ଶାଳଣିଆଁ ମେଡିକାଲ ପରିସର ଆବର୍ଜନା ପାଣି ଜମୁଛି
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରଟି ଅଳିଆ ଆବର୍ଜନାରେ ପୁରିଉଠି ପୁତିଗନ୍ଧମୟ ପରିବେଶ ସୃଷ୍ଟି କରିଛି । ମେଡିକାଲ ପରିସରରେ ଥିବା ରାସ୍ତାଟିରେ ଆଣଣ୍ଠୁଏ ଉଚ୍ଚର ପାଣି ଜମିରହି ମେଲେରିଆ ଓ ଡେଙ୍ଗୁ ରୋଗକୁ ଆମନ୍ତ୍ରଣ କରୁଛି ବୋଲି ଲୋକମାନେ କହୁଛନ୍ତି । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦୈନିକ ତିନିରୁ ଚାରିଶହ ରୋଗୀ ଆସୁଥିବାବେଳେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଭଲ ରାସ୍ତା ଖଣ୍ଡିଏ ନାହିଁ । ଅନେକ ଦିନ ତଳେ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିଲେ ବି ଜଳ ନିସ୍କାସନର ସୁବ୍ୟବସ୍ଥା ନଥିବାରୁ କିମ୍ବା ରାସ୍ତାର ଉଭୟ ପାଶ୍ୱର୍ରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଏହି କଂକ୍ରିଟ ରାସ୍ତା ଉପରେ ଆଣଣ୍ଠୁଏ ଉଚ୍ଚର ପାଣି ଜମି ରହୁଛି । ସେଥିରେ ଗଛର ପତ୍ର ସମେତ ଅନେକ ଆଳିଆ ଆବର୍ଜନା ପଡି ରହି ସେଥିରୁ ଦୁର୍ଗନ୍ଧ ବାହାରୁଛି । ଏଠାରେ ୯ଜଣ ସୁଇପର ନିଯୁକ୍ତି ପାଇଥିଲେବି ଡାକ୍ତରଖାନାକୁ ସଫା ସୁତୁରା ରଖା ଯାଇପାରୁନି । ଡାକ୍ତରଖାନା କର୍ତ୍ତୁପକ୍ଷ କେବେ ବି ଏହାକୁ ପରିସ୍କାର କରିବାକୁ ଚେଷ୍ଟା କରୁନଥିବା ସ୍ଥାନୀୟ ଲୋକମାନେ କହିଛନ୍ତି । ଡାକ୍ତରଖାନାକୁ ରୋଗ ଭଲ ହେବାକୁ ଯେପରି ପରିବେଶ ହୋଇଛି ଏଠାରୁ ମେଲେରିଆ ଓ ଡେଙ୍ଗୁ ରୋଗନେଇ ଘରକୁ ଯିବୁ ବୋଲି ରୋଗୀମାନେ କହିଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।


