ଟିପିଓଏସଡିଏଲ ଭିଜିଲାନ୍ସ ଟିମ୍ ଙ୍କୁ ଆକ୍ରମଣ, ଥାନାରେ ଏତଲା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ଟିପିଓଏସଡିଏଲ ଭିଜିଲାନ୍ସ ବିଭାଗ ,ବ୍ରହ୍ମପୁର ପକ୍ଷରୁ ମଙ୍ଗଳବାର ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମରେ ଚଢ଼ାଉ ବେଳେ ଗ୍ରାମର ଏକ ଗୋଷ୍ଠୀ ଭିଜିଲାନ୍ସ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି । ଆକ୍ରମଣରେ ଜଣେ ଲାଇନ୍ ମ୍ୟାନ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ହେଲେ ବରେନ୍ଦ୍ର କୁମାର ନିଶାଙ୍କ । ଆକ୍ରମଣକାରୀ ବିରେନ୍ଦ୍ରଙ୍କୁ ମାଡ ମାରି ମୋବାଇଲ ଫୋନ୍ ଲୁଟି ନେଇଥିଲେ। ଘଟଣା ନେଇ ଭିଜିଲାନ୍ସ ଏସଡିଓ ନନ୍ଦ କିଶୋର ଦାଶ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନା କେସ ନଂ – ୫୩୪/୨୩ ରେଳ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୂତ୍ରରୁ ପ୍ରକାଶ । ଅଭିଯୋଗ ପ୍ରକାରେ, ମଙ୍ଗଳବାର ପୂର୍ବାହ୍ନରେ ଟିପିଓଏସଡିଏଲ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମରେ ଗତ କିଛି ବର୍ଷ ଧରି ବେଆଇନ ବିଦ୍ୟୁତ୍ ଚୋରୀ ବୃଦ୍ଧି ପାଉଥିବା ଅଭିଯୋଗ ହୋଇ ଆସୁଥିଲା। ସଂପୃକ୍ତ ଗ୍ରାମର କୃଷ୍ଣ ସାହୁ ବେଆଇନ ଭାବେ ହୁକିଂ କରିବା ସହ ମିଟର ଟାମ୍ପେରିଂ କରିଥିଲେ । ବିଭାଗ ପକ୍ଷରୁ ସଂପୃକ୍ତ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରାଯିବା ସମୟରେ କୃଷ୍ଣ ଉତକ୍ଷିପ୍ତ ହୋଇ କର୍ମଚାରୀ ମାନଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ।ପରେ କୃଷ୍ଣଙ୍କ କିଛି ସହଯୋଗୀ ଘଟଣା ସ୍ଥଳରେ ପହଞ୍ଚି ବିଭାଗୀୟ କର୍ମଚାରୀଙ୍କୁ ଘେରି ଯାଇ ଆକ୍ରମଣ କରିଥିଲେ ।‌ଆକ୍ରମଣରେ ଲାଇନ୍ ମ୍ୟାନ ନିଶାଙ୍କ ଗୁରୁତର ଆହତ ହେବା ସହ ୨ କର୍ମଚାରୀଙ୍କ ମୋବାଇଲ ଲୁଟି ନେଇଥିଲେ। ଘଟଣା ପରେ ଗ୍ରାମରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା । ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ସ୍ଥଳରେ ପହଞ୍ଚି ଟିମକୁ ଆକ୍ରମଣକାରୀଙ୍କ କବଳରୁ ସେମାନଙ୍କୁ ରକ୍ଷା କରିଥିଲେ।ଘଟଣା ପରେ ଆକ୍ରମଣକାରୀ ଗୋଷ୍ଠୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଚଢ଼ାଉରେ ଭିଜିଲାନ୍ସ ଏସଡିଓ ନନ୍ଦ କିଶୋର ଦାଶଙ୍କ ସମେତ ଟିପିଓଏସଡିଏଲ ଏନଫୋର୍ସମେଣ୍ଟ ମୁଖ୍ୟ ଶୈଳେନ୍ଦ୍ର ସିଂ, ଅର୍ଚ୍ଚିନା ଧଳ, ହିଞ୍ଜିଳିକାଟୁ ନିର୍ବାହୀ ଯନ୍ତ୍ରୀ ଗୋପାଳ କୃଷ୍ଣ ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ଦାଶ, ସହକାରୀ ଯନ୍ତ୍ରୀ ବିଦୁର ବେହେରା ଓ ଟିମ୍ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ