ଜଙ୍ଗଲ ସଂରକ୍ଷଣ ବିଲକୁ ପ୍ରତ୍ୟାହାର କରିବାକୁ ଆଦିବାସୀ ଦିବସରେ ଦାବି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ବିଶ୍ୱ ଆଦିବାସୀ ଦିବସ ଅବସରରେ ଅଖିଳ ଭାରତ ଆଦିବାସୀ ମଞ୍ଚ ଓ ଅଖିଳ ଭାରତ କିଶାନ ମଜଦୂର ସଭା ପକ୍ଷରୁ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପାରଶମ୍ଵା ଗ୍ରାମ ଠାରେ ଆଦିବାସୀ ମାନଙ୍କ ଏକ ବିଶାଳ ଶୋଭାଯାତ୍ରା ଓ ସମାବେଶ ଅନୁଷ୍ଠିତ ହୋଇଯାଇଛି ।ଆଦିବାସୀ ନେତା ଶ୍ରୀ କାଡୁକା ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଅଖିଳ ଭାରତ କିଶାନ ମଜଦୂର ସଭାର ଜାତୀୟ ସମ୍ପାଦକ ଶ୍ରୀ ଭାଲଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧି ନୀତିକୁ ନିନ୍ଦା କରିଥିଲେ ।ମଣିପୁର ଠାରେ ନିକଟରେ ଦୁଇ ଜଣ ଆଦିବାସୀ ମହିଳାଙ୍କୁ ଉଲଗ୍ନ ପ୍ୟାରେଡ୍ ଓ ଗଣବଳାତ୍କାର କରିବା ଓ ମଧ୍ୟପ୍ରଦେଶରେ ଜନୈକ ବିଜେପି ନେତାଙ୍କ ଦ୍ବାରା ଜଣେ ଆଦିବାସୀ ଯୁବକଙ୍କ ମୁହଁରେ ପରିସ୍ରା କରିବା ଘଟଣାକୁ ଉଲ୍ଲେଖ କରି ସେ ଦେଶର ଆଦିବାସୀ ମାନଙ୍କ ପ୍ରତି ଆଜି ବି କିପରି ଶୋଷଣ ଓ ନିର୍ଯ୍ୟାତନା ଚାଲିଛି ତାର ଅବତାରଣା କରିଥିଲେ ।କେନ୍ଦ୍ରର ମୋଦି ସରକାର ନିକଟରେ ବିଜେଡି ଦଳର ସମର୍ଥନରେ ଯେଉଁ ଜଙ୍ଗଲ ସଂରକ୍ଷଣ ବିଲ୍ ସଂସଦରେ ପାସ୍ କରିଛନ୍ତି , ତାହା ଦେଶର ଏକ ପଞ୍ଚମାଂଶ ଜଙ୍ଗଲକୁ ଧ୍ଵଂସ କରିବା ସହ ଚାରି ଭିତରେ ରହୁଥିବା ଲକ୍ଷ ଲକ୍ଷ ଆଦିବାସୀଙ୍କ ଜୀବନ ଜୀବିକା\’କୁ ଉଜାଡିବାକୁ ଯାଉଛି ବୋଲି କହିଥିଲେ ।କେନ୍ଦ୍ର ସରକାର ନିଜର ହିନ୍ଦୁତ୍ଵବାଦୀ ଏଜେଣ୍ଡା ମୁତାବକ ଯେଉଁ ଅଭିନ୍ନ ନାଗରିକ ସଂହିତା (ଟଉଉ) ଆଣିବା କଥା କହୁଛନ୍ତି , ତାହା ଦେଶର ଶହ ଶହ ଆଦିବାସୀ ସମ୍ପ୍ରଦାୟର ସଂସ୍କୃତି ଉପରେ ମନୁବାଦୀ ଆକ୍ରମଣ ଏବଂ ତାକୁ ଆଦିବାସୀ ମାନେ କଦାପି ଗ୍ରହଣ କରିବେ ନାହିଁ ବୋଲି କହିଥିଲେ । ଆଦିବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ରାଜ୍ୟ ସରକାର କିପରି ସେମାନଙ୍କ ବିନା ସହମତିରେ ସେମାନଙ୍କ ଜମି , ଜଙ୍ଗଲ ଓ ପାହାଡକୁ ଦେଶୀ ବିଦେଶୀ ବୃହତ କମ୍ପାନୀଙ୍କୁ ଟେକିଦେଇ ସେଠାକାର ବାସିନ୍ଦାଙ୍କୁ ବଳପୂର୍ବକ ବିସ୍ଥାପିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏଆଇକଏଏମଏସ: ଜିଲ୍ଲା କମିଟି ସମ୍ପାଦକ ଶ୍ରୀ କେଦାର ଶବର , ଜିଲ୍ଲା କମିଟି ସଦସ୍ୟ ଶ୍ରୀ କାଡୁକା ଶବର ପ୍ରମୁଖ ଯୋଗ ଦେଇ ଓଡ଼ିଶାର ଜନସଂଖ୍ୟାର ଏକ ଚତୁର୍ଥାଂଶ ଆଦିବାସୀ ହୋଇଥିଲେ ବି ରାଜ୍ୟ ସରକାର ଆଦିବାସୀ ମାନଙ୍କ ଭାଷା , ଲିପି ଓ ସଂସ୍କୃତିର ବିକାଶରେ ଆନ୍ତରିକତା ଦେଖାଉ ନ ଥିବା ଅଭିଯୋଗ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଶ୍ରୀ ସମ୍ଵୁରା ଶବର , ନାରୀ ନେତ୍ରୀ ଗଣଶ୍ରୀ ଶବର , ଶ୍ରୀ ସାମସନ୍ ଗମାଙ୍ଗ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ସମାବେଶର ଆରମ୍ଭରେ ବିଶିଷ୍ଟ ଆଦିବାସୀ ନେତା ତଥା ଏଆଇକଏଏମଏସ:ର ପୂର୍ବତନ ରାଜ୍ୟ କମିଟି ସଦସ୍ୟ ବୁଦ୍ଧ ଗମାଙ୍ଗଙ୍କ ମୃତ୍ୟୁରେ ଦୁଇ ମିନିଟ ଶୋକ ପ୍ରକାଶ କରା ଯାଇଥିଲା । ଏହି ଅବସରରେ ଆଦିବାସୀମାନଙ୍କ ଏକ ବିଶାଳ ଶୋଭାଯାତ୍ରା ପାଖ ଆଖ ଅଞ୍ଚଳ ପରିକ୍ରମା କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ