କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଜିଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସର୍କିଟ ହାଉସଠାରେ ସ୍ମାରକପତ୍ର ପ୍ରଦାନ

ଫୁଲବାଣୀ, (ସୁର୍ଯ୍ୟ ନାରାୟଣ ବେହେରା):କନ୍ଧମାଳ ଜିଲାକୁ କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ତିନିଦିନିଆ ଗସ୍ତରେ ଆସିଥିବା ବେଳେ ଜିଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଫୁଲବାଣୀ ସର୍କିଟ ହାଉସଠାରେ ମନ୍ତ୍ରୀଙ୍କୁ ସାକ୍ଷାତ କରି ଜିଲାର ସମସ୍ୟା ଦୂରୀକରଣ ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ତିନୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଦଳୀୟ କର୍ମୀମାନଙ୍କ ସହ ଆଲୋଚନା କରିବାକୁ ମନ୍ତ୍ରୀ କନ୍ଧମାଳ ଗସ୍ତରେ ଆସି ଜିଲାପାଳ ଓ ଆରକ୍ଷୀ ଅଧିକାରୀଙ୍କ ସହ ଜିଲା ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଜିଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଜିଲାର ସମସ୍ୟା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ସହ କନ୍ଧମାଳକୁ ବ୍ରହ୍ମପୁର ସମ୍ବଲପୁର ରେଳ ସଂଯୋଗ, ଫୁଲବାଣୀ ସହରକୁ ମେଗା ଜଳପ୍ରକଳ୍ପ ସଂଯୋଗ, ବରିଷ୍ଠ ନାଗରିକଙ୍କୁ ରେଳ ପାଶ ପ୍ରଦାନ, ଜିଲାରେ ରୋହିଙ୍ଗିଆମାନଙ୍କୁ ଚିହ୍ନଟ ଓ ତାର ପ୍ରତିକାର, ବରିଷ୍ଠ ନାଗରିକ ଙ୍କ ଅବସରର ବିନୋଦନ କେନ୍ଦ୍ର ନିମନ୍ତେ ସ୍ୱତନ୍ତ୍ର ଅନୁଦାନ, ପର୍ଯ୍ୟର୍ଟକଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ, ଏକ କେନ୍ଦ୍ରୀୟ ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଓ କେନ୍ଦ୍ରୀୟ ଅନୁଦାନରେ ନଦୀପଠା ଉନ୍ନୟନ ଓ ନଦୀଗୁଡିକରେ କ୍ରମାନ୍ୱୟରେ ବ୍ୟାରେଜ ନିର୍ମାଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ମାନ୍ୟବର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ସ୍ମାରକପତ୍ର ପ୍ରଦାନ କରାଯାଇଛି।ମନ୍ତ୍ରୀ ମହୋଦୟ ଏ ସଂକ୍ରାନ୍ତରେ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି ସୂଚନା ଦେଇଥିଲେ। ଜିଲାର ଆବଶ୍ୟକତା ଓ ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ଏହି ଅବସରରେ ଜିଲା ବରିଷ୍ଠ ନାଗରିକ ସଂଘର ସଂମ୍ପାଦକ ପ୍ରଣବ ମଣ୍ଡଳ,ଉପଦେଷ୍ଟା ନବୀନ କିଶୋର ପଣ୍ଡା, ଅଶୋକ ପରିଡା,ବଂଶୀଧର ପଣ୍ଡା ରାଜ କିଶୋର ପାଢ଼ୀ, ପିତାମ୍ବର ମିଶ୍ର, ଜଗନ୍ନାଥ ସାହୁ,ପରେଶ ମହାପାତ୍ର ଓ ରମେଶ ମହାନ୍ତି ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।କେନ୍ଦ୍ରମନ୍ତ୍ରୀଙ୍କ ଜିଲା ଗସ୍ତ ସମୟରେ ଜିଲା ର ସମସ୍ୟା ସମ୍ପର୍କରେ ନାଗରିକ କମିଟି ସହ ସୌଜନ୍ୟ ମୂଳକ ଆଲୋଚନା କରୁଥିବାରୁ କମିଟି ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ