍ଦର ମଝିରେ ରହିଛି ଯାହା ଏହାକୁ ଆମଦାନି ଏବଂ ଭାରତର ପୂର୍ବ ଉପକୂଳ ପରିବହନ ପାଇଁ ଶ୍ରେଷ୍ଠ ସ୍ଥାନ ଭାବେ ଉପସ୍ଥାପିତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ