ପଲିଥିନ ବନ୍ଦ କରିବାସହ ପ୍ରାଣୀ ଚିକିତ୍ସାଳୟରେ ଚରମ ଅବହେଳା ବିରୁଦ୍ଧରେ ବିକ୍ଷୋଭ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ନିରୀହ ପଶୁ ପକ୍ଷୀଙ୍କ ଚିକିତ୍ସାରେ ଗୁରୁତର ଅବହେଳା ବିରୁଦ୍ଧରେ ମାନବ ଅଧିକାର ସୁରକ୍ଷା ମଞ୍ଚ ଆଜି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି l ସୂଚନା ଯୋଗ୍ୟ ଯେ, ସହରରେ ବିଭିନ୍ନ ଦୁର୍ଘଟଣାରେ ଆହତ ହୋଇ ରାସ୍ତାରେ ପଡିରହୁଥିବା ଗାଈ, ଷଣ୍ଢ, ବୁଲା କୁକୁର ଙ୍କ ତୁରନ୍ତ ଚିକିତ୍ସା ଆରମ୍ଭ ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା ରହିଛି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଟୋଲ ଫ୍ରି ନଂ ୧୯୬୨ ମଧ୍ୟ ରହିଛି l କିନ୍ତୁ ଏହି ନମ୍ବରରେ ସୂଚନା ଜଣାଇବା ସତ୍ୱେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ପହଞ୍ଚୁନାହିଁ ଓ ଏଥିରେ ନିୟୋଜିତ ଡାକ୍ତର, କର୍ମଚାରୀଙ୍କ ଯଥେଷ୍ଟ ଅଭିଜ୍ଞତା ନ ଥିବା ହେତୁ ବହୁ ପ୍ରାଣୀ ଅକାଳ ମୃତ୍ୟୁମୁଖରେ ପଡୁଥିବା ଦେଖାଯାଉଛି l ବ୍ରହ୍ମପୁର ପ୍ରାଣୀ ଚିକିତ୍ସାଳୟରେ ମଧ୍ୟ ଅଭିଜ୍ଞତା ସମ୍ପନ୍ନ କର୍ମଚାରୀଙ୍କ ଅଭାବରୁ ଚରମ ଅବହେଳା ଦେଖାଯାଉଛି l ଚିକିତ୍ସା ପାଇଁ ଆବଶ୍ୟକ ସମସ୍ତ ଔଷଧ, ଇଞ୍ଜେକ୍ସନ, ସାଲାଇନ ହସ୍ପିଟାଲରେ ନ ମିଳିବାରୁ ଚିକିତ୍ସାଧିନ ପଶୁ ପକ୍ଷୀ ସେଠାରେ ପଡି ପଡି ଛଟପଟ ହେଉଥିବାର ଅନେକ ନଜିର ରହିଛି ବା ବେଳେବେଳେ କିଛି ସ୍ବେଛାସେବୀ ନିଜ ହାତରୁ ଔଷଧ ବାହାରୁ କିଣି ଆଣିଥାନ୍ତି l ନିରୀହ ପଶୁ ପକ୍ଷୀଙ୍କ ପାଇଁ ଆସୁଥିବା ଔଷଧର ବହୁଳ କଳାବଜାରୀ ହେଉଥିବାର ଅନେକ ଥର ଅଭିଯୋଗ ହୋଇଛି ତଥାପି ଦୀର୍ଘ ଦିନରୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ବା ତଦନ୍ତ ହେଉନାହିଁ l ଚିକିତ୍ସାଧିନ ପଶୁଙ୍କ ମୃତ୍ୟୁ ପରେ ସଙ୍ଗେ ସଙ୍ଗେ ମୃତ ଶରୀରକୁ ମହାନଗର ନିଗମ ପକ୍ଷରୁ ବାହାର କରାଯାଉନାହିଁ, ଫଳରେ ବହୁଦିନ ଧରି ମୃତ ଶରୀର ପଡିରହି ପଚିସଡି ଅନ୍ୟକୁ ସଂକ୍ରମଣ ବ୍ୟାପୁଛି l ଏଣୁ ଏ ପ୍ରକାର ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ପ୍ରାଣୀ ଚିକିତ୍ସାଳୟର ଅବସ୍ଥା ଅଧିକ ଶୋଚନୀୟ ହୋଇପଡିଛି l ଚିକିତ୍ସାଧିନ ପଶୁଙ୍କୁ ଖାଦ୍ୟ ମଧ୍ୟ ଦିଆଯାଉନାହିଁ l ବାରମ୍ବାର ଅଭିଯୋଗ ସତ୍ୱେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ପଶୁପ୍ରେମୀଙ୍କ ମହଲରେ କ୍ଷୋଭ ସୃଷ୍ଟି ହେଉଛି l ଅନ୍ୟ ପକ୍ଷରେ ନିରୀହ ପଶୁପକ୍ଷୀଙ୍କ ପାଇଁ ଆସୁଥିବା ସରକାରୀ ଯୋଗାଣ ଔଷଧ ଏଠାରେ ନିୟୋଜିତ କିଛି ଅସାଧୁ କର୍ମଚାରୀ ଦୀର୍ଘଦିନରୁ ମିଳିମିଶି ହରିଲୁଟ କରିଚାଲିଛନ୍ତି l ତୁରନ୍ତ ଏସବୁପ୍ରକାର ଅବ୍ୟବସ୍ଥା ବନ୍ଦ କରିବା ସହ 24ଘଣ୍ଟା ଇଣ୍ଡୋର ବିଭାଗ ଖୋଲି ପ୍ରାଣୀ ଚିକିତ୍ସାଳୟ କାର୍ଯ୍ୟ କରିବା ଓ 24ଘଣ୍ଟା ଆମ୍ବୁଲାନ୍ସ ସେବା ଯୋଗାଇବା ଓ ସମସ୍ତ ଔଷଧ ଯୋଗାଇବା ଦାବୀ ନେଇ ମାନବ ଅଧିକାର ସୁରକ୍ଷା ମଞ୍ଚ ଦୃଢ ଦାବୀ ଜଣାଇ ଆଜି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ମନୋଜ ସାହୁ ଙ୍କୁ ଦୀର୍ଘ ସମୟ ଧରି ଘେରାଉ କରି ମୁଖ୍ୟମନ୍ତ୍ରୀଙ୍କ ଉଧେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ମଞ୍ଚ ଆବାହକ ଆଇନଜୀବୀ ଅବନୀ ଗୟା,ମନବାଧିକାରକର୍ମୀ ମନୋଜ ତରାଇ,ସମ୍ପାଦକ ସୁବାଷ ମିଶ୍ର,ଶିବ ସୁନ୍ଦର ରଥ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଜୁ୍ରୀନାଥ ନାୟକ, କବିରାଜ ସାହୁ, ଏସ. ସମ୍ବଶିବା ରାଓ, ବି. ରାମ ବାବୁ, ଗୋବିନ୍ଦ ନାୟକ, ପୂର୍ଣ୍ଣ ଚନ୍ଦ୍ର ମହାରଣା, ମାଗୁଣି ନାହାକ, ନିହାର ରଞ୍ଜନ ପଣ୍ଡା, କେ.ଶ୍ରୀନିବାସ ରାଓ ପ୍ରମୁଖ ଆଜିର ବିକ୍ଷୋଭରେ ଅଂଶ ଗ୍ରହଣ କରିଥିଲେ l ଏତଦସହ ପଲିଥିନ ବ୍ୟବହାର ନେଇ ରାଜ୍ୟ ସରକାରଙ୍କ ବେଆଇନ ଘୋଷଣା ଏକ ପ୍ରହସନରେ ପରିଣତ ହୋଇ ବହୁ ପଶୁ ପକ୍ଷୀଙ୍କ ଅକାଳରେ ଜୀବନ ଯିବା ସହ ପ୍ରକୃତି ପରିବେଶର ବହୁଳ କ୍ଷତି ହେଉଛି l ଏଣୁ ପଲିଥିନ ଉତ୍ପାଦନ କାରଖାନା ଗୁଡିକ ସହ ସାଲାସୁତରl ଓ କମିଶନ କାରବାର ବନ୍ଦ କରି ଏହି ପଲିଥିନ କଟକଣା ନିର୍ଧେଶକୁ କଡାକଡି ପାଳନ କରିବାପାଇଁ ଆବାହକ ଅବନୀ ଗୟା ଦାବୀ କରିଛନ୍ତି l କୁକୁର ବନ୍ଧ୍ୟା କରଣ ଯୋଜନାକୁ କାର୍ଯ୍ୟକାରୀ, ଆହତ ହୋଇଥିବା ବୁଲା କୁକୁର, ଗାଈ, ଷଣ୍ଢ ଆଦିଙ୍କ ପାଇଁ କାଞ୍ଜିଆ ହୁଦାକୁ କାର୍ଯ୍ୟକାରୀ ଓ ଗାଈ ଗୋରୁଙ୍କୁ ରାସ୍ତାରେ ଛାଡି ଦେଉଥିବା ମାଲିକ ମାନଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମହାନଗର ନିଗମ କମିଶନର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ମଞ୍ଚ ଦାବୀ କରିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ