ପଲିଥିନ ବ୍ୟବହାର କଟକଣା ଓ ଚଢ଼ଉକୁ ବିରୋଧ କରି ପାରଳାରେ ସମସ୍ତ ହୋଟେଲ ବନ୍ଦ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ପଲିଥିନ ବ୍ୟବହାରରେ ପ୍ରଶାସନର କଟକଣା ଓ ହୋଟେଲ ଗୁଡିକରେ ଚଢ଼ାଉ କରି ଫାଇନ ଆଦାୟକୁ ବିରୋଧ କରି ଆଜି ସମସ୍ତ ହୋଟେଲ ଗୁଡିକ ବନ୍ଦ କରି ଦିଆଯାଇଛି. ହଟାତ ଆଜି ସମସ୍ତ ହୋଟେଲ ଗୁଡିକୁ ଏପରି ବନ୍ଦ କରି ଦିଆଯିବା ଯୋଗୁ ହୋଟେଲ ଉପରେ ନିର୍ଭର କରୁଥିବା ଲୋକେ ଏବଂ ପାରଳା ସହରକୁ ଆସୁଥିବା ବାହାରର ଯାତ୍ରୀ ମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେବା ସହ ଜଳଖିଆ ଠାରୁ ଆରମ୍ଭ କରି ଭୋଜନ ପର୍ଯ୍ୟନ୍ତ କୌଣସି ଖାଦ୍ୟ ପାଇପାରିନଥିଲେ .ପାରଳାଖେମୁଣ୍ଡି ସହରରେ ଥିବା ୨୦୦ ରୁ ଉର୍ଦ୍ଧ ସମସ୍ତ ପ୍ରକାର ହୋଟେଲ ଆଜି ଏନେଇ ବନ୍ଦ ରହିଛି. ହୋଟେଲ ମାଲିକମାନେ ଆଜି ସକାଳ୧୦ ଟା ୩୦ସମୟରେ ପାରଳା ଜଗନ୍ନାଥ ମନ୍ଦିର ନିକଟରେ ଏକତ୍ରିତ ହୋଇ ସେଠାରୁ ମିଳିତ ଭାବେ ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟାଳୟରେ ପହଂଚିଥିଲେ. ହୋଟେଲ ମାଲିକମାନଙ୍କ ଏକ ପ୍ରତିନିଧି ଦଳରେ ଦିଲ୍ଲୀପ ସିଂ, ରଘୁନାଥ ସାହୁ, କେ. ଶ୍ରୀନିୟୁ, ତ୍ରିପତି ପାଣିଗ୍ରାହୀ, ମାଲାନା ଦିଲ୍ଲୀ, ନରସିଂହ ପାଣିଗ୍ରାହୀ ପ୍ରମୁଖ ସମସ୍ୟାର ସମାଧାନ ପାଇଁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବନମାଳି ଶତପଥୀଙ୍କ ସହ ଆଲୋଚନା କରିଥିଲେ. ହୋଟେଲ ମାଲିକ ମାନେ ଦର୍ଶାଇ ଥିଲେ ସେମାନେ ପଲିଥିନ ବ୍ୟବହାରକୁ ସମ୍ପୂର୍ଣ ଭାବେ ବନ୍ଦ କରି ଦେଇଛନ୍ତି. ବର୍ତ୍ତମାନେ ସେମାନେ କେବଳ ସିଲିଭର କୋଟେଡ଼ କଭର ଦ୍ୱାରା ଖାଦ୍ୟ ସାମଗ୍ରୀ ପାର୍ସଲ କରୁଛନ୍ତି. ତେଣୁ ଏହାକୁ ବ୍ୟବହାର ପାଇଁ ଅନୁମତି ଦିଆଯାଉ. ଏଥିରେ ପୌରାଧିକାରୀ ଶ୍ରୀ ଶତପଥି ହୋଟେଲ ମାଲିକ ମାନଙ୍କୁ ଜଣାଇ ଥିଲେ ଯେ ସରକାରୀ ନିୟମ ତଥା ପ୍ରଦୂଷଣ ବୋର୍ଡ଼ର ନିୟମ ଅନୁଯାୟୀ ଯାହା ବ୍ୟବହାର କରିବା ବ୍ୟବସ୍ଥା ରହିଛି ତାହାକୁ ବ୍ୟବହାର କରିବାକୁ ପଡିବ. ଆଜି ପୌରାଧିକାରୀ ଶ୍ରୀ ଶତପଥି ଏନେଇ ରାଜ୍ୟ ପ୍ରଦୂଷଣ ବିଭାଗକୁ ଜଣାଇଛନ୍ତି. ବୋର୍ଡ଼ ତରଫରୁ କିଛି ଅଧିକାରୀ ପାରଳାଖେମୁଣ୍ଡି ପହଁଚିବେ. ସେମାନେ ବୋର୍ଡ଼ ଅଧିକାରୀ ଯେଉଁଦିନ ଆସିବେ ସେହିଦିନ ହୋଟେଲ ମାଲିକ ମାନଙ୍କ ପ୍ରତିନିଧିମାନଙ୍କୁ ଡାକି ସମସ୍ୟାର ସମାଧାନ କରାଯିବା ସହ ବୋର୍ଡ଼ର ନିୟମ ଅନୁଯାଇ ବ୍ୟବହାର ଯୋଗ୍ୟ ଥିବା କଭରକୁ ହୋଟେଲ ମାଲିକ ମାନେ ବ୍ୟବହାର କରିପାରିବେ. ଏହି ଆଲୋଚନା ପରେ ସମସ୍ତ ହୋଟେଲ ମାଲିକ ପୌର କାର୍ଯ୍ୟାଳୟରୁ ଫେରି ଯାଇଥିଲେ. ଆସନ୍ତାକାଲି ଠାରୁ ସମସ୍ତ ହୋଟେଲ ଖୋଲା ଯିବ ବୋଲି ସୂଚନା ମିଳିଛି.


